ସମାଜ ଡିଜିଟାଲ ଡେସ୍କ: ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ କ୍ଷମତାକୁ ଫେରିବା ପରେ ଅନେକ ବିବାଦମୂଳକ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି କାର୍ଯ୍ୟକଳାପ ବହୁ ଦେଶକୁ ହାନି ପହଞ୍ଚାଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଜର୍ମାନୀ, ଫ୍ରାନ୍ସ, ବ୍ରାଜିଲ ଭଳି ଦେଶ ଟ୍ରମ୍ପଙ୍କ ପଦକ୍ଷେପରେ ଅତିଷ୍ଠ ହୋଇପଡ଼ିଛନ୍ତି। ତେଣୁ ଟ୍ରମ୍ପଙ୍କୁ ମୁକାବିଲା କରିବା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏକ ଜରୁରୀ ବୈଠକ ଡକାଇଛନ୍ତି। ୟୁରୋପୀୟ ଦେଶର ନେତାମାନଙ୍କୁ ସେ ବୈଠକରେ ଯୋଗଦେବାକୁ କହିଛନ୍ତି। ଟ୍ରମ୍ପଙ୍କ କାର୍ଯ୍ୟକଳାପ ନେଇ ବୈଠକରେ ଆଲୋଚନା କରାଯିବ ବୋଲି କୁହାଯାଇଛି।
ସୋମବାର ଏହି ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଛି ବୋଲି ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ରାଡୋସଲ ସିକୋର୍ସ୍କି କହିଛନ୍ତି। ପ୍ୟାରିସରେ ଏହି ବୈଠକ ଅନୁଷ୍ଠିତ ହେବ। ସିକୋର୍ସ୍କି କହିଛନ୍ତି, ମାକ୍ରନ ବୈଠକ ପାଇଁ ପ୍ୟାରିସ ଡକାଇଥିବାରୁ ସେ ବହୁତ ଖୁସି ଅଛନ୍ତି। ଟ୍ରମ୍ପ ଯେଉଁଭଳି ଭାବେ ଭୟଙ୍କର ପଦକ୍ଷେପ ସବୁ ନେଉଛନ୍ତି ତାହା ଉପରେ ଆଲୋଚନା ହେବା ଜରୁରୀ। ଯୁଦ୍ଧ ଜରିଆରେ ନବଜାଗରଣ କରିବା ରୁଷ ସାମରିକ ବାହିନୀର ଏକ କୌଶଳ। ଟ୍ରମ୍ପ ସେହି କୌଶଳକୁ ଅନୁସରଣ କରୁଛନ୍ତି ବୋଲି ସେ କହିଛନ୍ତି। ନାଟୋ ଏବଂ ୟୁରୋପର ନିରାପତ୍ତା ଉପରେ ଟ୍ରମ୍ପଙ୍କ ପଦକ୍ଷେପର କୁପ୍ରଭାବ ପଡ଼ୁଛି। ଯାହାକୁ ନେଇ ୟୁରୋପୀୟ ନେତାମାନେ ଚିନ୍ତାପ୍ରକଟ କରିଛନ୍ତି।



