ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

କେନ୍ଦୁଝର: କେନ୍ଦୁଝରରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ଆରସିସିଏଫ୍‌ ନିଲମ୍ବନ କରିଛନ୍ତି । କାର୍ଯ୍ୟରେ ଅବହେଳା ଯୋଗୁ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ନିଲମ୍ବିତ ହୋଇଥିବା ଦୁଇ କର୍ମଚାରୀ ହେଲେ, ଫରେଷ୍ଟର ପ୍ରଦୀପ ବାରିକ ଓ  ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକ । ଏଥି ସହିତ ବିଭାଗ ଏହି ଘଟଣାରେ ବିଦ୍ୟୁତ୍‌ ବିଭାଗକୁ ମଧ୍ୟ କାରଣ ଦର୍ଶାଅ ​‌ନୋଟିସ ଜାରି କରିଛି ।

ସୂଚନା ଥାଉ କି ଗତ ୨୫ ତରିଖରେ କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ବିଦ୍ୟୁତ୍ ତାର ଲାଗି ୨ଟି ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ରରେ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବନବିଭାଗର ପ୍ରାଥମିକ ତଦନ୍ତ ଅନୁଯାୟୀ ବିଦ୍ୟୁତ୍ ଆଘାତରେ ହାତୀ ଦୁଇଟିର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସେହି ଦିନ ରାତିରେ ୯ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ କୃଷି ବିଜ୍ଞାନ କେନ୍ଦ୍ରକୁ ଆସିଥିଲେ ।

ଗଛର ଡାଳ ଖାଇବାକୁ ସେମାନେ ଚେଷ୍ଟା କରିଥିଲେ । ଡାଳଟିରେ ବିଦ୍ୟୁତ୍ ତାର ଲାଗି ରହିଥିଲା । ଡାଳଟିକୁ ସେମାନେ ଟାଣିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ୨ଟି ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଅତୀତରେ ଅନେକ ହାତୀଙ୍କ ମୃତ୍ୟୁ ଉପରୁ ବିଭାଗ ପରଦା ହଟାଇନଥିବା ବେଳେ କିଛି ଅଭିଯୁକ୍ତଙ୍କୁ ବନବିଭାଗ ଓ ପୁଲିସ ଗିରଫ କରିଛି । ତଥାପି ଅନେକ ହାତୀଙ୍କ ମୃତ୍ୟୁ ଉପରୁ ପରଦା ହଟିପାରିନାହିଁ । ଏହି ସମୟରେ ବାର୍ତ୍ତମାନ ପୁଣି ଆଉ ଦୁଇଟି ହାତୀ ମୃତ୍ୟୁକୁ ନେଇ ବନବିଭାଗର ଚିନ୍ତା ବଢ଼ିଯାଇଛି । ଆଉ ଏହି ସମୟରେ ଆରସିସିଏଫ୍‌ ଦୁଇ ହାତୀଙ୍କ ମୃତ୍ୟୁକୁ ନେଇ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରିଛନ୍ତି ।

 

 

Comments are closed.