ଆଜି ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି (ଗୁରୁବାର) ଅନୁଷ୍ଠିତ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ୨୫ ଜିଲାର ୪୮ ବ୍ଲକ, ୯୭୫ ଗ୍ରାମ ପଞ୍ଚାୟତ, ୧୩୧ ଜିଲା ପରିଷଦ ଜୋନର ୧୩ ହଜାର ୫୧୪ ବୁଥରେ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୫୨୦ ଜିଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ମତଦାନ ଗ୍ରହଣ ସମୟରେ ବୁଥକୁ କବ୍ଜା କରିବା, ସାମ୍ବାଦିକ ଓ ସରକାରୀ କର୍ମଚାରୀଙ୍କୁ ଦୃର୍ବୃତ୍ତମାନେ ମାଡ଼ ମାରିବା ଘଟଣା ଦେଖିବାକୁ ମିଳିଥିଲା। ଶେଷ ପର୍ଯ୍ୟାୟରେ ଏହାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଆଜି ପୂର୍ବାହ୍ନରୁ ପୋଲିଂ ଅଧିକାରୀମାନେ ଭୋଟ ବାକ୍ସ ଧରି ବୁଥ ଅଭିମୁଖେ ଯାଇଛନ୍ତି।

ଆସନ୍ତାକାଲି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୫ ବର୍ଷ ପରେ ଭୋଟ ଦେଇ ମନ ପସନ୍ଦର ପ୍ରାର୍ଥୀ ବାଛିବେ ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତବାସୀ। ପୂର୍ବରୁ ଲାଲବାହିନୀ ଭୟରେ ଲୋକମାନେ ଭୋଟ ଦେଉ ନ ଥିବାବେଳେ ଚଳିତ ବର୍ଷ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡାଠାରେ ୧୧ଟି ବୁଥ୍ କରାଯାଇଛି। ତମ୍ବୁ ପକାଇ ଏଠାରେ ଅସ୍ଥାୟୀ ବୁଥ୍ ତିଆରି ହୋଇଛି। ୧୫ ବର୍ଷ ପରେ ଲୋକେ ଭୋଟ ଦେବାକୁ ଯାଉଥିବାରୁ ବେଶ ଉତ୍ସାହିତ ଅଛନ୍ତି।

ଅନ୍ୟପଟେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେଖାଦେଇଥିବା ହିଂସାକୁ ନେଇ ୪୫ଟି ବୁଥରେ ମତଦାନ ବାତିଲ ହୋଇଥିଲା। ଆଜି ସେବୁ ସ୍ଥାନରେ ସାନି ଭୋଟ ଗ୍ରହଣ କରାଯାଇଛି। ପୁରୀ ଜିଲାର ୫ଟି ବୁଥରେ ସାନି ମତଦାନ ହୋଇଛି। କଣାସ ବ୍ଲକ ଅଡାଲ ଗ୍ରାମପଞ୍ଚାୟତର ବୁଥ ନମ୍ବର ୫,୭ ଓ ୮ରେ ମତଦାନ ହୋଇଛି। ସେହିପରି କୃଷ୍ଣପ୍ରସାଦର ଅଲଣ୍ଡା ଗ୍ରାମପଞ୍ଚାୟତର ୮ ନମ୍ବର ବୁଥ ଓ ବ୍ରହ୍ମଗିରି ଗ୍ରାମପଞ୍ଚାୟତର ଚାପମାଣିକ ଗ୍ରାମର ୯ ନମ୍ବର ବୁଥରେ ମତଦାନ କରିଛନ୍ତି ଭୋଟର। ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା। ଜଗତସିଂହପୁର ଜିଲା ସଦର ବ୍ଲକ ଅଧୀନ ପଟସରା ପଞ୍ଚାୟତର ୨ଟି ବୁଥରେ ସାନି ମତଦାନ ହୋଇଛି। ଢିଅ ପଟସରାର ୧ ନମ୍ବର ବୁଥ ଓ ଢୋଲବନ୍ଧ ପ୍ରାଥମିକ ବିଦ୍ୟାଳୟର ୨ ନମ୍ବର ବୁଥରେ ପୁନର୍ବାର ଭୋଟ ଗ୍ରହଣ କରାଯାଇଛି। ଯାଜପୁର ଜିଲାର ଯାଜପୁର ସଦର, ଧର୍ମଶାଳା, ବଡଚଣା ଏବଂ ଦଶରଥପୁର ବ୍ଲକର ମୋଟ ୨୪ଟି ବୁଥରେ ସାନି ମତଦାନ ହୋଇଛି। ସଦର ବ୍ଲକ ସୁଜନପୁର ପଞ୍ଚାୟତର ୧ନଂ ବୁଥ୍, ରୁଦ୍ରପୁର ପଞ୍ଚାୟତର ୪, ୫ ଓ ୧୨ନଂ ବୁଥ, ଏରବାଙ୍କ ପଞ୍ଚାୟତର ୨ଓ ୩ ନଂ ବୁଥ୍, ଛତିଶଦେବିଲ ପଞ୍ଚାୟତର ୧ ନଂ ବୁଥ ଓ ଝାଲପଡା ପଞ୍ଚାୟତର ୧୦ ନଂ ବୁଥ ଏବଂ ସଦର ବ୍ଲକର ୮ଟି ବୁଥରେ ସାନି ମତଦାନ କରାଯାଉଛି। ଧର୍ମଶାଳା ବ୍ଲକ ଅରାବଳ ପଞ୍ଚାୟତର ୮ନଂ ବୁଥ୍, ଦେଓଦା ପଞ୍ଚାୟତର ୬ ଓ ୭ନଂ ବୁଥକୁ ମିଶାଇ ଏହି ବ୍ଲକର ୩ଟି ବୁଥରେ ସାନି ମତଦାନ ହୋଇଛି। ବଡଚଣା ବ୍ଲକ ରଇପୁର ପଞ୍ଚାୟତର ୫ନଂ ବୁଥ, ବାଲିଚନ୍ଦ୍ରପୁର ପଞ୍ଚାୟତର ୧୦ନଂ ବୁଥ ଓ ନଳିପୁର ପଞ୍ଚାୟତର ୨ନଂ ବୁଥକୁ ମିଶାଇ ମୋଟ ୩ଟି ବୁଥରେ ସାନି ମତଦାନ କରାଯାଇଛି। ମତଦାନ ସମୟରେ ସମସ୍ତ ବୁଥରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜ, ବଲାଙ୍ଗୀର ଆଦି ଜିଲାରେ ବାତିଲ ହୋଇଥିବା ମତଦାନ କେନ୍ଦ୍ରରେ ପୁନର୍ବାର ଭୋଟ ଗ୍ରହଣ ହୋଇଛି।

ଚତୁର୍ଥ ପର୍ଯ୍ୟାୟରେ ମତଦାନ ହାର ୭୯% ହୋଇଛି। ଯାହା ଏପର୍ଯ୍ୟନ୍ତ ଶେଷ ହୋଇଥିବା ୪ଟି ପର୍ଯ୍ୟାୟ ମଧ୍ୟରେ ସର୍ବାଧିକ। ସୁବର୍ଣ୍ଣପୁର ଜିଲାରେ ସର୍ବାଧିକ ମତଦାନ ୮୬.୫୧% ହୋଇଥିବା ବେଳେ ଗଞ୍ଜାମ ଜିଲାରେ ସର୍ବନିମ୍ନ ୬୫.୨% ମତଦାନ ହୋଇଛି। ରାୟଗଡାରେ ୮୨.୩୫%, ନୂଆପଡାରେ ୮୦.୩୪, ନବରଙ୍ଗପୁର ୮୩.୩, କୋରାପୁଟ ୮୨.୮, କଳାହାଣ୍ଡିରେ ୮୦.୫୩, ଗଜପତି ୮୨.୧୭, ଢେଙ୍କାନାଳ ୮୦.୫୯, ଭଦ୍ରକ ୮୦.୬୪, ବରଗଡ ୮୪.୮୭, ବଲାଙ୍ଗୀରରେ ୮୨.୨% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

 

Comments are closed.