ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କୋଣାର୍କକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଠ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ପର୍ଯ୍ୟଟକଙ୍କ ରହିବା ପାଇଁ ମଧ୍ୟ ମନୋରମ ବ୍ୟବସ୍ଥା କରାଯିବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୋଣାର୍କରେ ରାତ୍ରୀଯାପନ ଓ ରହଣୀ ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିପାଇଁ ଏକମାସ ବ୍ୟାପି ସ୍ବତନ୍ତ୍ର ସାଂସ୍କୃତିକ ଉତ୍ସବ ଆୟୋଜିତ ହେବ। ଡିସେମ୍ବର ମାସରେ ହେବାକୁ ଥିବା କୋଣାର୍କ ମହୋତ୍ସବ ସହ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟ ଲୋକସେବା ଭବନ ଠାରେ ଅନୁଷ୍ଠିତ ବୈଠକରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ ଦେବ କହିଥିଲେ ଯେ ଗୁଜୁରାଟର କଚ୍ଛରେ ହେଉଥିବା ରଣ ଉତ୍ସବ ଶୈଳୀରେ କୋଣାର୍କ ଉତ୍ସବ ପାଳିତ ହେବ। କୋଣାର୍କରେ ରାତ୍ରୀ ଯାପନ ପାଇଁ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯିବ। ପ୍ରାୟ ୫୦ ଏକର ଜାଗାରେ ୫୦ଟି ଟେଣ୍ଟ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯିବ। ଏଠାରେ ସାଂସ୍କୃତିକ ଉତ୍ସବ, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ, ଓଡ଼ିଶାର କଳାକୃତି, ହସ୍ତଶିଳ୍ପ, ଫୁଡ୍କୋର୍ଟ, ସମୁଦ୍ର ବୋଟିଂ, ବେଳାଭୂମୀ ମେଳା ଆଦି ଆୟୋଜନ କରାଯିବ। ଏପରି କାର୍ଯ୍ୟକ୍ରମ ଦ୍ବାରା କୋଣାର୍କକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆକୃଷ୍ଠ ହେବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବୈଠକରେ ସାଧାରଣ ପ୍ରଶାସନ ବିଭାଗ ଶାସନ ସଚିବ ସଞ୍ଜିବ ଚୋପ୍ରା, ସେସୁର ମୁଖ୍ୟ ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



