ମାଣିଆବନ୍ଧ/ବଡ଼ମ୍ବା: ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡ଼ିପଡା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମାମୁଘରକୁ ବୁଲିବାକୁ ଆସି ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ନିଷ୍ପାପ ଶିଶୁଙ୍କ ଜୀବନ। ଘଟଣାରୁ ପ୍ରକାଶ; ରଗଡ଼ିପଡ଼ାର ସୁଦେଇ ନାଏକ ଓ ଲକ୍ଷ୍ମୀଧର ନାଏକଙ୍କ ଦୁଇ ଝିଅ ଓ ତିନି ନାତି ନାତୁଣୀ ମାମୁଁଘରକୁ ବୁଲିବାକୁ ଆସିଥିଲେ। ବଡ଼ବାରେଣା ଗ୍ରାମର ଅନୁଜ ନାୟକଙ୍କ ସ୍ତ୍ରୀଙ୍କ ସହିତ ଝିଅ ଶିବାନୀ ଓ ପୁଅ ଅଙ୍କିତ ଏବଂ ଇଚ୍ଛାପୁର ଗ୍ରାମର ସୁଶାନ୍ତ ନାୟକଙ୍କ ସ୍ତ୍ରୀଙ୍କ ସହିତ ପୁଅ ଶୁଭମ ରଗଡ଼ିପଡା ଗ୍ରାମ ତଅଳାସାହିସ୍ଥିତ ମାମୁଁଘରକୁ ବୁଲି ଆସିଥିଲେ। ସୋମବାର ମାମୁଘର ପରିବାର ଲୋକଙ୍କ ସହିତ ସେମାନଙ୍କ ମା’ମାନେ ଅନ୍ୟ କାମରେ ବ୍ୟସ୍ତ ଥିବାବେଳେ ୩ ଶିଶୁ ପଡ଼ୋଶୀଙ୍କ ବାଡିରେ ଥିବା ପାଇଖାନା ଟାଙ୍କି ଉପରେ ଖେଳୁଥିଲେ।
ପାଇଖାନା ଟାଙ୍କି ଘୋଡ଼ଣି ଦୁର୍ବଳ ଥିବାରୁ ତାହା ଭାଙ୍ଗିଯିବାରୁ ସେଥିରେ ୩ ନାବାଳକ ଶିଶୁ ପଡ଼ି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ବହୁ ସମୟ ଧରି ପିଲାଙ୍କ ପାଟି ନଶୁଭିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳି ନଥିଲା। ଲକ୍ଷ୍ମୀଧର ନାଏକ ଉକ୍ତ ଟାଙ୍କି ନିକଟକୁ ଯାଇ ଭଙ୍ଗା ଢାଙ୍କୁଣି ଦେଖି ସନ୍ଦେହ କରି ଟାଙ୍କି ଭିତରେ ପଶି ତିନି ଶିଶୁଙ୍କୁ ପ୍ରାୟ ମଧ୍ୟାହ୍ନ ୧୨ଟାରେ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ବଡ଼ମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ପରିସ୍ଥିତିରେ ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇଯାଇଥିଲା। ମୃତକ ହେଉଛନ୍ତି ଶୁଭମ ନାୟକ(୩), ଶିବାନୀ ନାୟକ(୭), ଅଙ୍କିତ ନାୟକ(୯)। ବଡ଼ମ୍ବା ପୁଲିସ ପହଞ୍ଚି ୩ଟି ଅପମୃତ୍ୟୁ ମାମଲା ରୁଜୁ କରି ବଡ଼ମ୍ବା ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଛି। ଜିଲା ରେଡ଼କ୍ରସ ସହାୟତା ପାଣ୍ଠି ପକ୍ଷରୁ ସମସ୍ତ ମୃତକଙ୍କ ପରିବାରଙ୍କୁ ୨୦ ହଜାର ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।



