Patra electronics

ଚାକିରି ପାଇଁ ଡାକି କାଢିନେଲେ କିଡ୍‌ନୀ, ଭାରତ ଆସି ଫସିଗଲେ ୩ ବାଂଲାଦେଶୀ

ସମାଜ ଡିଜିଟାଲ ଡେସ୍କ: ଆଜକୁ ପ୍ରାୟ ପ୍ରାୟ ୨୦ ବର୍ଷ ପୂର୍ବେ ‘ରନ୍’ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଗଣେଶ ନାମକ ଜଣେ ବ୍ୟକ୍ତି ଚାକିରି ସନ୍ଧାନରେ ଦିଲ୍ଲୀ ଆସିଥିଲେ, ଯେଉଁଠାରେ ସେ କିଡ୍‌ନୀ ପ୍ରତିରୋପଣ ରାକେଟ୍ ଚଳାଉଥିବା ଲୋକଙ୍କ ଜାଲରେ ଫସି ଯାଇଥିଲେ। ନିକଟରେ ପୁଲିସର ଏକ ଚାର୍ଜସିଟରେ ଏଭଳି ଏକ ଷଡଯନ୍ତ୍ର ଉପରୁ ପରଦା ଉଠିଛି। କିଡନୀ ଟ୍ରାନ୍ସପ୍ଲାଣ୍ଟ ସିଣ୍ଡିକେଟ୍ ଏକ ଉତ୍ତମ ଜୀବନ ସନ୍ଧାନରେ ଥିବା ହତାଶ ଲୋକଙ୍କୁ ଶିକାର କରୁଥିଲା। ଚାକିରୀ ପ୍ରଲୋଭନ ଦେଖାଇ ଏହି ଗ୍ୟାଙ୍ଗ ସେହି ଲୋକମାନଙ୍କୁ ଶରୀରରେ ଏକ ଅଲିଭା ଦାଗ ଏବଂ ଏକ ଭୟଙ୍କର ଭବିଷ୍ୟତ ସହ ଛାଡ଼ି ଦେଉଥିଲା।

କିଡ୍‌ନୀ ଚୋରାଚାଲାଣକାରୀ ଗ୍ୟାଙ୍ଗର ଶିକାର ହେଲେ ୩ ବାଂଲାଦେଶୀ: 

ଏକ ଜାତୀୟ ଗଣମାଧ୍ୟମ ଖବର ମୁତାବକ, ତିନି ଜଣ ବାଂଲାଦେଶୀ ନାଗରିକ ଭାରତରେ ସକ୍ରିୟ କିଡ୍‌ନୀ ଚୋରା ଚାଲାଣକାରୀ ଗ୍ୟାଙ୍ଗର ଶିକାର ହେବାର ଯନ୍ତ୍ରଣାଦାୟକ ତଏବଂ ଭୟାନକ ଘଟଣାର ଖୁଲାସା କରିଛନ୍ତି। ଅପରାଧିକ ପ୍ରକ୍ରିୟା ସଂହିତାର ଧାରା ୧୬୪ ଅଧୀନରେ ରେକର୍ଡ କରାଯାଇଥିବା ବୟାନରୁ ଏକ ଭୟଙ୍କର ଯୋଜନାର ପର୍ଦ୍ଦାଫାଶ ହୋଇଛି। ଏହା ମୁତାବକ, ରୋଜଗାର ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ଏମାନଙ୍କୁ ଭାରତ ଡକାଯାଇଥିଲା। ଡାକ୍ତରୀ ପରୀକ୍ଷା କରିବା ବାହାନାରେ ସେମାନଙ୍କ କିଡ୍‌ନୀ ବାହାର କରି ନିଆଯାଇଥିଲା। ଚେତାଶୂନ୍ୟ ଏବଂ ଅସହାୟ ଲୋକମାନଙ୍କର ପ୍ରାୟ ୪୮ ଘଣ୍ଟା ପରେ ଚେତା ଫେରିଥିଲା। ତା’ପରେ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ କିଡନୀ ବାହାର କରିନିଆଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଗ୍ୟାଙ୍ଗ କ୍ଷତିପୂରଣ ବାବଦରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୪ ଲକ୍ଷ ଟଙ୍କାର ଅର୍ଥରାଶି ଜମା କରି ଫେରାର ମାରିଥିଲେ।

ରୋଜଗାର ନାଁରେ ନେଇଗଲେ କିଡ୍‌ନୀ:

