www.samajalive.in
Friday, December 12, 2025
16.1 C
Bhubaneswar

ବର୍ଷେ ତଳର ସ୍ୱପ୍ନକୁ ସତରେ ପରିଣତ କଲେ ଲାଞ୍ଜିଗଡ଼ ବିଡିଓ

ଲାଞ୍ଜିଗଡ଼ : ସେଇ ଅଞ୍ଚଳରେ ପହଞ୍ଚି ପାରିନଥିଲା ବିକାଶ ପ୍ରକ୍ରିୟା ସରକାରୀ ଯୋଜନା ପାଲଟିଥିଲା ସାତ ସପନ। ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ଅଞ୍ଚଳରେ ଜଙ୍ଗଲୀ ଜୀବଜନ୍ତୁ ସାଙ୍ଗକୁ ରହିଥିଲା ମାଓବାଦୀଙ୍କ ଭୟ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସେଠାକାର ଲୋକେ ବିକାଶ ଓ ଉନ୍ନତି ପ୍ରକ୍ରିୟାରେ ସାମିଲ ହୋଇପାରିନଥିଲେ। ନା ଅଞ୍ଚଳରେ ରାସ୍ତାଘାଟର ସୁବିଧା, ନା ପିଇବା ପାଣି, ନା ସ୍କୁଲ ନା କୌଣସି ସରକାରୀ ଯୋଜନା। ଏପରିକି ସେଇ ଅଞ୍ଚଳକୁ ଯିବାକୁ ଭୟ କରୁଥିଲେ ଅଫିସର, ନେତା ଓ ଅନ୍ୟ ସରକାରୀ କର୍ମଚାରୀ। ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଥିବା ସେଇ ଅଞ୍ଚଳ ପ୍ରତି ଜଣେ ପ୍ରଶାସକଙ୍କ ଦୃଷ୍ଟି ପଡିଲା, ଦୃଷ୍ଟି ପଡିଲାନି ଯେ, ତାଙ୍କ ପାଦ ସେ ଅଞ୍ଚଳରେ ପଡିବା କ୍ଷଣି ବିକାଶ ପ୍ରକ୍ରିୟା ବି ଆରମ୍ଭ ହେଲା। ନିୟମିତ ଗସ୍ତ, କ୍ଷୁଦ୍ରାତିକ୍ଷୁଦ୍ର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ, ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କୁ କଡା ତାଗିଦ୍, ବାରମ୍ବାର ସମୀକ୍ଷା ବୈଠକ ଫଳରେ ସେଇ ଅଞ୍ଚଳରେ ବିକାଶ ପ୍ରକ୍ରିୟା ଧିରେଧିରେ ଆଗକୁ ବଢିବାକୁ ଲାଗିଲା। ଏପରିକି ବର୍ଷେ ତଳ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ହୋଇ ରହିଥିବା ଏହି ବିକାଶ ପ୍ରକ୍ରିୟା ଆଜି ରୂପ ନେଇଛି। ଏଇ ଅଞ୍ଚଳଟି ହେଉଛି ଓଡିଶାର ଅନ୍ୟତମ ଅବହେଳିତ ଅଞ୍ଚଳ ଓ ଲୁପ୍ତପ୍ରାୟ କୁଟିଆ ଓ ଝରଣିଆ କନ୍ଧ ଜନଜାତି ସମୁହ ବସବାସ କରୁଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ନିୟମଗିରି ଉପରେ ଥିବା ତ୍ରିଲୋଚନପୁର ଗ୍ରାମପଞ୍ଚାୟତ। ଏହି ପଞ୍ଚାୟତର ପାଲବେରି, କୁନାକାଡୁ, ଫୁଲଡୁମେର ଆଦି ଗାଁର ବିକାଶର ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହେଉଥିବା ଦେଖିବାକୁ ମିଳିଛି। ଏହାର ସମସ୍ତ ଶ୍ରେୟ ଜଣେ ଯୁବ ପ୍ରଶାସକଙ୍କର। କାରଣ ଏହି ନିପଟ ଆଦିବାସୀ ବହୁଳ ଅଞ୍ଚଳର ବିକାଶ ପାଇଁ ଗତ ବର୍ଷେ ତଳେ ଅଣ୍ଟା ଭିଡିଥିଲେ ଲାଞ୍ଜିଗଡରେ ବିଡିଓ ଭାବେ ଯୋଗ ଦେଇଥିବା ଯୁବ ପ୍ରଶାସନିକ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର। ସେ ବିଡିଓ ଭାବେ ଯୋଗ ଦେବା ପରଠାରୁ ଏହି ଅବହେଳିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଆରମ୍ଭ କରିଥିଲେ। ନିୟମଗିରି ପର୍ବତ ଉପରେ ରହୁଥିବା ଆଦିମ ଜନଜାତିର ଲୋକଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ସତେ ଯେମିତି ସଂକଳ୍ପ ନେଇଥିଲେ। ଆଜି ସେ ନେଇଥିବା ସଂକଳ୍ପ, ସଫଳ ରୂପ ନେଇଛି। ଘର ଖଣ୍ଡିଏ ଅଭାବରୁ ଝାଟିମାଟି