କେଜରିୱାଲଙ୍କୁ ପୁଣି ଝଟକା : ଦିଲ୍ଲୀର ୯ ମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତି ରଦ୍ଦ

0

ନୂଆଦିଲ୍ଲୀ : ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱ ଦିଲ୍ଲୀ ସରକାରକୁ ପୁଣିଥରେ ଝଟକା ଲାଗିଛି। ଦିଲ୍ଲୀ ସରକାରଙ୍କ ୯ଜଣ ମନ୍ତ୍ରୀଙ୍କ ପାଇଁ ନିଯୁକ୍ତ ହୋଇଥିବା ପରାମର୍ଶଦାତାଙ୍କୁ ବହିଷ୍କାର କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସକ୍ରମେ ମଙ୍ଗଳବାର ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ପରାମର୍ଶଦାତାମାନଙ୍କ ନିଯୁକ୍ତିକୁ ରଦ୍ଦ କରିଛନ୍ତି। ଏପ୍ରିଲ ୧୦ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାର ଚିଠିରେ ଉଲ୍ଲେଖ କରିଥିଲା ଯେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ପାଇଁ ଅନୁମୋଦିତ ହୋଇଥିବା ପଦ ତାଲିକାରେ ପରାମର୍ଶଦାତା ନିଯୁକ୍ତିର କୌଣସି ବ୍ୟବସ୍ଥା ନାହିଁ। ଏପରିକି ଏହି ନିଯୁକ୍ତି ସମ୍ପର୍କରେ ଦିଲ୍ଲୀ ସରକାର ଆଗୁଆ କୌଣସି ଅନୁମତି ନେଇ ନଥିଲେ। ତେଣୁ ଏହିସବୁ ନିଯୁକ୍ତିକୁ ରଦ୍ଦ କରାଯାଉ। ଯେଉଁସବୁ ମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତି ରଦ୍ଦ ହୋଇଛି ସେମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପରାମର୍ଶଦାତା ଅତୀଶ ମାରଲେନା ରହିଛନ୍ତି। ଏହି ପରାମର୍ଶଦାତାମାନେ ଗତ ତିନିବର୍ଷ ହେଲା ଦିଲ୍ଲୀ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ରାଘବ ଚଢା, ସିସୋଦିଆଙ୍କ ମିଡିଆ ପରାମର୍ଶଦାତା ଅରୁଣୋଦୟ ପ୍ରକାଶ, ଅମରଦୀପ ତିୱାରି, ପ୍ରଶାନ୍ତ ସାକସେନା, ରଜତ ତିୱାରି, ବି୍ରଗେଡିୟର ଦିନାକର ଆଦିବ (ଅବସରପ୍ରାପ୍ତ) ଓ ସମୀର ମାଲହୋତ୍ରା ରହିଛନ୍ତି। ମାରଲେନା ଓ ଚଢା ଆମ୍‌ ଆଦମୀ ପାର୍ଟିର ମୁଖପାତ୍ର ରହିବା ସହ ଦଳର ନିର୍ବାଚନ ପ୍ରଚାରର ମୁଖ୍ୟ ନାୟକ ରହିଥିଲେ। ଏହି ନିଯୁକ୍ତି ସମ୍ପର୍କରେ ଦିଲ୍ଲୀ ସରକାର ଆବଶ୍ୟକ ନ୍ୟାୟିକ ପରାମର୍ଶ ଗ୍ରହଣ କରି ନଥିଲେ। ପରାମର୍ଶଦାତାଙ୍କ ନିଯୁକ୍ତି ବାତିଲ ହେବା ପରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ପୁଣି ଥରେ ମୁହାଁମୁହିଁ ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ ଆପ୍‌ର ୨୦ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦକୁ ନେଇ କେନ୍ଦ୍ର ଓ ଆପ୍‌ ସରକାର ମୁହାଁମୁହିଁ ହୋଇଥିଲେ। ସଂସଦୀୟ ସଚିବ ଭଳି ଲାଭଜନକ ପଦରେ ରହିବାକୁ ନେଇ ୨୦ଜଣ ଆପ୍‌ ବିଧାୟକଙ୍କ ସଭ୍ୟ ପଦକୁ ରଦ୍ଦ କରାଯାଇଛି। ଏହି ପ୍ରସଙ୍ଗ ଉପରେ ପୁନର୍ବିଚାର କରିବାକୁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply