ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଦାବି
ଭୁବନେଶ୍ୱର . – ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ମାଆ ଘର ଫାଉଣ୍ଡେସନ୍ ପକ୍ଷରୁ ଦାବି କରାଯାଇଛି । ରାଜ୍ୟର ଯୁବ ବର୍ଗ ଏଥିପାଇଁ ପଥ ଭ୍ରଷ୍ଟ ହେବା ସହ ସେମାନଙ୍କର ଭବିଷ୍ୟତ ନଷ୍ଟ ହେଉଥିବା କଥା ମାଆ ଘର ଫାଉଣ୍ଡେସନର ମୁଖ୍ୟ ତଥା ସମାଜସେବୀ ଋତୁପର୍ଣ୍ଣା ମହାନ୍ତି କହିଛନ୍ତି । ରାଜ୍ୟରେ ସମସ୍ତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସମ୍ଭବ ହୋଇ ନଥିବା ବେଳେ ଗାଁ ଗଣ୍ଡା ସହର ସବୁସ୍ଥାନରେ ମଦ ଦୋକାନ ଖୋଲିବାରେ ଲାଗିଛି । ଏହା ରାଜ୍ୟ ସରକାରଙ୍କୁ ଟିକସ ଆୟର ମାଧ୍ୟମ ହୋଇଥାଇ ପାରେ , ମାତ୍ର ଏଥିଯୋଗୁଁ ରାଜ୍ୟବାସୀଙ୍କର କ୍ଷତି ହେଉଛି ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।
୧୯୫୬ ମସିହାରେ ଓଡିଶା ନିଶା ନିବାରଣ ଆଇନ ପାରିତ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଦେଶ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରିବାକୁ ଯାଉଛି । ମାତ୍ର ତାଙ୍କର ନିଶା ନିବାରଣ ମନ୍ତ୍ର ଆଜି ଯାଏଁ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏହି ପବିତ୍ର ଅବସରରେ ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବ ପାଇଁ ମାଆ ଘର ଫାଉଣ୍ଡେସନ ର ମୁଖ୍ୟ ଓ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ଦାବି କରିଛନ୍ତି ।