କୁଡିଆରେ ରହୁଥିବା କୁଟିଆ କନ୍ଧ ଜନଜାତିର ଲୋକେ ପକ୍କାଘର ରହିବାର ଅପାର ସୁଯୋଗ ଲାଭ କରିଛନ୍ତି। ନିଜସ୍ୱ ଉଦ୍ୟମ ବଳରେ ଆଦିବାସୀ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା ସହିତ ସେଗୁଡିକର ନିୟମିତ ତଦାରଖ ଓ ସମୀକ୍ଷା ଯୋଗୁଁ ରାସ୍ତା ଘାଟ ନଥିବା କୁନାକାଡୁ ଗାଁର ବସ୍କେ ମାଝୀ ନାମକ ଜଣେ ବୃଦ୍ଧ ଓ ମାଣ ମାଝୀ ନାମକ ଜଣେ ବିଧବା ମହିଳା ପକ୍କା ଘରେ ରହିବାର ସୁଯୋଗ ପାଇଛନ୍ତି। ଏହାସହିତ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାସକ ମଧ୍ୟରେ ଘର ଶେଷ କରି ୨୦ ହଜାର ଟଙ୍କାର ପୁରସ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ତ୍ରିଲୋଚନପୁର ଗାଁର ମହିଳା ହିତାଧିକାରୀ କୁମୁଦିନୀ ପଟ୍ଟନାୟକ, ସେହିପରି ତ୍ରିଲୋଚନପୁର ଗାଁର ଆଉ ଛଅଜଣ ହିତାଧିକାରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ଶେଷ କରି ପୁରସ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଏଥିପାଇଁ ବିଡିଓ ଶ୍ରୀ ମିଶ୍ରଙ୍କ ଉଦ୍ୟମ ଓ ପ୍ରେରଣା ରହିଛି ବୋଲି ଏହି ହିତାଧିକାରୀମାନେ ପ୍ରକାଶ କରିଛନ୍ତି। ଏଇ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ଅନେକ ମୌଳିକ ସମସ୍ୟାର ସମାଧାନ ପାଇଁ ସେ ଲଗାତାର ଉଦ୍ୟମ ଜାରି ରଖିଥିବାବେଳେ ଏଥିରେ ବି କିଛିଟା ସଫଳତା ମିଳିଛି ଓ ଲକ୍ଷ୍ୟ ପଥ ବହୁଦୂର ତେବେ ଅସାଧ୍ୟ ନୁହେଁ ବୋଲି ବିଡିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଆଜି ବଡଦିନ ଏକ ସରକାରୀ ଛୁଟିଦିନ ହୋଇଥିଲେ ହେଁ ବ୍ୟକ୍ତିଗତ ଆଗ୍ରହ ଯୋଗୁଁ ଶ୍ରୀ ମିଶ୍ର ଦୁର୍ଗମ କୁନାକାଡୁ ଗାଁରେ ନୂତନ ଭାବେ ନିର୍ମିତ ଦୁଇଟି ଦର୍ଶନୀୟ ଘରକୁ ଯିବା ସହିତ ଏହାର ଗୃହପ୍ରବେଶ ଉତ୍ସବରେ ସାମିଲ ହୋଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସଂପ୍ରସାରଣ ଅଧିକାରୀ ସୁଜିତ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ନିର୍ବାହୀ ଅଧିକାରୀ ଅଲେଖ ସା, ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତି ଓ ଯୁବ ସମାଜସେବୀ ସୁଶୀଲ କୁମାର ବାଗ ପ୍ରମୁଖ ଫୁଲଡୁମେର ଗାଁରୁ ପାଦରେ ଚାଲିଚାଲି କୁନାକାଡୁ ଯାଇଥିଲେ। ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଗ୍ରାମବାସୀଙ୍କ ଦ୍ୱାରା ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଗୃହ ପ୍ରବେଶ ପରେ ବିଡିଓଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀମାନେ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିଥିଲେ। ବିଡିଓଙ୍କ ଏତାଦୃଶ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଥିବାବେଳେ ଏହିପରି ନିଆରା ଉଦ୍ୟମ ଯୋଗୁଁ ସେ ଅଞ୍ଚଳରେ ଜନପ୍ରିୟ ପ୍ରଶାସକ ପାଲଟିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories