ପ୍ରକୃତିର ଗନ୍ତାଘର କେନ୍ଦୁଝରବାସୀଙ୍କ ଦୁଃଖ ଦୂର ହେବ କେବେ ?

ନିର୍ବାଚନୀ ସ୍ଲୋଗାନରେ ସୀମିତ ବୃହତ ଇସ୍ପାତ ଶିଳ୍ପ ଓ କାନପୁର ଜଳସେଚନ ପ୍ରକଳ୍ପ

କେନ୍ଦୁଝରଗଡ଼: ଖଣିଜ ସମ୍ପଦ ଓ ପ୍ରାକୃତିକ ଶୋଭାରାଜିରେ ଭରପୁର କେନ୍ଦୁଝର ଜିଲାର ଭାଗ୍ୟ ଉଦୟ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟତା କେନ୍ଦୁଝର ଜିଲାର ଅନ୍ୟତମ ପରିଚୟ ସୃଷ୍ଟି କରିଛି। ଏହି ଜିଲାରୁ ସଂଗୃହୀତ ରାଜସ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ସମୃଦ୍ଧ କରି ଆସୁଥିବା ବେଳେ ଏଠାକାର ମୂଳ ଅଧିବାସୀ ଆଜିବି ଉପେକ୍ଷିତ। ଟୋପାଏ ବିଶୁଦ୍ଧ ପାନୀୟଜଳ ପାଇଁ ସର୍ବଦା ସଂଘର୍ଷରତ ଥିବାବେଳେ ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଜିଲାବାସୀଙ୍କ ଭାଗ୍ୟରେ କେବେ ପରିବର୍ତ୍ତନ ଆସିବ ସେ ନେଇ କେବଳ ଭଗବାନ ହିଁ ସାହାଭରସା। ଜିଲାରେ ଯୋଗ ଦେଉଥିବା ପ୍ରଶାସନିକ ଅଧିକାରୀଙ୍କ ମେରୀରାୟ ଶାସନଶୈଳୀ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଜିଲା ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଦାସ କ୍ଷୋଭର ସହ ଏହା କହିଛନ୍ତି। ବହୁଚର୍ଚ୍ଚିତ ଖଣି ମହାଦୁର୍ନୀତି ପରଠାରୁ ନୂତନ ଖଣିଜ ନୀତି ପ୍ରଣୟନ ହୋଇ ଜିଲାର ବିକାଶ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌‌ଏଫ୍‌‌) ପାଣ୍ଠି ଗଠନ ପରଠାରୁ ଜିଲାରେ ଅର୍ଥର ଅଭାବ ନଥିବା ସତ୍ତ୍ବେ ଉକ୍ତ ଅର୍ଥର ବ୍ୟାପକ ଦୁରୁପଯୋଗ ଯୋଗୁଁ ଜିଲାର ସମାନୁପାତିକ ବିକାଶ ଆଜିପର୍ଯ୍ୟନ୍ତ ଘଟିପାରିଲା ନାହିଁ ବୋଲି ଆଇନଜୀବୀ ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

ନିର୍ବାଚନ ପାଖେଇଲେ ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ସ୍ଥାପନା ଏବଂ ନିର୍ମାଣାଧିନ କାନପୁର ବୃହତ୍‌‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ପ୍ରତିଶ୍ରୁତି ଦେଇ ନେତା ନିର୍ବାଚନୀ ବୈତରଣୀ ପାରି ହେବା କାହାକୁ ଅଛପାନୁହେଁ। ଇସ୍ପାତ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଉନ୍ନତମାନର ଲୁହାପଥର ଏହି ଜିଲାରେ ଦେଶର ୩୪ପ୍ରତିଶତ ଗଛିତ ଥିଲେ ହେଁ ଜିଲାରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହୋଇନପାରିବା ଜିଲା ବିକାଶ କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି। ନିର୍ବାଚନ ପାଖେଇଲେ ଜିଲାର ଆବଶ୍ୟକ ଭିତ୍ତିଭୂମି ଓ ମାନସମ୍ବଳର ବିକାଶ କଥା କହି କୁମ୍ଭୀରକାନ୍ଦଣା କାନ୍ଦୁଥିବା ନେତା ଓ ନିର୍ବାଚିତ ଲୋକପ୍ରତିନିଧି ବାସ୍ତବପକ୍ଷେ ନିର୍ବାଚନ ପରେ ଦେଇଥିବା ପ୍ରତିଶ୍ରୁତିରୁ ଦୂରେଇ ଯାଉଥିବାରୁ ଜିଲା ଯେଉଁ ତିମିରେକୁ ସେଇ ତିମିରେ ରହିଯାଇଛି।

