କୁଆଲାଲୁମ୍ପୁର: ମାଲେସିଆ ଗସ୍ତରେ ସିରିଜ୍ ହାତେଇବାରେ ସଫଳ ହୋଇଛି ଭାରତୀୟ ସିନିୟର ମହିଳା ହକି ଦଳ। ବୁଧବାର ୪ର୍ଥ ମ୍ୟାଚ୍ରେ ଘରୋଇ ମାଲେସିଆକୁ ୧-୦ ଗୋଲ୍ରେ ଭାରତ ପରାସ୍ତ କରିଛି। ଫଳରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୩-୦ରେ ଆଗୁଆରହି ଭାରତ ସିିିରିଜ୍ ଜିତିନେଇଛି। ଭାରତୀୟ ଦଳ ପ୍ରଥମ ୨ଟି ମ୍ୟାଚ୍କୁ ଏକତରଫା ଭାବେ ଜିତିବା ପରେ ୩ୟ ମ୍ୟାଚ୍ରେ ମାଲେସିଆ ଲଢ଼ୁଆ ପ୍ରଦର୍ଶନ କରିବାରୁ ମ୍ୟାଚ୍ ୪-୪ ଗୋଲ୍ରେ ଡ୍ର ରହିଥିଲା। ବୁଧବାର ୪ର୍ଥ ମ୍ୟାଚ୍ରେ ପ୍ରଥମ ୩ଟି କ୍ବାର୍ଟର ଗୋଲ୍ଶୂନ୍ୟ ରହିବା ପରେ ୫୫ ମିନିଟରେ ଭାରତର ଲାଲରେମ୍ସିଆମି ବିଜୟସୂଚକ ଏକମାତ୍ର ଗୋଲ୍ ସ୍କୋର୍ କରିଥିଲେ। ଗୁରୁବାର ଉଭୟ ଦଳଙ୍କ ମଧ୍ୟରେ ୫ମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ।
ଘରୋଇ ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଫଳରେ ଏହାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଭାରତୀୟ ଗୋଲ୍ରକ୍ଷକ ସବିତା ଏହାକୁ ବେକାର କରି ଦେଇଥିଲେ। ପରେପରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଏହା ମଧ୍ୟ ବେକାର ହୋଇଥିଲା। ପ୍ରଥମ ୩ଟି କ୍ବାର୍ଟରରେ ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ତେବେ ଉଭୟ ଦଳ ଏକାଧୁକ ସୁଯୋଗ ହାତଛଡ଼ା କରିବାରୁ ଗୋଲ୍ ଦେଖିବାକୁ ମିଳିନଥିଲା। ତେବେ ୫୫ ମିନିଟରେ ନବନୀତ କୌରଙ୍କ ଡିଫେନ୍ସଭେଦୀ କ୍ରସ୍ରୁ ଡାଇଭ୍ମାରି ଲାଲରେମ୍ସିଆମି ବଲ୍କୁ ଗୋଲ୍ ମଧ୍ୟକୁ ପଠାଇ ଦେଇଥିଲେ।



