ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ସୀମାନ୍ତ ତଥା ଲାଞ୍ଜିଗଡ଼ ବ୍ଲକରୁ ନର୍ଲା ବ୍ଲକକୁ ସିଧାସଳଖ ଯୋଡ଼ୁଥିବା ସିକେରକୁପା-କଦମ୍ବଗୁଡା ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତା ନର୍ଲା ବ୍ଲକ ସମେତ ବ୍ଲକର ଦୁର୍ଗମ ଭୁର୍ଟିଗଡ଼ ପଞ୍ଚାୟତ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବାବେଳେ ରାସ୍ତା ସାରା ହଜାର ହଜାର ଖାଲଖମା ଭରି ରହିଛି। ୬ କିମି ବିଶିଷ୍ଟ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବାବେଳେ ଅତ୍ୟନ୍ତ ସଂକୀର୍ଣ୍ଣ ଓ ବୁଲାଣି ରାସ୍ତା ଯୋଗୁଁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଦୀର୍ଘ ଦିନ ହେବ ଏହି ରାସ୍ତା ଉଜୁଡି ଯାଇଥିବାବେଳେ ଅନେକ ଦାବି ଓ ଅଭିଯୋଗ ପରେ ବି ରାସ୍ତାର ଅବସ୍ଥା ସୁଧୁରୁନାହିଁ। ଏପରିକି ଉପାନ୍ତ ଅଞ୍ଚଳ ବୋଲି ରାସ୍ତାର ଏହି ଦୁରବସ୍ଥା ପ୍ରତି ଆଖି ବୁଜିଦେଇଛି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ। ତେବେ ଏହି ରାସ୍ତାର ଆଉ ଏକ ଅଂଶ କଦମ୍ବଗୁଡାରୁ ନର୍ଲା ରୋଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଥିବାବେଳେ ବର୍ଷେରୁ ଅଧିକ ସମୟ ହେଲା ଏହା ସରିବାର ନାଁ ନେଉନାହିଁ।
ଅପରପକ୍ଷରେ ନିର୍ମାଣ ଓ ମରାମତି ଅଭାବରୁ ସିକେରକୁପା ଓ କଦମ୍ବଗୁଡ଼ା ରାସ୍ତା ଏବେ ବିପଦକୁ ହାତଠାରି ଡାକୁଛି। ଏଣୁ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏହି ରାସ୍ତାର ନିର୍ମାଣ ଓ ମରାମତି ପାଇଁ ପଦକ୍ଷେପ ନ ନେଲେ ପରିସ୍ଥିତି ଭୟାବହ ହେବ ଏବଂ ଲୋକେ ଯେକୌଣସି ମୁହୂର୍ତ୍ତରେ ଆନ୍ଦୋଳନ ମୁହାଁ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।