ହଦଗଡ଼ସ୍ଥିତ ଶାଳନ୍ଦୀ ଜଳସେଚନ ପ୍ରକଳ୍ପରୁ ମାତ୍ର ୨୨ପ୍ରତିଶତ ଜଳ ହାଟଡ଼ିହୀ ବ୍ଲକ ଚାଷୀଙ୍କୁ ଯୋଗାଇ ଦିଆଯାଇ ଆସୁଥିବା ବେଳେ ଜିଲାର ଅନ୍ୟ ସମସ୍ତ ଜଳଅମଳ ପ୍ରକଳ୍ପ ସରକାରୀ ଅବହେଳାର ଶିକାର ହୋଇ ଚାଷୀ ସେମାନଙ୍କ ଜମିକୁ ଆବଶ୍ୟକ ଜଳସେଚନରୁ ବଞ୍ଚିତ ହୋଇ ଆସୁଛନ୍ତି। ଉତ୍ତର କେନ୍ଦୁଝରର ୨୪୮ଟି ଗାଁର ପ୍ରାୟ ୪୮ ହଜାର ହେକ୍ଟର ଚାଷଜମିରେ ୨ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦ବର୍ଷ ଧରି ନିର୍ମାଣାଧିନ କାନପୁର ବୃହତ୍‌‌ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ମନ୍ଥରତା ଚାଷୀଙ୍କୁ ଦିଗହରା କରିଛି। ଆନନ୍ଦପୁରସ୍ଥିତ ବୈତରଣୀ ନଦୀ ଉପରେ ନିର୍ମାଣାଧିନ ବ୍ୟାରେଜ ଯେ, କେନ୍ଦୁଝର ଜିଲା ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଏହା ପଡ଼ୋଶୀ ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲା ଚାଷୀ ଉପକୃତ ହେବେ ଏହା ସମସ୍ତଙ୍କୁ ବେଶ୍‌‌ ଜଣା। ଏଭଳିସ୍ଥିତିରେ ଆନନ୍ଦପୁରର ୧୫ହଜାର ହେକ୍ଟର ଜମିକୁ ପ୍ରସ୍ତାବିତ ଭୀମକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ କରି ଜଳସେଚନ ସୁବିଧା ଯୋଗାଇ ଦେବା କେବଳ ପ୍ରସ୍ତାବରେ ହିଁ ସୀମିତ ହୋଇରହିଛି। କେନ୍ଦୁଝର ଜିଲାରେ ବ୍ୟାପକ ଖଣି ଓ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ପ୍ରଦୁଷଣ କଥା ନକହିବା ଭଲ। ବ୍ୟାପକ ପ୍ରଦୂଷଣଯୁକ୍ତ ଖଣି ଓ ଶିଳ୍ପ ଯୋଗୁଁ ବହୁ ଜୀବନ ସାମାଜିକ ଶୋଷଣର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରିବା କାହାକୁ ଅଛପା ନୁହେଁ। ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲା ସମଗ୍ର ଏସିଆ ମହାଦେଶରେ ମ୍ୟାଲେରିଆଜନିତ ମୃତ୍ୟୁହାର ସର୍ବାଧିକ ସହ ଜିଲାରେ ଶିଶୁ ଓ ମାତୃ ମୃତ୍ୟୁହାର ମଧ୍ୟ ଉଦ୍‌‌ବେଗଜନକ। ଜିଲାବ୍ୟାପୀ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବାବେଳେ ଜିଲାବାସୀଙ୍କୁ ସୁବିଧାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦୁଝର ଠାରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କାର୍ଯ୍ୟକ୍ଷମ ସତ୍ତ୍ବେ କଥା କଥାରେ ରୋଗୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବା ଜିଲାବାସୀଙ୍କୁ ନିରାଶ କରିଛି। ସେହିଭଳି ପ୍ରତି ବ୍ଲକରେ ଆଇଟିଆଇ ସ୍ଥାପନ ସହ କାର୍ଯ୍ୟକାରିତା ଘୋଷଣା ଖଣି ଓ ଶିଳ୍ପାନୁଷ୍ଠାନରେ ଭରପୁର କେନ୍ଦୁଝରରେ ସରକାରଙ୍କ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି।

