ଟିଭି ପରଦାର କୃଷ୍ଣ ଏବେ କରୁଛନ୍ତି କ’ଣ ?

0

ଯିଏ ଯେତେ ଭୂମିକାରେ ଅଭିନୟ କରିଥିଲେ ମଧ୍ୟ କୃଷ୍ଣ ଚରିତ୍ରରେ ଆସିଥିବା ଅଭିନେତାଙ୍କୁ ଦର୍ଶକ ଭୁଲିପାରନ୍ତି ନାହିଁ। ଭଗବାନ କୃଷ୍ଣଙ୍କ ମନଲୋଭା ବେଶରେ ଉକ୍ତ ଅଭିନେତାଙ୍କ ମୁହଁଟି ସେମାନଙ୍କ ମନରେ ଛାପ ହୋଇ ରହିଯାଏ। ସେହି ଅଭିନେତାମାନଙ୍କୁ ସେମାନେ ଈଶ୍ୱରଙ୍କ ଅବତାର ବୋଲି ବି ଗ୍ରହଣ କରିନେଇଥାନ୍ତି। ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ଧାରାବାହିକୀରେ କୃଷ୍ଣ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ରହିଥିବା ଅଭିନେତାମାନେ ଏବେ କ’ଣ କରୁଛନ୍ତି ଜାଣନ୍ତୁ-    ନୀତିଶ ଭରଦ୍ୱାଜ
ଅଭିନେତା, ନିର୍ମାତା-ନିର୍ଦେଶକ ଭାବେ ପରିଚିତ ନୀତିଶ ଭରଦ୍ୱାଜଙ୍କ କୃଷ୍ଣ ଭୂମିକା ଦର୍ଶକଙ୍କୁ ଏମିତି ପ୍ରଭାବିତ କରିଥିଲା ଯେ ଏବେ ବି ତାଙ୍କୁ ସାଧାରଣ ଦର୍ଶକ ଭଗବାନ କୃଷ୍ଣଙ୍କ ରୂପରେ ଦେଖିଥାନ୍ତି। ଟେଲିଭିଜନ୍‍ ପରଦାରେ ବିଆର୍‍ ଚୋପ୍ରାଙ୍କ ମହାଭାରତ ଧାରାବାହିକ ଘରେଘରେ ଲୋକପ୍ରିୟ ହୋଇଥିବା ବେଳେ ସେଥିରେ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ ନୀତିଶ ଭରଦ୍ୱାଜ।
ମହାଭାରତ ପରେ ବିଷ୍ଣୁ ପୁରାଣ, ରାମାୟଣ ଏବଂ ଆହୁରି ଏକାଧିକ ଧାର୍ମିକ ଧାରାବାହିକରେ ନୀତିଶ ଅଭିନୟ କରିସାରିଛନ୍ତି। ହିନ୍ଦୀ ଏବଂ ମରାଠୀ ସିନେମାରେ ଅଭିନୟ କରିବା ସହିତ ସେ ରାଜନୀତି କ୍ଷେତ୍ରକୁ ମଧ୍ୟ ଆସିଥିଲେ। ଏଠାରେ ବିଶେଷ ସଫଳ ହୋଇପାରିନଥିଲେ ବି ୧୯୯୬ରେ ଜାମଶେଦପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଏହା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉମା ଭାରତୀ ତାଙ୍କୁ ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ମଧ୍ୟପ୍ରଦେଶ ରାଜନୀତିରେ ବହୁ ଉତ୍‍ଥାନ-ପତନ ଦେଖି ଶେଷରେ ରାଜନୀତିରୁ ଓହରି ପୁଣି ଅଭିନୟକୁ ପ୍ରବେଶ କରିଥିଲେ ନୀତିଶ। ‘ମହେଞ୍ଜୋଦାରୋ’ରେ ହ୍ରିତିକ ରୋଶନଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ବାୟୋପିକ୍‍ ଏବଂ କମେଡି ଫିଲ୍ମ କରିବା ଲାଗି ମଧ୍ୟ ସେ ଆଗ୍ରହୀ। ପେସାରେ ପଶୁ ଚିକିତ୍ସକ ହୋଇଥିଲେ ବି ଏ କ୍ଷେତ୍ରରେ ତାଙ୍କର ମନ ଲାଗିନଥିଲା ଏବଂ ଅଭିନୟ ସହିତ ଜଡିତ ହୋଇ ୧୯୮୭ ମସିହାରୁ ଏଥିରେ ଲାଗିଛନ୍ତି। ୨୦୦୯ରେ ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍‍ ଅଧିକାରୀ ସ୍ମିତା ଗାଟେଙ୍କୁ ଦ୍ୱିତୀୟ ବିବାହ କରି ଏବେ ପରିବାର ସହ ଖୁସିରେ ଅଛନ୍ତି ନୀତିଶ।

