ଚାଷୀଙ୍କ ଟଙ୍କା ଲୁଟିନେଇ ଦୁଇ ଲୁଟେରା ଚମ୍ପଟ
ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗୁବୁଗା ପଞ୍ଚାୟତର ଭୂତଟିକ୍ରା ଗ୍ରାମର ବିପିନ କର୍ଣ୍ଣ ନାମକ ଜଣେ ଚାଷୀଙ୍କଠାରୁ ଦୁଇଜଣ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ୍ ମାରିଥିବା ଘଟଣା ଆଜି ଅତାବିରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଘଟଣାଟି ପୁଣି ଦିନ ବେଳା ଘଟିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଖସି ଯାଇଥିବା ବଡ ଆଶ୍ଚର୍ଯ୍ୟ ଲାଗୁଛି ।
ପ୍ରକାଶ ଥାଉ କି, ଭୂତଟିକ୍ରାର ଚାଷୀ ବିପିନ କର୍ଣ୍ଣ ତାଙ୍କର ଧାନ ବିକ୍ରି କରି ଜମାଭୂତ ପୁଞ୍ଜିରୁ ଅତାବିରା ଷ୍ଟେଟ ବ୍ୟାଙ୍କକୁ କିଛି ଟଙ୍କା କାଢିବା ପାଇଁ ନିଜ ଆଠ ବର୍ଷର ନାତୁଣୀ ସହ ଆସିଥିଲେ । ଝିଅକୁ ଦଶହରା ଭେଟି ଓ ଘର ତିଆରି କରିବା ପାଇଁ ବ୍ୟାଙ୍କରୁ ୫୦ ହଜାର ଟଙ୍କା କାଢି ଗୋଟିଏ କପଡ଼ା ବ୍ୟାଗରେ ଆଗ ହ୍ୟାଣ୍ଡିଲରେ ଝୁଲାଇ ବାଇକରେ ଘରକୁ ଫେରୁଥିଲେ । କିନ୍ତୁ ବ୍ୟାଙ୍କ ଭିତରୁ ଦୁଇ ଜଣ ଚୋର ତାଙ୍କର ପିଛା କରୁଥିଲେ ତାହା ସେ ଜାଣି ପାରି ନଥିଲେ । ବ୍ୟାଙ୍କରୁ ପ୍ରାୟ ଦୁଇଶହ ମିଟର ଆସିବା ପରେ ଅର୍ଥାତ୍ ଅତାବିରା ଆହାର କେନ୍ଦ୍ର ନିକଟରେ ପଛପଟୁ ଦ୍ରୁତ ବେଗରେ ଦୁଇ ଜଣ ଚୋର ଆସି ବ୍ୟାଗକୁ ହଠାତ୍ ଟାଣି ନେଇ ଚାଲି ଯାଇଥିଲେ। ସେ ଜୋରରେ ଚୋର ଚୋର ବୋଲି ପାଟି କରିଥିଲେ କିନ୍ତୁ ରାସ୍ତାରେ ଥିବା କେହି ହେଲେ ତାଙ୍କ କଥାକୁ ଶୁଣି ନଥିଲେ । ଫଳରେ ଲୁଟେରା ମନେ ଚଂପଟ ମାରିଥିଲେ । ଏକ ନୀଳ ରଙ୍ଗର ଆପାଚି ବାଇକରେ ଲୁଟେରା ଦୁଇଜଣ ଥିବା ଜଣାପଡିଛି । ବ୍ୟାଙ୍କର ସିସି ଫୁଟେଜରୁ ଜଣା ପଡ଼ିଛି ଯେ ଉକ୍ତ ଲୁଟେରା ଦୁଇଜଣ ବ୍ୟାଙ୍କ୍ ରୁ ହିଁ ଚାଷୀ ଙ୍କୁ ପିଛା କରୁଥିଲେ । ଉକ୍ତ ଦୁଇ ଜଣ ଲୁଟେରାମାନଙ୍କ ମଧ୍ୟରୁ ଜଣେ ଟୋପି ପିନ୍ଧିଥିବା ଶ୍ରୀ କର୍ଣ୍ଣ କହିଛନ୍ତି । ଏନେଇ ଅତାବିରା ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଦୁଇ ଜଣ ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । କିନ୍ତୁ ଏଠି ଜନ ସାଧାରଣଙ୍କ ସଚେତନତାର ଅଭାବ ରହିଥିବା ବେଶ୍ ସ୍ପଷ୍ଟ ଜଣାପଡ଼ୁଛି । ପୁଲିସ ପକ୍ଷରୁ ହେଉ ବା ବ୍ୟାଙ୍କ ପକ୍ଷରୁ ହେଉ ଟଙ୍କା ଧରି ବୁଲିବା, ବାଇକର ଡିକିରେ ଟଙ୍କା ରଖି କୁଆଡେ ଯିବା, ଅଧିକ ଟଙ୍କା ଧରି ବୁଲି ବୁଲି ବଜାର କରିବା, ନିଛାଟିଆ ରାସ୍ତାରେ ଟଙ୍କା ଧରି ଏକାକୀ ଯିବା ଆଦି ଉପରେ ଅନେକ ପ୍ରକାର ସଚେତନ ମୂଳକ ବାର୍ତ୍ତା ଦେଉଛନ୍ତି ଲୋକଙ୍କୁ । କିନ୍ତୁ ତଥାପି ଲୋକେ ସତର୍କ ହେଉ ନାହାନ୍ତି ଯାହା ଏକ ଚିନ୍ତାର କାରଣ । ତେବେ ଅଞ୍ଚଳରେ ଚୋରି ଡକାୟତିର ପରିମାଣ ବୃଦ୍ଧି ପାଉଥିବା ନେଇ ଲୋକଙ୍କ ମନରେ ଭୟ ସଂଚାର ହେଉଛି । ପୁଣି ଆଗକୁ ଅଛି ଦୀପାବଳି ଆଉ କାଳୀପୂଜା । ଯାତ୍ରା ଯେତେ ବଢୁଛି ଅଞ୍ଚଳରେ ସେତିକି ପରିମାଣର ଚୋରି, ଡକାୟତି ବଢ଼ି ଚାଲିଛି । ତେଣୁ ପୁଲିସ ଅଧିକରୁ ଅଧିକ ସଜାଗ ହୋଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହ ଜନ ସାଧାରଣଙ୍କୁ ମଧ୍ୟ ସଜାଗ ରହିବା ପାଇଁ ସୂଚନା ଦେଉଛି।
Comments are closed.