Patra electronics

ସର୍ଭିସ ରୋଡ଼ ସହ ଚାରିଥାକିଆ ହେବ ଖୋର୍ଦ୍ଧା-ନୟାଗଡ଼, କେସିଙ୍ଗା-ଜୁନାଗଡ଼ ସଡ଼କ

ନୂଆଦିଲ୍ଲୀ : ଖୋର୍ଦ୍ଧା-ନୟାଗଡ଼ ମଧ୍ୟରେ ଜାତୀୟ ରାଜପଥ ସଂଖ୍ୟା ୫୭କୁ ଚାରିଟିକିଆରେ ପରିଣତ କରାଯିବ। ଏବାବଦରେ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରହିଛି। ଏଥିରେ ମଧ୍ୟ ସର୍ଭିସ ରୋଡ଼ ଯୋଡ଼ି ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି। ଜାତୀୟ ରାଜପଥ ସଂଖ୍ୟା ୨୬ରେ ୪୬ କିଲୋମିଟର ଲମ୍ବ କେସିଙ୍ଗା-ଜୁନାଗଡ଼ ଅଂଶକୁ ପ୍ରାୟ ୧ ହଜାର କୋଟି ବ୍ୟୟରେ ଚାରିଥାକିଆ ରାଜପଥରେ ନିର୍ମାଣ କରାଯିବ। ବୈଠକରେ ସମସ୍ତ ଚାରିଟି ପ୍ରକଳ୍ପର ଡିପିଆର ପ୍ରସ୍ତୁତି ଲାଗି ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ସଂଖ୍ୟା ୩୨୬ ଅନ୍ତର୍ଗତ କୋରାପୁଟ-ପୋଡ଼ାମାରି ସେକ୍ସନର ୨୪୬ କିଲୋମିଟର ଅଂଶକୁ ଦୁଇଥାକିଆ କରିବା ଲାଗି ୨୫ଶହ କୋଟି ମଞ୍ଜୁରୀ, କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠିରେ ରାଜ୍ୟକୁ ୫ଶହ କୋଟି ଏବଂ ସେତୁବନ୍ଧ ଯୋଜନାରେ ୨୫୦ କୋଟି ଅନୁଦାନ ବିଷୟରେ ମନ୍ତ୍ରୀ ଗଡ଼କରି ଜଣାଇଥିଲେ। ସେହିପରି ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ଗୁଡ଼ିକର ଉନ୍ନତିକରଣ ପାଇଁ ୩୪ଶହ କୋଟି ମୂଲ୍ୟର ଡିପିଆର ଦାଖଲ କରିବାକୁ ବୈଠକରେ ନିଷ୍ପତି ହୋଇଛି। ପ୍ରାୟ ୨୧,୬୫୦ କୋଟି ମୂଲ୍ୟର ଏସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ କିଛି ପ୍ରକଳ୍ପକୁ ଅନୁମୋଦନ ମିଳିଛି ଏବଂ କେନ୍ଦ୍ର କ୍ୟାବିନେଟ ଦ୍ୱାରା ବାକି ପ୍ରକଳ୍ପ ଗୁଡ଼ିକର ଅନୁମୋଦନ ଲାଗି ମନ୍ତ୍ରୀ ଗଡ଼କରି ଭରସା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝି କହିଥିଲେ।

ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ପଶ୍ଚିମ-ପୂର୍ବ କରିଡ଼ର ଏବଂ ଗ୍ରାଣ୍ଡ ରିଂଙ୍ଗ ରୋଡ ଆଦି ନୂତନ ପ୍ରକଳ୍ପର ସମ୍ଭାବ୍ୟତା ଉପରେ ଅଧିକ ଅଧ୍ୟୟନ କରିବାକୁ ମନ୍ତ୍ରୀ ଗଡ଼କରି ସହମତି ପ୍ରକାଶ କରିଛନ୍ତି। ପଶ୍ଚିମ-ପୂର୍ବ କରିଡ଼ର ମଧ୍ୟରେ ଝାରସୁଗୁଡ଼ା-ବାଲେଶ୍ୱର, ନୂଆପଡ଼ା-ଅସ୍ତରଙ୍ଗ, ବୃନ୍ଦାବାହଲ-ଗୋପାଳପୁର ଓ ସାତଭାୟା-ସମ୍ବଲପୁର ରହିଛି। ସେହିପରି ରାଜ୍ୟରେ ଅଣ୍ଡାକୃତି ଆକାରରେ ପ୍ରସ୍ତାବିତ ଗ୍ରାଣ୍ଡ ରିଂଙ୍ଗ ରୋଡ ମଧ୍ୟରେ ବ୍ରହ୍ମପୁର-ଜୟପୁର, ଜୟପୁର-ରାଉରକେଲା, ରାଉରକେଲା-ଜଳେଶ୍ୱର ଏବଂ ଜଳେଶ୍ୱର-ବ୍ରହ୍ମପୁର ସଡ଼କ ରହିଛି। ଏହାଦ୍ୱାରା ସମଗ୍ର ଓଡ଼ିଶାରେ ସଡ଼କ ଜାଲ ବିଛା ଯାଇ ଗମନାଗମନ, ପର୍ଯ୍ୟଟନ ଏବଂ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଘଟିପାରିବ। ପଶ୍ଚିମ-ପୂର୍ବ କରିଡ଼ରରେ ପ୍ରାୟ ୭,୫୦୦ କୋଟି ବ୍ୟୟରେ ୩୮୩ କିଲୋମିଟର ଲମ୍ବ ଝାରସୁଗୁଡ଼ା-ବାଲେଶ୍ୱର, ପ୍ରାୟ ୯,୫୦୦ କୋଟି ବ୍ୟୟରେ ୪୯୧ କିଲୋମିଟର ଲମ୍ବ ନୂଆପଡ଼ା-ଅସ୍ତରଙ୍ଗ, ପ୍ରାୟ ୬,୮୦୦ କୋଟି ବ୍ୟୟରେ ୩୭୫ କିଲୋମିଟର ଲମ୍ବ ବୃନ୍ଦାବାହଲ-ଗୋପାଳପୁର ଏବଂ ପ୍ରାୟ ୫୪୭୭ କୋଟି ବ୍ୟୟରେ ୪୦୪ କିଲୋମିଟର ଲମ୍ବ ସାତଭାୟା-ସମ୍ବଲପୁର ରାଜପଥ ନିର୍ମାଣ ପ୍ରସ୍ତାବ ରହିଛି। ସେହିପରି ଓଡ଼ିଶାରେ ଗ୍ରାଣ୍ଡ ରିଂଙ୍ଗ ରୋଡ ପ୍ରକଳ୍ପରେ ପ୍ରାୟ ୯ ହଜାର କୋଟି ବ୍ୟୟରେ ୨୮୭ କିଲୋମିଟର ଲମ୍ବ ବ୍ରହ୍ମପୁର-ଜୟପୁର, ପ୍ରାୟ ୨୫ଶହ କୋଟି ବ୍ୟୟରେ ୬୩୮ କିଲୋମିଟର ଲମ୍ବ ଜୟପୁର-ରାଉରକେଲା, ପ୍ରାୟ ୨୨ଶହ କୋଟି ବ୍ୟୟରେ ୩୯୧ କିଲୋମିଟର ଲମ୍ବ ରାଉରକେଲା-ଜଳେଶ୍ୱର ଏବଂ ଜାତୀୟ ରାଜପଥ ସଂଖ୍ୟା ୧୬ରେ ୪୪୨ କିଲୋମିଟର ଲମ୍ବ ଜଳେଶ୍ୱର-ବ୍ରହ୍ମପୁର ରାଜପଥ ନିର୍ମାଣ ପ୍ରସ୍ତାବ ରହିଛି। ଏଥିସହ ଓଡ଼ିଶାର ମେରୁଦଣ୍ଡ ଭାବେ ପରିଚିତ ଦକ୍ଷିଣ ଓଡ଼ିଶାର ମୋଟୁ ଠାରୁ ମୟୁରଭଞ୍ଜର ତିରିଂ ପର୍ଯ୍ୟନ୍ତ ୯୭୯ କିଲୋମିଟର ସଡ଼କକୁ ୧୫ ହଜାର କୋଟି ବ୍ୟୟରେ ମଧ୍ୟ ଓଡ଼ିଶାର ୯ ଜିଲାରେ ନିର୍ମାଣ ଲାଗି ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ଏଥିମଧ୍ୟରେୁ ଅନେକ ଅଞ୍ଚଳରେ ସଡ଼କପଥ ରହିଛି, ବାକି ସଡ଼କର ଉନ୍ନତିକରଣ ନିମନ୍ତେ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ।

କଟକ-ସମ୍ବଲପୁର ଜାତୀୟ ରାଜପଥ ସଂଖ୍ୟା ୫୫ର ଚାରିଥାକିଆ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ ଏହା ତିନୋଟି ପ୍ୟାକେଜରେ ନିର୍ମାଣ ହେଉଛି। ପ୍ରତ୍ୟେକ ପ୍ୟାକେଜର ନିର୍ମାଣରେ ହେଉଥିବା ବୈଷୟିକ ସମସ୍ୟା ବିଷୟରେ ଚର୍ଚ୍ଚା ହୋଇଥିଲା। ଆଲୋଚନା ବେଳେ ନିର୍ମାଣକାରୀ ଠିକା ସଂସ୍ଥାର ପ୍ରତିନିଧି ଏବଂ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସମସ୍ୟାର ସମାଧାନ କରାଯାଇ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ବୈଠକରେ ନିଷ୍ପତି ହୋଇଥିଲା। ରାଜ୍ୟରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ଗତି ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ପ୍ରତି ତିନି ମାସରେ, ରାଜ୍ୟ ପୂର୍ତ୍ତ ମନ୍ତ୍ରୀଙ୍କ ସ୍ତରରେ ପ୍ରତି ଦୁଇ ମାସରେ ଏବଂ ଅଧିକାରୀମାନଙ୍କସ୍ତରରେ ପ୍ରତିମାସରେ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରି ସମସ୍ୟାର ନିରାକରଣ ପାଇଁ ନିଷ୍ପତି ହୋଇଥିଲା। ଏସବୁ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ବୈଠକରେ ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।

 

Comments are closed.