କେରଳରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି, ନିଖୋଜଙ୍କ ମଧ୍ୟରେ ଓଡିଶାର ଦୁଇ ଡାକ୍ତର
ତିରୁଅନନ୍ତପୁରମ : କେରଳର ୱାୟନାଡ୍ ଜିଲାରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ଚାରି ଘଣ୍ଟା ବ୍ୟବଧାନରେ ତିନି ଥର ଭୂସ୍ଖଳନ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି। ୧୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧ୍ବଂସସ୍ତୂପ ତଳେ ଆଉ କେତେକ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି। ଆକୁ ଆହୁରି ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି କେରଳ ମୁଖ୍ୟ ଶାସନ ସଚିବ ଭି.ବେଣୁ କହିଛନ୍ତି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ଡାକ୍ତର ଥିବା ଜଣାପଡିଛି। ଭୂସ୍ଖଳନରେ ୱାୟନାଡ୍ ଜିଲାର ମୁନ୍ଦାକାଇ, ଚୁରାଲମାଲା, ଆଟ୍ଟାମାଲ ଏବଂ ନୁଲପୁଜା ଗ୍ରାମ କ୍ଷତିଗ୍ରସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ ଆଲୋଚନା କରିଥିବାବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଅପରପକ୍ଷରେ ୱାୟନାଡ୍ ସାଂସଦ ରାହୁଲ ଗାନ୍ଧୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ବିଜୟନ ଏବଂ ୱାୟନାଡ୍ ଜିଲାପାଳଙ୍କ ସହ ଫୋନ୍ରେ କଥା ହୋଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ରାଜ୍ୟସ୍ତରୀୟ ଶୋକ ଘୋଷଣା କରାଯାଇଛି। ଅପରପକ୍ଷରେ କେରଳ ଭୂସ୍ଖଳନ ପ୍ରଭାବିତଙ୍କ ନିମନ୍ତେ ତାମିଲନାଡୁ ସରକାର ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶକ୍ରମେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। ଏନଡିଆରଏଫ୍, ଅର୍ଦ୍ଧସାମରିକ ବାହିନୀ, ରାଜ୍ୟ ସରକାରଙ୍କ ପଦାଧିକାରୀ ଏବଂ ଅନ୍ୟ ସଂସ୍ଥା ସହ ସମନ୍ବୟ ରକ୍ଷା କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବାକୁ କୁରିଆନ୍ଙ୍କୁ ନିର୍ଦେଶ ଦିଆଯାଇଛି। କନ୍ନୁରସ୍ଥିତ ଡିଏସ୍ସି ସେଣ୍ଟର ଏବଂ କୋଝିକୋଡ୍ସ୍ଥିତ ୧୨୨ ବାଟାଲିୟନର ପ୍ରାୟ ୨୦୦ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍ ଓ ଏସଡିଆରଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି।
ତେବେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଇଛି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳକୁ ସଂଯୋଗ କରୁଥିବା ସଡକ ଭାଙ୍ଗିଯାଇଥିବା ଏବଂ ଗୋଟିଏ ନଦୀ ପୋଲ ଭାସିଯାଇଥିବାରୁ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳରେ ପହଞ୍ଚିବାରେ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟର ଏମଆଇ-୧୭ ଏବଂ ଏଏଲଏଚ୍ ଧ୍ରୁବ୍କୁ ସଜାଗ ରଖାଯାଇଛି। ତେବେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ପ୍ରବଳ ବର୍ଷା ନେଇ କେରଳକୁ ରେଡ୍ ଆଲର୍ଟ ଜାରି କରାଯାଇଥିବାରୁ ଆକାଶମାର୍ଗରେ ଘଟଣାସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରୁନାହିଁ। ଅଳ୍ପ କର୍ମଚାରୀଙ୍କୁ ନେଇ ଗଠିତ ଉଦ୍ଧାରକାରୀ ଦଳ ବହୁକଷ୍ଟରେ ନଦୀ ଅତିକ୍ରମ କରି ଭୂସ୍ଖଳନ ସ୍ଥଳରେ ପହଞ୍ଚିଥିବା କୁହାଯାଇଛି। ପୋଲ ଭାସିଯାଇଥିବା ଏବଂ ପ୍ରଖର ସ୍ରୋତ ଯୋଗୁଁ ଜଳପଥରେ ସେଠାକୁ ଯିବା ବିପଦସଙ୍କୁଳ ହୋଇପଡିଛି। ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ଲୋଡାଯାଇଛି। ୱାୟନାଡ୍ରେ ଏନ୍ଡିଆରଏଫ୍ର ତିନିଟି ଟିମ୍କୁ ମୁତୟନ କରାଯାଇଛି ବୋଲି ଡେପୁଟି କମାଣ୍ଡାଣ୍ଟ ଶଙ୍କର ପାଣ୍ଡିଆନ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୱାୟନାଡ୍ରେ ୩ଟି ରିଲିଫ୍ ଶିବିର ଖୋଲାଯାଇଛି। ସ୍ଥିତି ସମୀକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ନିମନ୍ତେ କେରଳ ଜଙ୍ଗଲ ମନ୍ତ୍ରୀ ଶଶିନ୍ଦ୍ରନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।
Comments are closed.