ସର୍ବଦମନ ବାନାର୍ଜୀ
ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ଶ୍ରୀକୃଷ୍ଣ’ରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ସର୍ବଦମନ ଏବେ ଅଭିନୟ ଜଗତରେ ନାହାନ୍ତି। ଦୀର୍ଘଦିନ ହେବ କୌଣସି ଟିଭି ଶୋ’ରେ ଦେଖାଯାଇନାହାନ୍ତି ସେ। ସାଧାରଣ ଜୀବନ, ଗ୍ଲାମର ଦୁନିଆରୁ ସମ୍ପୂର୍ଣ୍ଣ ଦୂରେଇ ଛୋଟଛୋଟ ପିଲାଙ୍କର ସହାୟତା କରିବାରେ ସେ ଲାଗିଛନ୍ତି। ସେମାନଙ୍କୁ ଯୋଗ, ଧ୍ୟାନ ଶିଖାଉଛନ୍ତି। ନଦନଦୀ-ପାହାଡ ମଧ୍ୟରେ ପ୍ରକୃତି କୋଳରେ ଋଷିକେଶଠାରେ ରହୁଛନ୍ତି ସର୍ବଦମନ। ସେଠାରେ ଧ୍ୟାନକେନ୍ଦ୍ର ସହିତ ଏକ ଏନ୍‍ଜିଓ ‘ପଙ୍ଖ୍‍’ର ପରିଚାଳନା କରୁଛନ୍ତି। ଏଥିରେ ୨୦୦ ପିଲାଙ୍କ ପାଠପଢା ସହିତ ୫୦ଜଣ ମହିଳାଙ୍କୁ ଜୀବନଯାପନ ଦିଗରେ ପ୍ରଶିକ୍ଷଣ ଏବଂ ସହାୟତା ଯୋଗାଉଛନ୍ତି। ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିବା ପରେ ତାଙ୍କୁ ଲୋକେ ଯେଉଁଁଠି ଦେଖୁଥିଲେ, ସେଠି ପୂଜା କରିବା ଆରମ୍ଭ କରିଦେଉଥିଲେ। ବହୁବାର ତାଙ୍କୁ ନିଜ ଭକ୍ତ ରୂପୀ ପ୍ରଶଂସକମାନଙ୍କ ମେଳରୁ ଲୁଚି ପଳାଇ ଆସିବାକୁ ହେଉଥିଲା। ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆଦି ଶଙ୍କରାଚାର୍ଯ୍ୟ’ରେ ମୁଖ୍ୟ ଭୂମିକାରେ ସେ ଅଭିନୟ କରିଥିଲେ। ଏହା ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା। ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ସର୍ବଦମନ ପୁନେ ଫିଲ୍ମ ଇନ୍‍ଷ୍ଟିଚ୍ୟୁଟରୁ ସ୍ନାତକ ହାସଲ କରିବା ସହ ହିନ୍ଦୀ, ସଂସ୍କୃତ ଏବଂ ତେଲୁଗୁ ଭାଷାରେ ଏକାଧିକ ସିନେମାରେ ଅଭିନୟ କରିଛନ୍ତି।

