ସମାଜ ଡିଜିଟାଲ ଡେସ୍କ: ରାକ୍ଷୀ ପୂର୍ଣ୍ଣିମାରେ ପାତ୍ରପଡ଼ା V2 ସାମ୍ନାରେ ଥାର ଧକ୍କାରେ ପ୍ରଥମେ ୮ ବର୍ଷର ଝିଅ ଏବଂ ପରେ ମା’ର ମୃତ୍ୟୁ ଘଟଣାରେ ଉତ୍ତ୍ୟକ୍ତ ଲୋକେ ସୋମବାର ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି। ଶତାଧିକ ମହିଳା ଓ ପୁରୁଷ ରାସ୍ତାରେ ବସି ରହିବାରୁ ଜାତୀୟ ରାଜପଥରେ ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଛି। ଏହି ଘଟଣାକୁ ନେଇ ଗତ ରବିବାର ବି ଲୋକେ ରାସ୍ତାରୋକୋ କରିଥିଲେ।
ସୂଚନାଯୋଗ୍ୟ, ରାକ୍ଷୀ ପୂର୍ଣ୍ଣିମାରେ ରାତି ପ୍ରାୟ ସାଢ଼େ ୭ଟାରେ ଜଣେ ମହିଳା ନିଜ ୮ବର୍ଷର ଝିଅ ଓ ପୁଅ ସହିତ ପାତ୍ରପଡ଼ା V2 ସମ୍ମୁଖରେ ରାସ୍ତାପାର ହେବା ସମୟରେ ଏକ ଥାର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଝିଅର ପ୍ରାଣ ହରାଇଥିଲା। ମା’ ଓ ପୁଅକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମା’ର ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।



