MEllora 950×100

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ, ୫ଟି ଉପକ୍ରମରେ କାର୍ଯ୍ୟକାରୀ ହେବ ଯୋଜନା

ଭୁବନେଶ୍ୱର: ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି । ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ । ମାଙ୍କର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥାନ୍ତି । ମା ଙ୍କର ଏହି ପବିତ୍ର ମାସ ଅବସରରେ ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁରର ମା ଉଗ୍ରତାରା ଓ ବାଣପୁରର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ୫ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପୁର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ପୁରୀ ଜିଲାର କାକଟପୁରରେ ବିରାଜିତ ମା’ ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମାଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି। ନବକଳେବର ସମୟରେ ଦଇତାପତି ସେବକମାନେ ମାଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ। ୫ଟି ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନରେ ମନ୍ଦିରରେ ଖଣ୍ଡାଲାଇଟ ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ । ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ କିଓକ୍ସ, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ। ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ, ଲାଣ୍ଡସ୍କେପିଂ ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସଂପୁର୍ଣ୍ଣ କରିବ।

ଖୋର୍ଦ୍ଦା ଜିଲା ବାଣପୁରର ମା ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି। ମା’ଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ। ନବମ ଶତାବ୍ଦୀରେ ନିର୍ମିତ ମା’ଙ୍କ ମନ୍ଦିରର ବିକାଶ ପାଇଁ ୫ଟି ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି। ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ।

ଖୋର୍ଦ୍ଦା ଜିଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା ଉଗ୍ରତାରାଙ୍କ ପୀଠ । ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସ ର କେନ୍ଦ୍ର ହୋଇ ରହି ଆସିଛି। ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ ଆରଇଭାଲ ପ୍ଲାଜା, ଯାତ୍ରୀଙ୍କ ସୁବିଧା, ପାର୍କିଂ ଲ୍ୟାଣ୍ଡସ୍କେପିଂ, ପିକନିକ ସ୍ପଟ, ଯାତ୍ରା ପଡିଆ ସହିତ ପୋଖରୀର ମଧ୍ୟ ପୁନରୁଦ୍ଧାର କରାଯିବ। ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ। ଏହି ତିନି ଗୋଟି ପୀଠର ବିକାଶ ଯୋଜନା କୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠ ମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ। ତିନି ପୀଠର ସେବାୟତମାନେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ। ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ।

Comments are closed.