ବିଗତ ୩ଟି ସାଧାରଣ ନିର୍ବାଚନରେ ଜିଲାର ସମସ୍ତ ୬ଟି ବିଧାନସଭା ଆସନରୁ ୫ଟି ଏବଂ ଏକମାତ୍ର ଲୋକସଭା ଆସନ ଶାସକ ବିଜେଡ଼ି ଦଳ ସପକ୍ଷରେ ଯାଇଛି। ଏହାସତ୍ତ୍ବେ ଦୀର୍ଘ ୧୦ବର୍ଷର ଶାସନକାଳ ମଧ୍ୟରେ ଜିଲାର ବିକାଶ ତ ଦୂରର କଥା ଖଣିଦୁର୍ନୀତିର ଆଳ ଦେଖାଇ ଲକ୍ଷ ଲକ୍ଷ ଜିଲାବାସୀଙ୍କ ପେଟପାଟଣା ଏବେ ବନ୍ଦ ପ୍ରାୟ। ଖଣି ଓ ପ୍ରାକୃତିକ ସମ୍ପଦରେ ଭରପୁର ଆଦିବାସୀ ଅଧ୍ୟୁଷିତ ଏହି ଜିଲାରୁ ରାଜ୍ୟ ରାଜକୋଷକୁ ସିଂହଭାଗ ରାଜସ୍ୱ ଆଦାୟ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜିଲାର ଆବଶ୍ୟକ ଭିତ୍ତିଭୂମି, ମାନବସମ୍ବଳର ବିକାଶ, ସାମାଜିକ ନ୍ୟାୟ, ଅର୍ଥନୈତିକ ପ୍ରଗତି ହୋଇପାରିଲା ନାହିଁ। ଜିଲାର ବିପର୍ଯ୍ୟସ୍ତ ରାସ୍ତାଘାଟ, ରେଳ, ବିମାନବନ୍ଦର, କାନପୁର ବୃହତ ଜଳଅମଳ ପ୍ରକଳ୍ପ ଏବଂ ବିଦ୍ୟୁତକରଣ ଭଳି ସମସ୍ୟାର ସ୍ଥାୟୀ ସମାଧାନ ବିନା ଜିଲାର ବିକାଶ ଅସମ୍ଭବ। ସମଗ୍ର କେନ୍ଦୁଝର ଜିଲାରେ ବର୍ଷତମାମ ପାନୀୟଜଳର ଘୋର ଅଭାବ ସାଙ୍ଗକୁ କେନ୍ଦୁଝର ସହରର ମାଷ୍ଟରପ୍ଲାନ ୨୦୦୬ ମସିହାରୁ ଶେଷ ହୋଇଯାଇଥିଲେ ମଧ୍ୟ ନୂତନ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହୋଇନପାରିବା ଜିଲାର ବିକାଶ ନେଇ ନେତାଙ୍କ ଆନ୍ତରିକତାକୁ ସ୍ପଷ୍ଟ ପ୍ରମାଣିତ କରିଛି। ରେଳବାଇ କ୍ଷେତ୍ରରେ କେନ୍ଦୁଝର ଜିଲାକୁ କ୍ରମାଗତ ଅବହେଳା କରାଯାଇ ସ୍ୱାଧିନତାର ୬୨ବର୍ଷ ପରେ ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ ସେବା ଜିଲାବାସୀଙ୍କୁ ଯୋଗାଇ ଦିଆଯାଇଥିଲେ ମଧ୍ୟ ଏହି ରେଳପଥରେ ଖଣିଜସମ୍ପଦ ପରିବହନ ପାଇଁ ବିଭାଗ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଥିବାବେଳେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପ୍ରତି ଅଣଦେଖା କରିବା ଜିଲାବାସୀଙ୍କୁ ନିରାଶ କରିଛି। ସେହିପରି କେନ୍ଦୁଝର-ବାଦାମପାହାଡ଼, ବାଂଶପାଣି-ବିମଳାଗଡ଼଼, ହରିଚନ୍ଦନପୁର-ଆନନ୍ଦପୁର-ଧାମରା, ବାଂଶପାଣି-ବଡ଼ବିଲ ଆଦି ପ୍ରସ୍ତାବିତ ରେଳପଥ ନିର୍ମାଣ ନେଇ ବିଭାଗ ପକ୍ଷରୁ ଘୋଷଣା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନପାରିବା ନେତାଙ୍କ ଆନ୍ତରିକତା ପଦାରେ ପକାଇଛି। ସମସ୍ତ ପୂର୍ବଭାରତ ପାଇଁ ବ୍ୟାବସାୟୀକ ଦୃଷ୍ଟିକୋଣରୁ କେନ୍ଦୁଝର ଜିଲା ବେଶ୍‌‌ ଗୁରୁତ୍ୱ ବହନ କରୁଥିବାରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଯାତ୍ରୀବାହି ଟ୍ରେନ ଚଳାଚଳ କେବଳ ଦାବିରେ ହିଁ ସୀମିତ ହୋଇ ରହିଯାଇଛି।

Comments are closed.