ସ୍ୱପ୍ନିଲ ଜୋଷୀ
ରାମାନନ୍ଦ ସାଗରଙ୍କ ଧାରାବାହିକ ‘ଶ୍ରୀକୃଷ୍ଣ’ରେ କିଶୋର କୃଷ୍ଣଙ୍କ ଚରିତ୍ରରେ ଅଭିନୟ କରି ରାତାରାତି ତାରକା ପାଲଟିଯାଇଥିଲେ ସ୍ୱପ୍ନିଲ। ସେତେବେଳେ ତାଙ୍କୁ ମାତ୍ର ୧୬ବର୍ଷ ବୟସ ହୋଇଥିଲା। ଏହି ଶୋ’ରୁ ସ୍ୱପ୍ନିଲଙ୍କ ଲୋକପ୍ରିୟତା ଏପରି ବଢିଗଲା ଯେ ଲୋକେ ତାଙ୍କୁ ଈଶ୍ୱର ମନେକରି ତାଙ୍କ ପାଦ ଛୁଇଁବାକୁ ଚାଲିଆସୁଥିଲେ। ତାଙ୍କ ପାଖକୁ ସେମାନେ ଏପରି ଭକ୍ତିଭାବରେ ଆସୁଥିଲେ ଯେ ସେ ଈଶ୍ୱର ଏବଂ ଭକ୍ତଙ୍କ ମଧ୍ୟରେ ଯେପରି ଏକ ମାଧ୍ୟମ ପାଲଟି ଯାଇଥିଲେ। ଥରେ କଲେଜରେ ପ୍ରଥମ ବର୍ଷର ଛାତ୍ର ଥିବା ବେଳେ ହଠାତ୍‍ ଜଣେ ପ୍ରଶଂସକ ତାଙ୍କ ପାଖକୁ ଆସି ପାଦ ଛୁଇଁ କାନ୍ଦିବାରେ ଲାଗିଲେ। ସ୍ୱପ୍ନିଲ ତାଙ୍କୁ ବୁଝାଶୁଝା କରି କ’ଣ ହୋଇଛି ବୋଲି ପଚାରିବାରୁ ସେ କହିଥିଲେ ଯେ ସେ ଖୁବ୍‍ ଧୂମପାନ କରୁଥିଲେ। ଏବେ କିନ୍ତୁ ଭଗବାନଙ୍କ ଭୟରେ ଏହି ବଦଭ୍ୟାସ ଛାଡିଦେଇଛନ୍ତି। ଧୂମପାନ କରିବାକୁ ଯିବା ମାତ୍ରେ ଭଗବାନଙ୍କ ସତ୍ତା ଭାବେ ସ୍ୱପ୍ନିଲଙ୍କ କୃଷ୍ଣରୂପ ତାଙ୍କୁ ଦେଖାଯାଉଥିଲା ବୋଲି ଉକ୍ତ ପ୍ରଶଂସକ କହିଥିଲେ। ମାତ୍ର ୯ବର୍ଷ ବୟସରେ ‘ଉତ୍ତର ରାମାୟଣ’ରେ କୁଶ ଭୂମିକାରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ସ୍ୱପ୍ନିଲ। ତେବେ ‘ଶ୍ରୀକୃଷ୍ଣ’ ଧାରାବାହିକରୁ ଯଶ, ଖ୍ୟାତି ଏବଂ ଅର୍ଥ ପାଇଥିଲେ। ଯେତେ ଶୋ’ କଲେ ମଧ୍ୟ ‘ଶ୍ରୀକୃଷ୍ଣ’ ତାଙ୍କ ଜୀବନରେ ସ୍ୱତନ୍ତ୍ର ହୋଇ ରହିବ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ଭଲ ସମୟ ଥିଲା ବୋଲି ସ୍ୱପ୍ନିଲ କହନ୍ତି। ଦୁଇଥର ଦୁଇଜଣ ଦନ୍ତ ଚିକିତ୍ସକଙ୍କୁ ବିବାହ କରିଥିବା ସ୍ୱପ୍ନିଲ ଏବେ ଦ୍ୱିତୀୟ ପତ୍ନୀ ଏବଂ ଛୋଟ ଝିଅ ସହିତ ବେଶ୍‍ ଖୁସିରେ ଅଛନ୍ତି। ମରାଠୀ ସିନେମାରେ ବି ତାଙ୍କ ଅଭିନୟ ଜାରି ରହିଛି। ଏଇ ମାସରେ ତାଙ୍କ ଅଭିନୀତ ମୁମ୍ବଇ-ପୁନେ-ମୁମ୍ବଇ-୩ ମୁକ୍ତିଲାଭ କରିବାର ଅଛି।