ସୂଚନା ଅନୁସାରେ, କିଡ୍‌ନୀ ଚୋରା ଚାଲାଣକାରୀଙ୍କ କବଳରୁ ଉଦ୍ଧାର ହୋଇଥିବା ଜଣେ ୩୦ ବର୍ଷିୟ ବାଂଲାଦେଶୀ ଯୁବକ କହିଛନ୍ତି ଯେ, ସେ ତାଙ୍କ କିଡ୍‌ନୀ ହରାଇଛନ୍ତି। ତାଙ୍କ ମାଆ, ଭଉଣୀ ଏବଂ ପତ୍ନୀ ବାଂଲାଦେଶରେ ରୁହନ୍ତି। ତାଙ୍କର ଜଣେ ପରିଚିତ ବ୍ୟକ୍ତି ତାଙ୍କୁ ଭାରତରେ ଚାକିରୀ ଖୋଜିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଗୋଟିଏ ଘଟଣା ତାଙ୍କ ସମଗ୍ର ଜୀବନକୁ ବଦଳାଇ ଦେଇଥିଲା।

ଖବର ମୁତାବକ, ଅଗ୍ନିକାଣ୍ଡରେ ତାଙ୍କ ପୋଷାକ ବ୍ୟବସାୟ ନଷ୍ଟ ହୋଇଯାଇଥିଲା। ଏହାପରେ ସେ ଏକ ଏନଜିଓରୁ ୮ ଲକ୍ଷ ଟଙ୍କା ଋଣ ନେଇଥିଲେ। ସେ ୩ ଲକ୍ଷ ଟଙ୍କା ପରିଶୋଧ କରିଥିଲେ କିନ୍ତୁ ଅବଶିଷ୍ଟ ଋଣ ପରିଶୋଧ କରିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା, ତେଣୁ ଏହାକୁ ନେଇ ସେ ବହୁତ ଚିନ୍ତିତ ଏବଂ ଚାପଗ୍ରସ୍ତ ଥିଲେ। ତାଙ୍କର ଜଣେ ବନ୍ଧୁ ତାଙ୍କୁ ଭାରତ ଯିବାକୁ ପରାମର୍ଶ ଦେଇଥିଲେ। ସେଠାରେ ଭଲ ଚାକିରିର ସୁଯୋଗ ଅଛି। ତାଙ୍କୁ କେବଳ ପାସପୋର୍ଟ ଏବଂ ମେଡିକାଲ ଭିସା ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଜୁନ୍ ୧ରେ ଭାରତରେ ପହଞ୍ଚିବା ପରେ ତାଙ୍କୁ କୁହାଯାଇଥିଲା ଯେ କିଛି ଚାକିରି ନାହିଁ। ସେମାନେ ଟଙ୍କା ବଦଳରେ ତାଙ୍କୁ କିଡନୀ ଦେବାକୁ ଚାପ ପକାଇଥିଲେ, କିନ୍ତୁ ସେ ମନା କରିଦେଲେ। କିନ୍ତୁ ସେମାନେ ତାଙ୍କ ପାସପୋର୍ଟ ଏବଂ ଭିସା ବନ୍ଦ କରି ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ କଥା ନ ମାନିବେ ତେବେ ତାଙ୍କୁ ଭାରତରୁ ଫେରିବାକୁ ଦିଆଯିବ ନାହିଁ।

ଡାକ୍ତରୀ ପରୀକ୍ଷା ନାଁରେ ଚେତାଶୂନ୍ୟ କରି କାଢିନେଲେ କିଡ୍‌ନୀ:

