ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାରେ ୧ନଂ ହେବା ଲକ୍ଷ୍ୟରେ କୋହଲି

0

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍। ଏହି ସିରିଜ୍‍ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଥିବା ବେଳେ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ବର୍ତ୍ତମାନ ୯୨୯ ପଏଣ୍ଟ ସହ ୧ନଂରେ ରହିଥିବା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୯୦୩ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଇଂଲଣ୍ଡର ଜୋ ରୁଟ୍‍ ୮୫୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଷ୍ଟିଭେନ୍‍ ସ୍ମିଥ୍‍ ବଲ୍‍ ଟାମ୍ପରିଂ ମାମଲାରେ କ୍ରିକେଟ୍‍ରୁ ୧୨ ମାସ ବାସନ୍ଦ ହୋଇଥିବାରୁ ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିବାକୁ କୋହଲିଙ୍କ ନିକଟରେ ସୁଯୋଗ ରହିଛି। ବୋଲର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ୩ୟ ସ୍ଥାନରେ ରହିଥିବା ବେଳେ ରବିଚନ୍ଦ୍ରନ୍‍ ଅଶ୍ୱିନ୍‍ ୫ମ ସ୍ଥାନରେ ରହିଛନ୍ତି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‍ରେ ଯଦି କୋହଲି ଭଲ ପ୍ରଦର୍ଶନ କରନ୍ତି ତେବେ ନିଶ୍ଚିତ ଭାବେ ବ୍ୟାଟିଂ ମାନ୍ୟତାର ୧ନଂ ସ୍ଥାନ ହାସଲ କରିବେ, ଏଥିରେ ସନ୍ଦେହ ନାହିଁ। ଭାରତୀୟ ଦଳର ବ୍ୟାଟସମ୍ୟାନ୍‍ ଚେତେଶ୍ୱର ପୂଜାରା ୭୯୯ ପଏଣ୍ଟ ସହ ୬ଷ୍ଠ, ଲୋକେଶ ରାହୁଲ ୬୬୧ ପଏଣ୍ଟ ସହ ୧୮ତମ ଓ ଅଜିଙ୍କ୍ୟ ରାହାଣେ ୬୪୫ ପଏଣ୍ଟ ସହ ୧୯ତମ ସ୍ଥାନରେ ରହିଛନ୍ତି।
ଦଳଗତ ମାନ୍ୟତାକୁ ଦୃଷ୍ଟି ଦେଲେ ଭାରତ ୧୨୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୯୭ ପଏଣ୍ଟ ସହ ଇଂଲଣ୍ଡ ୫ମ ସ୍ଥାନରେ ରହିଛି। ଭାରତୀୟ ଦଳ ଟେଷ୍ଟ ସିରିଜ୍‍ରେ ବିଜୟୀ ହୋଇ ନିଜ ସ୍ଥାନ ଆହୁରି ମଜବୁତ୍‍ କରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବ। ଅନ୍ୟପକ୍ଷରେ ଘରୋଇ ମାଟିରେ ଇଂଲଣ୍ଡ ଦଳ ଭଲ ପ୍ରଦର୍ଶନ କରି ନିଜ ସ୍ଥିତି ସୁଧାରିବାକୁ ଚାହିଁବ, ଏଥିରେ ସନ୍ଦେହ ନାହିଁ।

Leave A Reply