ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ସାତଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ସାମିଲ ଥିବା ଓଡିଶା ଜୀବିକା ମିଶନର ମହିଳା କର୍ମଚାରୀଙ୍କର ପଜିଟିଭ ରିପୋର୍ଟ ଆସିବା ଲୋକଙ୍କ ଭୟ ବଢିବାର କାରଣ ହୋଇଛି । କାରଣ ନମୁନା ସଂଗ୍ରହ ଓ ସ୍ୱାବ ରିପୋର୍ଟ ପଜିଟିଭ୍ ହେବା ପର୍ଯ୍ୟନ୍ତ ସେ ଖୋଲାଖୋଲି ଭାବେ ବୁଲୁଥିବା ଜଣାଯାଇଛି। ଏପରିକି ସଙ୍ଗରୋଧ କେନ୍ଦ୍ରରେ ନମୁନା ସଂଗ୍ରହ ପରେ ସେ କୌଣସି ସାମୁହିକ କାର୍ଯ୍ୟକ୍ରମରେ ସାମିଲ ନହେବା କଥା, କିନ୍ତୁ ସେ ନିଜ ସାଙ୍ଗସାଥୀ, ପରିବାର, ଗାଁ ଲୋକଙ୍କ ସହିତ ମିଳାମିଶା କରିବା ସହ ବିଶ୍ୱନାଥପୁର ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେବା, ବଜାରରେ କିଣାକିଣି କରିବା ସହ ଲାଞ୍ଜିଗଡ ସହରରେ ବି ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରିଥିବା ଜଣାପଡିଛି। ଏ ସଂପର୍କରେ ପ୍ରଶାସନ ପାଖରେ ସବୁ ଖବର ଥିବା ସତ୍ତ୍ବେ ବ୍ଲକ ପ୍ରଶାସନ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନେବାରୁ ଏବେ ସଂପୃକ୍ତ ମହିଳା କର୍ମଚାରୀ ସୁପର ସ୍ପ୍ରେଡର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଥିବାବେଳେ ବିଶ୍ୱନାଥପୁର ଓ ଲାଞ୍ଜିଗଡରେ ଆଜି ଭୟରେ ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି।
ସେହିପରି ଲାଞ୍ଜିଗଡ ସହରରେ ସେ ବୁଲାବୁଲି କରିଥିବାରୁ ଲାଞ୍ଜିଗଡ ସହରକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବାକୁ ସରପଞ୍ଚ ମଣି ମାଝୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ତେବେ ଲୋକଙ୍କ ଭୟକୁ ଦୂର କରିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ବ୍ଲକ କାର୍ଯ୍ୟାଳୟ, ମୁଖ୍ୟ ରାସ୍ତା ଓ ଦୋକାନ ବଜାରକୁ ବିଶୋଧନ କରାଯାଇଛି। ଗତକାଲି ଆକ୍ରାନ୍ତ ମହିଳାଙ୍କ ଗାଁ ବଣ୍ଡେଲକୁ ସିଲ୍ କରାଯାଇଥିବାବେଳେ ବିଳମ୍ବିତ ରାତିରେ ଜିଲ୍ଲାପାଳ ବସନ୍ତପଡା ଗ୍ରାମପଞ୍ଚାୟତର ବଣ୍ଡେଲ ଗାଁକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷିତ କରିଥିବାବେଳେ ବନ୍ଧଗୁଡା, ବସନ୍ତପଡା, କଂସାରୀ, କୋଟଦ୍ୱାର, ଡେଙ୍ଗସର୍ଗି, ରେଙ୍ଗୋପାଲି, ସିନ୍ଧିବାହାଲି ଆଦି ସାତଟି ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି। ଏହିସବୁ ଗାଁକୁ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର, କେସିଙ୍ଗା ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇ, ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଗାଁଗୁଡିକୁ ସିଲ୍ କରିଥିଲେ। ଅପରପକ୍ଷରେ ଆକ୍ରାନ୍ତ ମହିଳାଙ୍କ ସଂପର୍କରେ ଆସିଥିବା ୬୦ରୁ ଅଧିକ ଲୋକଙ୍କ ନାମ କଣ୍ଟାକ୍ଟ ଟ୍ରେସିଂରେ ସାମ୍ନାକୁ ଆସିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ସ୍ୱାବ୍ ପରୀକ୍ଷା କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି। ତେବେ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କ ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କ ଦାୟିତ୍ୱହୀନତା ଯୋଗୁଁ ମହିଳା ଜଣକ ବାହାରକୁ ଯାଇ ଲୋକଙ୍କ ସହ ମିଳାମିଶା କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ସହିତ ବୈଠକରେ ସାମିଲ ହୋଇଥିବା ଓଡିଶା ଜୀବିକା ମିଶନର ୨୭ଜଣ କର୍ମଚାରୀ ମଧ୍ୟ କ୍ୱାରେଣ୍ଟାଇନରେ ଯାଇଥିବା ଜଣାପଡିଛି।