ସୌରଭ ପାଣ୍ଡେ
୨୦୧୫ରେ ‘ସୂର୍ଯ୍ୟପୁତ୍ର କର୍ଣ୍ଣ’ ଧାରାବାହିକରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିବା ସୌରଭଙ୍କୁ ଘରେଘରେ ପରିଚିତ କରାଇଥିଲା। ୨୦୦୭ରୁ ‘ଜିୟା ଜଲେ’ରେ ଅଭିନୟ କରି ସୌରଭ ନିଜ ଟିଭି କ୍ୟାରିୟର ଆରମ୍ଭ କରିଥିଲେ ବି କୃଷ୍ଣ ଭୂମିକା ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟତା ଦେଇଛି। ଗତ ନଭେମ୍ବର ୨୮ ତାରିଖରେ ନିଜ ଦୀର୍ଘଦିନର ବାନ୍ଧବୀ ଜାରା ସୋନିଙ୍କୁ ବିବାହ କରିଛନ୍ତି ସେ। ୨୦୧୦ ମସିହା ତାଙ୍କ ପାଇଁ ଖୁବ୍‍ କଷ୍ଟକର ବର୍ଷ ଥିଲା। ସେହି ବର୍ଷ ‘ତେରେ ମେରେ ସପ୍‍ନେ’ ଟିଭି ଶୋ’ରେ ଅଭିନୟ କରୁଥିବା ବେଳେ ସେ ଡ୍ରଗ୍ସ କବଳରେ ପଡିଯାଇଥିଲେ। ପ୍ରାୟ ବର୍ଷେ କାଳ ଏପରି ଅବସ୍ଥା ଭୋଗିବା ପରେ ଶେଷରେ ନିଜ ଅନ୍ତରାତ୍ମାର ଆହ୍ୱାନ ଏବଂ ପିତାମାତାଙ୍କ ପ୍ରଚେଷ୍ଟା ବଳରେ ସେ ଏଥିରୁ ମୁକୁଳିଲେ। ଆଉ କେବେ ଡ୍ରଗ୍ସ ପାଖ ମାଡିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ସୌରଭ। ସବୁବେଳେ ସରଳ ଜୀବନଯାପନକୁ ସେ ପସନ୍ଦ କରିଆସିଛନ୍ତି।

 

ସୌରଭ ରାଜ୍‌ ଜୈନ
ସ୍ୱସ୍ତିକ ପ୍ରଡକ୍‍ସନ୍ସର ‘ମହାଭାରତ’ରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ ସୌରଭ। ଏହା ପୂର୍ବରୁ ଏବଂ ପରେ ସେ ଏକାଧିକ ଧାରାବାହିକରେ ଅଭିନୟ କରିଥିଲେ ମଧ୍ୟ କୃଷ୍ଣ ରୂପରେ ସର୍ବାଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ମଧ୍ୟବିତ୍ତ ପରିବାରରୁ ଆସିଥିବା ସୌରଭଙ୍କ ପାଇଁ ମୁମ୍ବଇରେ ତିଷ୍ଠିବା ସହଜ ନଥିଲା। ପିତାମାତାଙ୍କ ଅନିଚ୍ଛା ସତ୍ତ୍ବେ ମାତ୍ର ୫ହଜାର ଟଙ୍କା ଧରି ସେ ମୁମ୍ବଇ ଚାଲିଆସିଥିଲେ। ଦିନରେ ପାଠ ପଢିବା ସହିତ ରାତିରେ କଲ୍‍ ସେଣ୍ଟରରେ ଚାକିରି କରୁଥିଲେ ସେ। ବିସିଏ ପାଠପଢା ଶେଷ ହେବା ସହିତ ବାଲାଜୀ ଟେଲିଫିଲ୍ମସର ‘କସମ୍‍ ସେ’ ଧାରାବାହିକରେ ତାଙ୍କୁ ଅଭିନୟ ସୁଯୋଗ ମିଳିଥିଲା ଏବଂ ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। କାମ ତାଙ୍କ ପାଇଁ ପୂଜା ପାଲଟିଯାଇଛି। ମହାଦେବ ଓ ମହାଭାରତ ଧାରାବାହିକ ପାଇଁ ସେ ଉଭୟ ସିଫ୍ଟରେ କାମ କରୁଥିଲେ। ଏବେ ଅଭିନୟ କ୍ଷେତ୍ରରେ ଏକ ପରିଚିତ ନାମ ଏବଂ ନବାଗତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି ସୌରଭ। ଗତ ଅଗଷ୍ଟ ୨୧ତାରିଖରେ ତାଙ୍କ ପତ୍ନୀ ରିଦ୍ଧିମା ଯାଆଁଳା ସନ୍ତାନ ଭାବେ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଜନ୍ମ ଦେଇଥିଲେ। ଏବେ ଦୁହିଁଙ୍କର ପ୍ରଥମ ଜନ୍ମଦିନରେ ସୌରଭ ଝିଅ ଋଷିକା ଏବଂ ପୁଅ ଋଷଭଙ୍କ ଫଟୋ ଇନ୍‍ଷ୍ଟାଗ୍ରାମରେ ସେୟାର କରିଛନ୍ତି।

 

Leave A Reply