ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ; ୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

ନାବାଳକ ଅଭିଯୁକ୍ତ ପ୍ରମୋଦର କେନ୍ଦୁଝର ନାବାଳକ ଅଦାଲତରେ ହେବ ଶୁଣାଣି

କେନ୍ଦୁଝରଗଡ଼: ଘସିପୁରା ଥାନା ଧକୋଠା ଗ୍ରାମର ବହୁଚର୍ଚ୍ଚିିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାର ୫ବର୍ଷ ପରେ ବୁଧବାର ଅଦାଲତଙ୍କ ରାୟ ପ୍ରକାଶ ପାଇଥିବା ବେଳେ ୫ଜଣ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ ଗିରଫ ମୋଟ ୬ଜଣଙ୍କ ମଧ୍ୟରୁ କୁଣ୍ଡାକୋଟ ଗ୍ରାମର ତତ୍‌‌କାଳୀନ ୧ନଂ ଜୋନ ଜିଲାପରିଷଦ ସଦସ୍ୟା ନିବେଦିତା ପୃଷ୍ଟିଙ୍କ ଦେଢ଼ଶୁର ନିର ଓରଫ ଅଜିତ ପୃଷ୍ଟିଙ୍କ ସମେତ ଚିଲୁ ଓରଫ ସନ୍ଦୀପ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ପୂର୍ଣ୍ଣଚନ୍ଦ୍ର ବୋଇତେଇଙ୍କୁ ଅତିରିକ୍ତ ଜିଲାଜଜ୍‌‌ ଆନନ୍ଦପୁର ବୁଧବାର ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ମୋଟ ୫୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ଦଣ୍ଡାଦେଶ ହୋଇଛି। ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସେହି ସମୟର ନାବାଳକ ପ୍ରମୋଦ ଦାସ (୧୭)କୁ ପୁଲିସ ଗିରଫ କରିଥିଲେ ମଧ୍ୟ ଅଭିଯୁକ୍ତ ନାବାଳକ ହୋଇଥିବାରୁ ରାଉରକେଲାସ୍ଥିତ ସୁରକ୍ଷିତ ଆଶ୍ରୟସ୍ଥଳରେ ରହୁଥିବା ବେଳେ ଅତିରିକ୍ତ ଜିଲାଜଜ୍‌‌ ତଥା ନାବାଳକ ଅଦାଲତ କେନ୍ଦୁଝରରେ ତା’ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି.ଆନନ୍ଦପୁର ଅଶ୍ୱିନୀ କୁମାର ମଲ୍ଲିକ ମକଦ୍ଦମା ପରିଚାଳନା କରୁଥିଲେ।

prayash

୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦୁଝର ଜିଲାରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭର ୨ଦିନ ପୂର୍ବରୁ ଜିଲାରେ ପ୍ରାକ୍‌‌ ନିର୍ବାଚନୀ ହିଂସା ଆରମ୍ଭ ହୋଇ ୨୦୧୪ ନିର୍ବାଚନରେ ଘସିପୁରାର ସ୍ୱାଧୀନ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ୨୫ ମାର୍ଚ୍ଚ ୨୦୧୯ ରାତି ପ୍ରାୟ ୧୦ଟା ୩୦ମି.ରେ କେତେକ ଦୁର୍ବୃତ୍ତ ଘରୁ ଡାକି ଆଣି ନୃଶଂସ ଭାବେ ହତ୍ୟା କରିଥିଲେ। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ରାଜ୍ୟର ସବୁଠାରୁ ଅଧିକ ସମ୍ବେଦନଶୀଳ ଘସିପୁରା ନିର୍ବାଚନ ମଣ୍ଡଳୀରେ ଘଟିଥିବା ଏହି ଅମାନବୀୟ ଘଟଣାରୁ ଯେଭଳି ରାଜନୈତିକ ବାତାବରଣ ଅଶାନ୍ତ ନ ହୁଏ ତାହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସ୍ଥାନୀୟ ୧ନଂ ଜୋନ ଜିଲାପରିଷଦ ସଦସ୍ୟା ଶାସକ ବିଜେଡି ଦଳର ନିବେଦିତା ପୃଷ୍ଟିଙ୍କ ଦେଢ଼ଶୁର ନିର ଓରଫ ଅଜିତ ପୃଷ୍ଟିଙ୍କ ସମେତ ଚିଲୁ ଓରଫ ସନ୍ଦୀପ ପୃଷ୍ଟି ଓ ପୂର୍ଣ୍ଣଚନ୍ଦ୍ର ବୋଇତେଇକୁ ପୁଲିସ ଗିରଫ କରିଥିବା ବେଳେ ଜିଲାପରିଷଦ ସଦସ୍ୟାଙ୍କ ସ୍ୱାମୀ ରଣଜିତ ପୃଷ୍ଟି ସମେତ ୨ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିଲା।

ସୂଚନାଯୋଗ୍ୟ ଯେ, ଧକୋଠା ନିକଟସ୍ଥ କୁଣ୍ଡାକୋଟ ଗ୍ରାମରେ ଘଟିଥିବା ଏକ ଘରୋଇ ମାମଲାର ବିବାଦ ନିମନ୍ତେ ୨୫ ମାର୍ଚ୍ଚ ୨୦୧୯ ସନ୍ଧ୍ୟାରେ ଧକୋଠା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଏକ ମିଳିତ ଆପୋଷ ବୁଝାମଣା ହୋଇଥିଲା। ଏହି ବୁଝାମଣା ପରେ ରାତି ପ୍ରାୟ ୧୦ଟାରେ ନିକଟସ୍ଥ କୁଣ୍ଡାକୋଟ ଗ୍ରାମର କେତେକ ଯୁବକ ରାମଚନ୍ଦ୍ରଙ୍କ ଘରେ ପହଞ୍ଚି ଡାକିବାରୁ ରାମଚନ୍ଦ୍ର ଘରୁ ପଦାକୁ ଆସିବା ପରେ ଦୁବୃର୍ତ୍ତମାନେ ରାମଚନ୍ଦ୍ରଙ୍କୁ ଖଣ୍ଡା ଓ ଭୁଜାଲି ଭଳି ଧାରୁଆ ଅସ୍ତ୍ରରେ ଅତର୍କିିତ ଆକ୍ରମଣ କରିଥିଲେ। ଦୁବୃର୍ତ୍ତମାନେ ରାମଚନ୍ଦ୍ରଙ୍କ ଦୁଇ ହାତକୁ ଶରୀରରୁ ଅଲଗା କରିବା ସହ ଗୋଡକୁ ହାଣି ରକ୍ତାକ୍ତ କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ। ବାପା ଘର ଭିତରକୁ ଆସିବାରେ ବିଳମ୍ବ ହେବାରୁ ଝିଅ ମୀନାରାଣୀ ଘରୁ ବାହାରକୁ ଆସି ଦେଖିବାରୁ ରାମଚନ୍ଦ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ସମ୍ମୁଖରେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିଲେ। ପଡୋଶୀଙ୍କ ସହାୟତାରେ ରାମଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର ସମୟରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

Comments are closed.