ହରଭଙ୍ଗା: ମଣିଷର ଆଧୁନିକ ଜୀବନଶୈଳୀ ପ୍ରକୃତିକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ଝାଟିମାଟି ଚାଳଘର ଏବେ ପକ୍କାଘରରେ ପରିଣତ ହୋଇଛି। ଗାଁର କାଦୁଅ ମାଟି ରାସ୍ତା ସହରୀ ପକ୍କାରାସ୍ତା ଭଳି ଚିକ୍ ଚିକ୍ କରୁଛି। ଏଭଳି ଚାକଚକ୍ୟ ଜୀବନଶୈଳୀ ଭିତରେ ମଣିଷ ଅନେକ କିଛି ହରେଇସାରିଛି, ଯାହାସବୁ ଆଜିର ପିଲାଙ୍କ ପାଇଁ କାହାଣୀ ପାଲଟିଯାଇଛି। ଚାଳଘର ଲୋପପାଇବା କାରଣରୁ ଘର ଚଟିଆକୁ ଆଉ ଦେଖିବାକୁ ମିଳୁନାହିଁ। ରାସ୍ତାକଡ଼ରେ ଥିବା ବଡ ବଡ ତାଳଗଛ ଧ୍ୱଂସ ପାଇବା ଫଳରେ ଘର ଚଟିଆ ପରି ବାଇ ଚଢେଇ ବସା କି ବାଇ ଚଢେଇକୁ ଦେଖିବାକୁ ମିଳୁନାହିଁ। ଯାହାକି ବର୍ତମାନ ପିଲାଙ୍କ ପାଇଁ ବାଇ ଚଢେଇ ଏବଂ ତାର ବସା ଏକ କାହାଣୀ ପାଲଟିଯାଇଛି। ବାଇ ଚଢେଇ ଭଳି କ୍ଷୁଦ୍ର ପକ୍ଷୀର ବାୟା ବସା ମଣିଷ ପାଇଁ ଅନେକ ପ୍ରେରଣା ଯୋଗାଇଥାଏ। ବଡ ବଡ ତାଳଗଛରେ ଲମ୍ବା ଲମ୍ବା ସରୁ ଲହ ସାହାଯ୍ୟରେ ତାର କୁନି ଥଣ୍ଟରେ ତିଆରି କରିଥାଏ ତା’ର ବାୟା ବସା। ଏହା ଦେଖିବାକୁ ଯେମିତି ସୁନ୍ଦର ଲାଗେ। ସେପରି ଏତେଛୋଟ କ୍ଷୁଦ୍ରପକ୍ଷୀ ଏତେ ଉଚ୍ଚାରେ କୁନି ଥଣ୍ଟରେ ତିଆରିଥିବା ବାୟାବସା କଥା ମଣିଷ ମନରେ ଅନେକ ପ୍ରଶ୍ନଛିଡା କରିଥାଏ। ବାଇଚଢେଇ ବସା ବର୍ଷା, ଝଡ ପବନରେ ଝୁଲୁଥିବା ଦେଖିଲେ ବହୁତ ଆନନ୍ଦ ଲାଗେ। ତା’ର କିଚରି ମିଚରି ଶଦ୍ଦ ପରିବେଶକୁ ଗୁଞ୍ଜରିତ କରିଥାଏ। ପ୍ରାୟ ୧୫/୨୦ବର୍ଷ ବ୍ୟବଧାନପରେ ହରଭଙ୍ଗା ଥାନା ନିକଟସ୍ଥ ଏକ ଖଜୁରୀ ଗଛରେ ବାଇ ଚଢେଇ ବସା ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି।
Popular Categories



