ଉପାନ୍ତ ଅଞ୍ଚଳରେ ବିକାଶର ଗାଡ଼ି; ଖଲିଗଡ଼ ନୂତନ ଗୋଦାମ ଗୃହରେ ପିଡିଏସ୍ ବଣ୍ଟନ
ଲଡୁଗାଁ: କୋକସରା ବ୍ଲକରେ ଅନେକ ଉପାନ୍ତ ଅଞ୍ଚଳ ରହିଛି । ତନ୍ମଧ୍ୟରୁ ବ୍ଲକର ଡୁଡୁକାଠେଙ୍ଗା ପଞ୍ଚାୟତର ଖଲିଗଡ଼ ଅନ୍ୟତମ । ଦିନ ଥିଲା ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ ଓ ବିଦ୍ୟୁତ ସେବା ଭଳି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଥିଲା ଏହି ଗାଁ । ହେଲେ ଏବେ ଏହି ଉପାନ୍ତ ଅଞ୍ଚଳରେ ଗଡ଼ୁଛି ବିକାଶର ଗାଡି । ଏହା ସାଙ୍ଗକୁ ଯୋଡ଼ି ହେଉଛି ପଞ୍ଚାୟତର ବିକାଶୋନ୍ମୁଖୀ ଯୋଜନା । ବର୍ଷ ବର୍ଷ ଧରି ବିକାଶର ଧାରାଠାରୁ ଢେର ଦୂରରେ ରହୁଥିବା ଅଞ୍ଚଳବାସୀଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚିବା ଆରମ୍ଭ କରିଛି । ପୂର୍ବରୁ ଏହି ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିଲା । ସରକାରଙ୍କ ନାନା ବିକାଶମୂଳକ ଯୋଜନାରୁ ବଞ୍ଚିତ ହେଉଥିଲେ ଏହି ଉପାନ୍ତ ଅଞ୍ଚଳବାସୀ । ୧୯୯୪ ମସିହାରେ ମହିମା ପଞ୍ଚାୟତ ଅନ୍ତର୍ଭୁକ୍ତ ଥିବା ଏହି ଗାଁ ୨୦୦୨ରୁ ଡୁଡୁକାଠେଙ୍ଗା ପଞ୍ଚାୟତ ସହ ଯୋଡ଼ିହେଲା । ଏହାସହ ଯୋଡ଼ିହେଲା ଗ୍ରାମକୁ ରାସ୍ତା ସଂଯୋଗୀକରଣ ସହ ସ୍ବାସ୍ଥ୍ୟ ସେବା, ପାନୀୟଜଳ, ବିଦ୍ୟୁତ ସେବା । ଦିନେ ଡୁଡୁକାଠେଙ୍ଗା ପଞ୍ଚାୟତର ଉପାନ୍ତ ଖଲିଗଡ଼, ଜାନିପଡା, କଲୋନିପଡା, ଟେମରିଆପଡା, ନୂଆପଡା, ସିନ୍ଧିଭଟାପଡା ଗ୍ରାମର ପିଡ଼ିଏସ ହିତାଧିକାରୀମାନଙ୍କୁ ପିଡିଏସ ସାମଗ୍ରୀ ପାଇଁ ଜଙ୍ଗଲ ପାହାଡ଼ ଦେଇ ପ୍ରାୟ ୮ରୁ ୧୦ କିଲୋମିଟର ଯିବାକୁ ପଡୁଥିଲା । ତ୍ରିସ୍ତରୀୟ ନିର୍ବାଚନ ସମୟରେ ସରପଞ୍ଚ ହରିପ୍ରିୟା ନାଗଙ୍କୁ ଅଂଚଳବାସୀ ଖଲିଗଡ଼ରେ କିଭଳି ଚାଉଳ ଯୋଗାଇଦେବେ ସେ ନେଇ ଦାବି କରିଥିଲେ । ଯୋଗାଣ ବିଭାଗ ଓଡ଼ିଶା ସରକାର ପତ୍ର ସଂଖ୍ୟା ୯୯୪୮/ ୧୨.୫.୧୬ ଅନୁସାରେ ଗ୍ରାମ ପଞ୍ଚାୟତର ପିଡିଏସ୍ ସାମଗ୍ରୀ କାର୍ଯ୍ୟାଳୟଠାରୁ ତିନି ଓ ଚାରି କିଲୋମିଟର ବ୍ୟବଧାନରେ ରହିବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା vide UOR-୬୩୧/ସେମି – ୪/୫/୧୬ ଅନୁଯାୟୀ, ରାସନ କାର୍ଡଧାରୀଙ୍କ ସୁବିଧା ଦୃଷ୍ଟିରୁ ଉପକେନ୍ଦ୍ର କରାଯିବାର ବ୍ୟବସ୍ଥା ରହିଛି। ଏହାକୁ ଦୃଷ୍ଟିରେ ରଖି ୧ ବର୍ଷ ପରେ ସରପଞ୍ଚ ଉକ୍ତ ଦାବୀକୁ ହୃଦୟଙ୍ଗମ କରି ରାଜ୍ୟ ପଞ୍ଚମ ଅର୍ଥ କମିଶନ ପାଣ୍ଠିରୁ ଖଲିଗଡ଼ଠାରେ ଏକ ଗୋଦାମ ଗୃହ ନିର୍ମାଣ କରାଇଛନ୍ତି । ଯାହାକୁ ଜୁନ ୨୭ ତାରିଖରେ ପୂର୍ବତନ ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ ଉଦଘାଟନ କରିଥିବା ବେଳେ ରବିବାର ପ୍ରଥମ ଥର ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି ପିଡିଏସ ବଣ୍ଟନ ଶୁଭାରମ୍ଭ ଅବସରରେ ସରପଞ୍ଚ ହରିପ୍ରିୟା ନାଗଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଯୋଗଦେଇ ଉପାନ୍ତ ଅଞ୍ଚଳରେ ଗୋଦାମ ଗୃହ ନିର୍ମାଣ କରି ହିତାଧିକାରୀଙ୍କୁ ପିଡ଼ିଏସ ବଣ୍ଟନ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଏହି ଉଦ୍ୟମକୁ ପ୍ରସଂଶା କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଖଗେଶ୍ବର ପାଣିଗ୍ରାହୀ, ମଣିରାମ ବାଣୁଆ, କମଳ ନାଏକ, ଦେବିସିଂ ନାଗ, ବିରେନ୍ଦ୍ର କନ୍ଧ, ୱାର୍ଡ଼ମେମ୍ବର ବନୁ ମାଝୀ, ତ୍ରିନାଥ ପୁଝାରି, ପଦ୍ମନ ଚଳାନ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଥିଲେ। ଏହାକୁ ନେଇ ବନବାସୀ ହିତାଧିକାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି।
Comments are closed.