ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣା: ୧୮ ଘଣ୍ଟା ପରେ ହଟିଲା ରାସ୍ତା ଅବରୋଧ, ମୁନିଗୁଡା-ଲାଞ୍ଜିଗଡ଼ ରାସ୍ତାରେ ଯାତାୟତ ସ୍ୱାଭାବିକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ସୀମାନ୍ତ ବସନ୍ତପଡା ପଞ୍ଚାୟତ ତଥା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତା ଡେଙ୍ଗସର୍ଗି ଗାଁ ନିକଟରେ ବୁଧବାର ସନ୍ଧ୍ୟାରେ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ନାମ ଭୁର୍କୁଲି ମାଝୀ ଏବଂ ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ପରିବାର ଲୋକେ କ୍ଷତିପୂରଣ ଦାବିରେ ମୁନିଗୁଡ଼ା-ଲାଞ୍ଜିଗଡ଼ ରାସ୍ତା ଅବରୋଧ କରିଥିଲେ। ଫଳରେ ମୁନିଗୁଡ଼ାରୁ ଲାଞ୍ଜିଗଡ ଶିଳ୍ପାଞ୍ଚଳକୁ ଦୀର୍ଘ ୧୮ ଘଣ୍ଟା ପର୍ଯ୍ୟନ୍ତ ଯୋଗାଯୋଗ ଏକପ୍ରକାର ଠପ ହୋଇଯାଇଥିଲା।

ଘଟଣାସ୍ଥଳରେ ଲାଞ୍ଜିଗଡ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସତ୍ତ୍ୱେ ଲୋକେ ନିଜ ଜିଦରେ ଅଟଳ ରହିଥିଲେ। ତେବେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ପୁଲିସ ଜବତ ସହ କ୍ଷତିପୂରଣର ପାଇଁ ନିର୍ଭର ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଛି। ଏନେଇ କେସ ନଂ ୦୬/୨୦୨୫ ରେ ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ ମହିଳାଙ୍କ ମୃତଦେହ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Comments are closed.