ସେହିପରି ଦ୍ୱିତୀୟ ପୀଡ଼ିତ ଜଣେ ୩୫ ବର୍ଷିୟ ଯୁବକଙ୍କୁ ତସ୍କିନ୍ ନାମକ ଜଣେ ବାଂଲାଦେଶୀ ବ୍ୟକ୍ତି ଚାକିରି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଚାକିରି ଦେବା ନାଁରେ ଫେବୃଆରୀ ୨ରେ ତାଙ୍କୁ ଭାରତ ଡକାଯାଇଥିଲା। ବିମାନବନ୍ଦରରେ ପହଞ୍ଚିବା ପରେ ରସେଲ ଏବଂ ମହମ୍ମଦ ରୋକନ ନାମକ ବ୍ୟକ୍ତି ତାଙ୍କୁ ଜାସୋଲାର ହୋଟେଲ ରାମପାଲକୁ ନେଇଥିଲେ। ଏକ ଡାକ୍ତରଖାନାରେ ଚାକିରି ଦେବାର ପ୍ରତିଶୃତି ଦେଇ ଭାରତୀୟ ନିୟମ ଅନୁଯାୟୀ ତାଙ୍କର ଡାକ୍ତରୀ ପରୀକ୍ଷା କରିବାକୁ କୁହାଯାଇଥିଲା। ପୀଡ଼ିତଙ୍କ କହିବାନୁଯାୟୀ, ତାଙ୍କର ୧୫-୨୦ ପ୍ରକାର ପରୀକ୍ଷା କରାଯାଇଥିଲା। ଏପ୍ରିଲ ୨ରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏପ୍ରିଲ ୩ରେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇ ଚେତାଶୂନ୍ୟ କରାଯାଇଥିଲା। ଏପ୍ରିଲ ୫ରେ ତାଙ୍କ ଚେତା ଫେରିବା ପରେ ସେ ଦେଖିବାକୁ ପାଇଥିଲେ ଯେ, ତାଙ୍କ ପେଟରେ ଏକ ଦାଗ ଓ ସିଲେଇ ହୋଇଛି। ଏପ୍ରିଲ ୬ରେ ରସେଲ ଏବଂ ତାଙ୍କ ସହଯୋଗୀ ତାଙ୍କୁ ଜାସୋଲାର ହୋଟେଲକୁ ପଠାଇ ଦେଇଥିଲେ। ରସେଲ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ନେଇ ସେଥିରେ ୪ ଲକ୍ଷ ଟଙ୍କା ଜମା କରିଥିଲେ, କିନ୍ତୁ ତାଙ୍କ ପାସପୋର୍ଟ ନେଇ ଯାଇଥିଲେ। ସେତେବେଳକୁ ତାଙ୍କ ଭିସା ଶେଷ ହୋଇଯାଇଥିଲା। ରସେଲ ତାଙ୍କୁ କହିଥିଲେ ଯେ, ଏବେ ଚାକିରି ମିଳିବ ନାହିଁ, ସେ ବାଂଲାଦେଶକୁ ଫେରିଯାଆନ୍ତୁ।

ତୃତୀୟ ବାଂଲାଦେଶୀଙ୍କର ବି ଯନ୍ତ୍ରଣାଦାୟକ କାହାଣୀ: 

ତୃତୀୟ ପୀଡ଼ିତ ବାଂଲାଦେଶୀ କହିଛନ୍ତି ଯେ, ତାଙ୍କୁ ମଧ୍ୟ ସମାନ ଢଙ୍ଗରେ ଠକାଯାଇଛି। ଅରୋନ୍ନୋ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ଫେସବୁକରେ ଯୋଗାଯୋଗ କରି ତାଙ୍କୁ ଭାରତରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କୁ ଡାକ୍ତରୀ ପରୀକ୍ଷା କରିବାକୁ କୁହାଯାଇଥିଲା। ଛଅ ଦିନରେ ତାଙ୍କଠାରୁ ୪୯ ଟ୍ୟୁବ୍ ରକ୍ତ ନିଆଯାଇଥିଲା। ତାଙ୍କ କହିବା ମୁତାବକ, ତାଙ୍କୁ ଏପରି କିଛି ଦିଆଯାଇଥିଲା ଯଦ୍ଵାରା ସେ ଦୁର୍ବଳ ଅନୁଭବ କରିଥିଲେ ଓ ଚେତାଶୂନ୍ୟ ହୋଇଯାଇଥିଲେ। ଚେତା ଫେରିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ କିଡ୍‌ନୀ କାଢିନିଆଯାଇଛି। ତାଙ୍କୁ କୁହାଯାଇଥିଲା ଯେ, ଗୋଟିଏ କିଡ୍‌ନୀରେ ମଧ୍ୟ ସେ ବିନା କୌଣସି ଅସୁବିଧାରେ ବଞ୍ଚିପାରିବେ। କିଡ୍‌ନୀ ବଦଳରେ ତାଙ୍କୁ ୪.୫ ଲକ୍ଷ ଟଙ୍କା ଦିଆଯାଇଥିଲା।

ଏହି ତିନିଜଣ ସେମାନଙ୍କ ଯନ୍ତ୍ରଣାଦାୟକ କାହାଣୀ ସହ ବାଂଲାଦେଶ ଫେରି ଯାଇଛନ୍ତି। ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଖୁବଶୀଘ୍ର ମାମଲା ଆରମ୍ଭ ହେବ।

 

Comments are closed.