bjd gruha runa

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

BJD Bijuli 480×75 Mob

ସମ୍ବଲପୁର : ପବିତ୍ର ମହାଳୟା ତିଥିରେ ଶନିବାର ମାଁ ସମଲେଶ୍ୱରୀ ଧବଳମୁଖୀ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଧାର୍ମିକ ମାନ୍ୟତା ଅନୁଯାୟୀ ମାଁଙ୍କର ଧବଳମୁଖୀ ଦର୍ଶନ ଦ୍ୱାରା ଗଙ୍ଗା ଦର୍ଶନର ପୂଣ୍ୟ ମିଳିଥାଏ । ଏଥି ପାଇଁ  ଶୁକ୍ରବାର ରାତ୍ରିରୁ ସମସ୍ତ ମନ୍ଦିର ମାନଙ୍କରେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ମନ୍ଦିର ପରିସର ଗୁଡିକ ସଫେଇ କରାଯାଇ ଶନିବାର ପ୍ରାତଃ କାଳରୁ ମହାନଦୀରୁ ପିତ୍ତଳ ପାତ୍ରରେ ଜଳ ଅଣାଯାଇ ମାଁ ସମଲେଶ୍ୱରୀଙ୍କୁ ସ୍ନାନ କରାଯାଇଥିଲା। ଏହା ପରେ ଧଳା ଚନ୍ଦନର ପ୍ରଲେପ ଦିଆଯାଇ ମାଁଙ୍କୁ ସିନ୍ଦୁରମୁଖୀରୁ ଧବଳମୁଖୀ କରାଯାଇଥିଲା।

ଏହା ପରେ ଅଳଙ୍କାର ଓ ଶ୍ୱେତ ବସ୍ତ୍ର ଧାରଣ କରାଯାଇ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରାଯାଇ ପାରମ୍ପରିକ ରିତିନିତିରେ ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ନେତୃତ୍ୱରେ ପୂଜାରୀ ମାନେ ଶ୍ୱେତ ବସ୍ତ୍ର ଧାରଣ କରି ପୂଜାର୍ଚ୍ଚନା ଓ ସମସ୍ତ ନିତିବିଧି ଗୁଡିକୁ ସମ୍ପନ୍ନ କରିଛନ୍ତି ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ବର୍ଷତମାମ ସମସ୍ତ ଦିନ ଓ ପର୍ବ ପର୍ବାଣି ଗୁଡିକରେ ସିନ୍ଦୁରବର୍ଣ୍ଣା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ମହାଳୟା ତିଥିରେ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି। ଏଥି ସହ ମହାଳୟା ତିଥିରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା ସ୍ନାନ କରିବାର ନିୟମ ରହିଛି । କିନ୍ତୁ ଯେଉଁ ଭକ୍ତ ମାନେ କୌଣସି କାରଣରୁ ଗଙ୍ଗା ଯାଇ ପାରନ୍ତି ନାହିଁ ସେମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ପରେ ମାଁ ଙ୍କର ଏହି ଅପୂର୍ବ ଧବଳମୁଖୀ ଦର୍ଶନ କରି ସମାନ ଫଳ ପାଇବାର ମାନ୍ୟତା ରହିଛି। ଏଣୁ ମନ୍ଦିରରେ ସକାଳୁ ପ୍ରବଳ ଭିଡ ଲାଗି ରିହିଛି। ଅପରପକ୍ଷରେ ଭକ୍ତ ମାନଙ୍କୁ ସୁରୁଖୁରୁରେ ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ଭିତରକୁ ଆଜି ଭକ୍ତ ମାନଙ୍କୁ ପ୍ରସାଦ, ଧୂପ ଓ ଦୀପ ନେବା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଭକ୍ତ ମାନଙ୍କ ଲାଗି ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି।

Comments are closed.