ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲାରେ ଶୀତର ମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନଥିବାରୁ ଥଣ୍ଡା ବୃଦ୍ଧି ପାଇବ ବୋଲି କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଅଧିକାଂଶ ଜିଲାରେ ସର୍ବନିମ୍ନ ତାପମାତ୍ରା ୧୯ରୁ ୨୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରହିଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇ ଥିବାବେଳେ ଦାରିଙ୍ଗିବାଡ଼ିରେ ୧୮, ଫୁଲବାଣୀରେ ୧୮.୫, ଝାରସୁଗୁଡ଼ା, ଭଦ୍ରକ ଓ ଅନୁଗୁଳରେ ୧୯, କେନ୍ଦୁଝରରେ ୨୦, ପାରଳାଖେମୁଣ୍ଡି, କେନ୍ଦ୍ରାପଡ଼ା ଯାଜପୁର ଓ ରାଉରକେଲାରେ ୨୧ ଡିଗ୍ରୀ ରେକର୍ଡ କରାଯାଇଛି। ପାଗ ଶୁଖିଲା ଥିବାରୁ ଆଉ କିଛି ଦିନ ମଧ୍ୟରେ ପାରଦ ଆହୁରି ତଳକୁ ଆସିବା ସଙ୍କେତ ମିଳିଛି।



