MEllora 950×100

ଅଦିନିଆ ବର୍ଷାରେ ଲଡୁଗାଁ ବେହାଲ

ଲଡୁଗାଁ:କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ସ୍ଥିତି ସାମାନ୍ୟ ବର୍ଷାରେ ବେହାଲ ହୋଇ ପଡ଼ିଛି। ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ କେତେକ ସ୍ଥାନରେ ନିମ୍ନ ମାନର ରାସ୍ତା ଓ ଡ୍ରେନ କାର୍ଯ୍ୟ ହେଉଥିବାରୁ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ ନଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି।

ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି। କେଉଁଠି ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତାରେ ବର୍ଷା ପାଣି ଜମି ଲୋକଙ୍କ ଘର ଭିତରେ ପାଣି ପଶୁଛି ତ ଆଉ କେଉଁଠି ଡ୍ରେନ୍ କାଦୁଅ ମଇଳା ରାସ୍ତାରେ ବହିଯାଉଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କୋକସରା ବ୍ଲକ ଲଡୁଗାଁ ଶିଶୁ ମନ୍ଦିର ପଡା ସମେତ ୫ ନମ୍ବର ୱାର୍ଡ ଆମ୍ବେଦକର ପଡ଼ା ଠାରୁ ଆରମ୍ଭ କରି ନାଏକ ପଡ଼ା ଦେଇ ବନ୍ଧ ପଡ଼ା ୩ ୱାର୍ଡ଼ ପର୍ଯ୍ୟନ୍ତ। ରାସ୍ତାରେ ବର୍ଷା ପାଣି ଓ ଡ୍ରେନ୍ ମଇଳା କାଦୁଅ ଜମିରହୁଛି। ଏହି ରାସ୍ତା ଦେଇ ଦୈନିକ ବହୁ ଲୋକ ଯାତାୟାତ କରିବା ସହ ଛାତ୍ରୀଛାତ୍ର ସ୍କୁଲ ଓ କଲେଜକୁ ଯାଇଥାନ୍ତି। ତେବେ ବର୍ଷାପାଣି ଜମି ରହୁଥିବାରୁ ତାହା ପଚି ଦୁର୍ଗନ୍ଧ ହେବା ସହ ଗୋଡରେ ଲାଗି ନାନା ଚର୍ମରୋଗ ଦେଖାଦେଉଛି।

ସୂଚନାଯୋଗ୍ୟ ଯେ ଗତ ୨୦୧୮ ମସିହାରେ ଡେଙ୍ଗୁ ରୋଗ ଲଡୁଗାଁରେ ଏକ ମହାମାରୀର ରୂପ ନେଇଥିଲା। ପରିସ୍ଥିତି ଏମିତି ଥିଲା ଯେ ପ୍ରାୟ ମାସେ କାଳ ଡାକ୍ତରୀଦଳ ଘର ଘର ବୁଲି ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ। ସଂଗୃହୀତ ନମୁନା ମଧ୍ୟରୁ ପ୍ରାୟ ୨୦୦ ଲୋକଙ୍କଠାରେ ଡେଙ୍ଗୁ ପଜିଟିଭ ଥିବା ଜଣାପଡିଥିଲା। ତେବେ ଏ ନେଇ ଦେବରାଜ ନାଏକ ବିବେକୀ ନାଏକ, ମାଧବୀ ନାଏକ, ଥବିର ବଞ୍ଜରା ସମେତ ଗ୍ରାମବାସୀ ଆଗରୁ ମଧ୍ୟ ବର୍ଷା ଦିନରେ ସରପଞ୍ଚଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।

ହେଲେ କିଛି ସୁଫଳ ମିଳି ନଥିବା ଓ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଅଦିନିଆ ବର୍ଷାରେ ଯଦି ଏମିତି ତେବେ ବର୍ଷା ମାସରେ କେମିତି ପରିସ୍ଥିତି ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଡ୍ରେନେଜ ବ୍ୟବସ୍ଥା ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲେ ହେଁ କୌଣସି ସୁବ୍ୟବସ୍ଥା କରାଯାଇନାହିଁ। ଯାହାଫଳରେ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ପଞ୍ଚାୟତ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଲଡୁଗାଁ ସ୍ଥିତି ଏଭଳି ଦୟନୀୟ ହୋଇପଡିଥିବା ଅଭିଯୋଗ ହେଉଛି ।

ପଞ୍ଚାୟତକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ସରକାର ସ୍ବଚ୍ଛ ଭାରତ ଯୋଜନାରେ ଲକ୍ଷାଧିକ ଟଙ୍କା ଅନୁଦାନ ଦେଇଥାନ୍ତି ହେଲେ ଲଡୁଗାଁର ପରିମଳ ବ୍ୟବସ୍ଥାକୁ ଦେଖିଲେ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ କେବଳ ଯେ ଲୋକ ଦେଖାଣିଆ ତାହା ପ୍ରମାଣିତ କରିଛି। ଆଗାମୀ ଦିନରେ ଏଭଳି ମାରାତ୍ମକ ରୋଗ ନ ବ୍ୟାପେ ସେନେଇ ତୁରନ୍ତ ପଞ୍ଚାୟତ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments are closed.