(ସମାଜ ପୋର୍ଟାଲ ଡେସ୍କ): ବିଶିଷ୍ଟ ଓଡ଼ିଆ କବି ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଭକ୍ତକବି ମଧୁସୂଦନ ରାଓଙ୍କର ଆଜି(ରବିବାର) ହେଉଛି ୧୬୭ତମ ଜୟନ୍ତୀ। ୧୮୫୩ ମସିହା ଜାନୁଆରୀ ୧୯ ତାରିଖରେ ପୁରୀର ପଥୁରିଆ ସାହିରେ ସେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା କ୍ଷେତ୍ରକୁ ଅତୁଳନୀୟ ଅବଦାନ ସହ ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ମହାନ ସାରସ୍ବତ ସାଧକଙ୍କୁ ସାରା ଓଡ଼ିଶା ଆଜି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ‘ବର୍ଣ୍ଣବୋଧ’ ମାଧ୍ୟମରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ। ଆଜି ମଧ୍ୟ ଏହି ପୁସ୍ତକ ପ୍ରତ୍ୟେକ ଓଡ଼ିଆଙ୍କ ଆଦ୍ୟ ପୁସ୍ତକ ଭାବେ ଖ୍ୟାତି ଲାଭ କରିଛି।
ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ ଥିଲେ। ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ ‘ଉତ୍କଳ ସାହିତ୍ୟ ସମାଜ‘ ପ୍ରତିଷ୍ଠା କରିଥିଲେ। ଓଡ଼ିଶା ସାହିତ୍ୟ ସମାଜ ତାଙ୍କୁ ଭକ୍ତ କବି ଏବଂ ସରକାର ରାୟବାହାଦୂର ଉପାଧିରେ ସମ୍ମାନିତ କରିଥିଲେ।
ରାଓଙ୍କ ରଚନା ଖୁବ୍ ସରଳ ଓ ସୁବୋଧ୍ୟ ଓଡ଼ିଆରେ ଲେଖା। ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା କୁସୁମାଞ୍ଜଳୀ, ପ୍ରବନ୍ଧମାଳା, କବିତାବଳୀ ଓ ସୁଖବୋଧ ଅଭିଧାନ ପ୍ରଭୃତିର ସେ ହେଉଛନ୍ତି ରଚୟିତା। ଏହା ସହିତ ଓଡ଼ିଆ ଭାଷାରେ ଅନେକ ପାଠ୍ୟ ପୁସ୍ତକ ସେ ରଚନା କରିଥିଲେ।



