କେନ୍ଦୁଝର ମାଟିର ଗର୍ବ ସର୍ବକନିଷ୍ଠ ଆନ୍ତର୍ଜାତୀୟ ତାଏକୋଣ୍ଡ ମାଷ୍ଟର ମୌଳିନ୍ଦୁ
କେନ୍ଦୁଝରଗଡ: ଚଳିତମାସ ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ଦିନ ଧରି ବିଶ୍ୱ ତାଏକୋଣ୍ଡ ଏକାଡେମୀ କୁକିୱନ (ଦକ୍ଷିଣ କୋରିଆ) ଏବଂ ତାଏକୋଣ୍ଡ ଫେଡେରେସନ ଅଫ ଇଣ୍ଡିଆ ଧାନବାଦର ମିଳିତ ଆନୁକୁଲ୍ୟରେ ରାଞ୍ଚିସ୍ଥିତ ମେଗା ସ୍ପୋର୍ଟସ କମ୍ପେ୍ଲକ୍ସ ଖେଲ୍ ଗାଓଁ ଠାରେ ୧୧୨ତମ ଆନ୍ତର୍ଜାତୀୟ ତାଏକୋଣ୍ଡ ମାଷ୍ଟର କୋର୍ସ ଏବଂ ୬୨ତମ ପୁମ୍ ଡାନ୍ ପରୀକ୍ଷକ ସେମିନାର ଅନୁଷ୍ଠିତ ହୋଯାଇଛି।
ଓଡିଶା ତାଇକୋଣ୍ଡ ସଙ୍ଘ ଦ୍ୱାରା ବରିଷ୍ଠ ପ୍ରଶିକ୍ଷକ ତଥା ପ୍ରଥମଶ୍ରେଣୀ ଜାତୀୟ ରେଫରୀ ମୌଳିନ୍ଦୁ କୁମାର ମହାନ୍ତ ଏକାକୀ ଭାବେ ମନୋନୀତ ହୋଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ସେମିନାରରେ କୃତକାର୍ଯ୍ୟ ହେବା ସହ ୧୨ ଦେଶରୁ ୧୫୦ ପ୍ରତିଯୋଗୀ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନୀ ନିମନ୍ତେ ପୁରସ୍କୃତ ହୋଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି ଆନ୍ତର୍ଜାତୀୟ ମାଷ୍ଟର କୋର୍ସ ନିମନ୍ତେ ରାଜ୍ୟରୁ ଅଦ୍ୟାବଧି ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ମାଷ୍ଟର ମୌଳିନ୍ଦୁ ଦ୍ୱିତୀୟ ତଥା ସର୍ବକନିଷ୍ଠ ମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି।
କେନ୍ଦୁଝର ମାଟିର ସନ୍ତାନ ଏବଂ ପଳାଶପଙ୍ଗାସ୍ଥିତ ସନ୍ଥେଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାରିରୀକ ଶିକ୍ଷକ ରୂପେ କାର୍ଯ୍ୟରତ। ୬ ଦିନର ଏହି ସେମିନାରରେ ଦକ୍ଷିଣ କୋରିଆର ଏକ ବରିଷ୍ଠ ପ୍ରଶିକ୍ଷକ ଦଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ତାଏକୋଣ୍ଡରେ ଉଭୟ ଲିଖିତ ଓ ବ୍ୟବହାରିକ ବିଷୟକୁ ନେଇ ଏହି କାର୍ଯ୍ୟକ୍ରମ ଚାଲିଥିଲା ଏବଂ ପରିଶେଷରେ ଏହାକୁ ନେଇ ପରୀକ୍ଷା ଅନୁଷ୍ଠିତ ହୋଇ କୃତୀ ପରୀକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
୬ ଦିନର ଏହି କାର୍ଯ୍ୟକ୍ରମ ଅତି କଠିନ ଥିଲା ଏବଂ ଦିନକୁ ୧୦ ଘଣ୍ଟା ପ୍ରଶିକ୍ଷଣ ଦିଆଯାଉଥିଲା କିନ୍ତୁ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ସବୁ କଷ୍ଟ ଓ ଥକାପଣ ଭୁଲି ଯାଇଥିଲି ବୋଲି ମୌଳିନ୍ଦୁ କହିଛନ୍ତି। ଏହି ସଫଳତା ପାଇଁ ମୌଳିନ୍ଦୁ କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ, ଜିଲା କ୍ରୀଡ଼ା ନିରୀକ୍ଷକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ରାଜ୍ୟ ତାଏକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Comments are closed.