Patra electronics

କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ: ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: କେରଳର ଓ୍ବାଇନାଡରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି।  ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା । ପ୍ରାୟ ୧୦୦ରୁ ଅଧିକ ଲୋକ ମାଟି ତଳେ ପଶିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ଜଣାପଡିଛି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ଏବଂ ବାୟୁସେନାର ଦୁଇଟି ହେଲିକପ୍ଟର ନିୟୋଜିତ ଅଛି। ଜରୁରୀକାଳୀନ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ସେପଟେଏହି ଘଟଣା ପରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

 

Comments are closed.