ବଜ୍ରଘାତରେ ଆହତ ଚାଷୀ ଆଖି ବୁଜିଲେ

ସମ୍ବଲପୁର: ଗତ ୨୧ ତାରିଖ ସକାଳ ସମୟରେ ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ତବଲା ଗ୍ରାମ ଠାରେ ଅଚାନକ ବଜ୍ରଘାତ ହେବାରୁ ଚାଷ କାର୍ଯ୍ୟରେ ବ୍ୟସ୍ତ ୩ ଜଣ ଚାଷୀ ଶ୍ରୀକାନ୍ତ ପଧାନ, ସପନ ମୁଣ୍ଡା ଓ ସୁମନ୍ତ ମାଝୀ ଗୁରୁତର ଆହତ ହୋଇ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ତେବେ ଗୁରୁବାର – ଶୁକ୍ରବାର ମଧ୍ୟ ରାତ୍ରିରେ ଚିକିତ୍ସାଧିନ ଚାଷୀ ସପନ ମୁଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି।

ଏଣୁ ପୁଲିସ ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରାଯାଇଛି। ମୃତ ଚାଷୀଙ୍କୁ ତାଙ୍କର ପୈତୃକ ଗ୍ରାମ ତବଲାରେ ଅନ୍ତିମ ସଂସ୍କାର କରାଯାଇଛି। ସେ ତାଙ୍କର ପଛରେ ଧର୍ମପତ୍ନୀ ରାଜକୁମାରୀ, ସୁଶାନ୍ତ ଙ୍କ ସମେତ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଏହି ବଜ୍ରଘାତ ହୋଇଥିବା ବେଳେ ଗୁରୁତର ଆହତ ୩ ଚାଷୀଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପରିବାର ଲୋକେ ଚାଷୀ ମାନଙ୍କୁ ସମ୍ବଲପୁର ସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଉଛନ୍ତି ଏବଂ ଚିକିତ୍ସାଧିନ ଅବସ୍ଥାରେ ଚାଷୀ ସପନ ମୁଣ୍ଡାଙ୍କ ପରଲୋକ ହୋଇଯାଇଛି।

Comments are closed.