ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ରକ୍ଷାବନ୍ଧନ ଓ ସ୍ନେହମିଳନ ଉତ୍ସବ

କେନ୍ଦୁଝରଗଡ଼: ଡି.ଏନ୍‌‌.ହାଇସ୍କୁଲ ସମ୍ମୁଖ ସାନ୍ତରାପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପରିସରରେ ସେବାକେନ୍ଦ୍ର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋମବାର ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ ଶାଖାରେ ଶତାଧିକ ଭାଇଭଉଣୀ ଉପସ୍ଥିତ ରହି ପରଷ୍ପର ମଧ୍ୟରେ ପବିତ୍ର ରାକ୍ଷୀ ବାନ୍ଧିଥିଲେ।

କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି. ମୁଖ୍ୟଅତିଥି ଭାବେ ଯୋଗଦେଇ ପବିତ୍ର ରକ୍ଷାବନ୍ଧନ ପରିପ୍ରେକ୍ଷୀରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ରାଜଯୋଗ ମାଧ୍ୟମରେ କିଭଳି ସହଜରେ ସୁଖ ଓ ଶାନ୍ତି ଲାଭ କରାଯାଇ ପାରୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସତ୍ୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ମୁକୁନାର ପ୍ରଧାନଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ରକ୍ଷାବନ୍ଧନ ଅବସରରେ ଶୁଭକାମନା ଜଣାଇବା ସହ ଦିବ୍ୟ ତିଳକ ପ୍ରଦାନ ପୂର୍ବକ ପରତ୍ମାଙ୍କ ଦିବ୍ୟଜ୍ଞାନ ସମସ୍ତଙ୍କୁ ଆଲୋକ ପ୍ରଦାନ କରୁ ବୋଲି ଶୁଭକାମନା କରିଥିଲେ।

ଏହି ଅବସରରେ ବ୍ରହ୍ମାକୁମାରୀ ଭଉଣୀ ଓ ବ୍ରହ୍ମାକୁମାର ଭାଇମାନଙ୍କ ଦ୍ୱାରା ଜିଲା ଓ ଦୌରାଜଜ୍‌‌ ଅଶୋକ କୁମର ପଣ୍ଡା, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋରଞ୍ଜନ ବିଶ୍ୱାଳ, ସଦର ତହସିଲଦାର ଶୁଭେନ୍ଦୁ ସାହୁ , ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ, ଆରଟିଓ ଗୋପାଳ କୃଷ୍ଣ ଦାସ, ଟାଉନ ଥାନା ଅଧିକାରୀ ରମାକାନ୍ତ ସାଏ, ଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଆଶୁ ଆରୋଗ୍ୟ କାମନା ସହ ମିଠା ବାଣ୍ଟିଥିଲେ।

ଅପରାହ୍ନରେ ବ୍ରହ୍ମାକୁମାରୀଙ୍କ ପକ୍ଷରୁ ସିଦ୍ଧମଠସ୍ଥିତ ଅନ୍ଧ ମୂକ ଓ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜିଲା କାରାଗାରର ଅନ୍ତେବାସୀଙ୍କ ହାତରେ ରାକ୍ଷୀ ବନ୍ଧାଯିବା ସହ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସେବାକେନ୍ଦ୍ର ପରିସରରେ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସାଧରଣଜନତାଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା। ବ୍ରହ୍ମାକୁମାରୀ ପ୍ରତିଭା, ସ୍ୱାତୀ, ଅର୍ଚ୍ଚନା, ପିଙ୍କି, ସରୋଜିନୀ, ବିନତା, ମିକୁ ଏବଂ ବ୍ରହ୍ମାକୁମାର କୁଳମଣି, ସତ୍ୟ, କୃତ୍ତିବାସ, ରାଜ, ଲୋକନାଥ, ଅକ୍ଷୟ, ପିତବାସ, ଝରିଲାଲ, ସୁମନ୍ତ, ଜଗବନ୍ଧୁ, ଘନଶ୍ୟାମ, ରଥ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ବ୍ରହ୍ମାକୁମାରୀ ଜୟନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.