ପଳାଶପଙ୍ଗା ବଜାରରେ ଜଳୁନି ଷ୍ଟ୍ରୀଟ୍‌‌ ଲାଇଟ୍‌‌, ବଢ଼ୁଛି ଅସନ୍ତୋଷ 

କେନ୍ଦୁଝରଗଡ଼ : ୨୦ନଂ ଜାତୀୟ ରାଜପଥ ପଳାଶପଙ୍ଗା ମୁଖ୍ୟ ବଜାର ଉପରେ ଆଜକୁ ମାସାଧିକ କାଳ ଷ୍ଟ୍ରୀଟ୍‌‌ ଲାଇଟ୍‌‌ ଜଳୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଲାଇଟ୍‌‌ ନଜଳିବା ନେଇ ଜାତୀୟ ରାଜପଥ ବିଭାଗକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରିବା ସହ ମୋବାଇଲ ଯୋଗେ କହିବା ସତ୍ତେ୍ୱ ଫିଉଜ୍‌‌ କଟିଥିବା ଦର୍ଶାଇ ଆଜକୁ ମାସାଧିକ କାଳ ଷ୍ଟ୍ରୀଟ୍‌‌ ଲାଇଟ୍‌‌ ଜଳୁନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ବାସ୍ତବପକ୍ଷେ ବିଦ୍ୟୁତ୍‌‌ ବିଲକୁ ଏଡାଇବା ପାଇଁ ଜାତୀୟ ରାଜପଥ ବିଭାଗ ଫିଉଜ୍‌‌ କଟିଥିବା ଦର୍ଶାଇ ମାସ ମାସ ଧରି ଷ୍ଟ୍ରୀଟ୍‌‌ ଲାଇଟ୍‌‌ ଜଳୁନଥିବା ପ୍ରକୃତ କାରଣ ବୋଲି ଜଣାପଡିଛି। ସେହିଭଳି ପଳାଶପଙ୍ଗା ବଜାର ଅଞ୍ଚଳରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଫ୍ଲାଇ ଓଭର ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ସର୍ଭିସ୍‌‌ ରୋଡ ମରଣଯନ୍ତା ପାଲଟିବା ସହ ଡ୍ରେନ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏହା ଭାଙ୍ଗିରୁଜି ପୋତି ହୋଇ ଯାଇଥିବାରୁ ବର୍ଷାଜଳ ଉକ୍ତ ଡ୍ରେନ ଦେଇ ନିଷ୍କାସିତ ହୋଇନପାରିବାରୁ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ କ୍ରମେ ଉଗ୍ର ରୂପ ଧାରଣ କରିବାକୁ ଯାଉଛି।

ଏଭଳିସ୍ଥିତିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଷ୍ଟ୍ରୀଟ୍‌‌ ଲାଇଟ୍‌‌ ଆଲୋକୀକରଣ ସହ ସର୍ଭିସ୍‌‌ରୋଡ ମରାମତି ଓ ଡ୍ରେନ ପୁନଃରୁଦ୍ଧାର କାର୍ଯ୍ୟ ତୁରନ୍ତ କରାନଗଲେ ବାଧ୍ୟହୋଇ ରାଜପଥ ଅବରୋଧ କରାଯାଇ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ ସତର୍କ କରାଇ ଦେଇଛନ୍ତି।

Comments are closed.