www.samajalive.in
Friday, December 12, 2025
16.1 C
Bhubaneswar

ପରଲୋକରେ କରୁଣାନିଧି, ତାମିଲନାଡୁରେ ହାଇ ଆଲର୍ଟ

ଚେନ୍ନଇ : ଦ୍ରାବିଡ଼ ମୁନ୍ନେତ୍ର କାଝାଗାମ (ଡିଏମ୍‍କେ) ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‍ କରୁଣାନିଧିଙ୍କ ମଙ୍ଗଳବାର ସନ୍ଧ୍ୟା ୬ଟା ୩୦ ସମୟରେ ଚେନ୍ନଇସ୍ଥିତ କାବେରୀ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। କରୁଣାନିଧି ଜୁଲାଇ ୨୮ରେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୧୧ ଦିନର ସଂଘର୍ଷ ପରେ ସେ ମଙ୍ଗଳବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଅରବିନ୍ଦନ ସେଲଭାରାଜ ମଙ୍ଗଳବାର ଦ୍ୱିପହରେ ହସ୍ପିଟାଲ ବୁଲେଟିନ୍‍ରେ କହିଥିଲେ ଯେ କରୁଣାନିଧିଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସକ୍ରିୟ ରଖିବା କଷ୍ଟକର ହୋଇପଡିଛି। ବୟସାଧିକ କାରଣରୁ ଶରୀରରେ ଜଟିଳ ସମସ୍ୟା ଦେଖାଯାଇଛି ଓ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଲାଗି ରହିଛି। କାଲି ରାତିରେ ଡାକ୍ତର କରୁଣାନିଧିଙ୍କ ପାଇଁ ୨୪ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହିଥିଲେ। କରୁଣାନିଧି ୟୁରିନ ଇନଫେକସନ ଏବଂ ନିମ୍ନ ରକ୍ତଚାପରେ ଆକ୍ରାନ୍ତ ଥିଲେ। କରୁଣାନିଧିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ କାବେରୀ ହସ୍ପିଟାଲ ସମ୍ମୁଖରେ ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ଭିଡ଼ ବଢିବାରେ ଲାଗିଛି। ସମର୍ଥକଙ୍କ ଭିଡ଼କୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ହସ୍ପିଟାଲ ସହ କରୁଣାନିଧିଙ୍କ ବାସଭବନ ଆଗରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଏହାସହ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କରୁଣାନିଧିଙ୍କ ପୁଅ ଏମ୍‍କେ ଷ୍ଟାଲିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନସ୍ୱାମୀଙ୍କୁ ଭେଟି ଆଲୋଚନା କରିଥିଲେ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆରୋଗ୍ୟ କାମନା କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‍ ଯୋଗେ କଲ୍‍ କରି କରୁଣାନିଧିଙ୍କ ସ୍ୱାସ୍ଥାବସ୍ଥା କଥା ପଚାରି ବୁଝିଥିଲେ। ଏହା ପୂର୍ବରୁ ଜାତୀୟ ଏବଂ ରାଜ୍ୟସ୍ତରର ବହୁ ବରିଷ୍ଠ ନେତା ହସ୍ପିଟାଲ ଆସି କରୁଣାନିଧିଙ୍କୁ ଦେଖି ଯାଇଥିଲେ।

ଏମ୍‍. କରୁଣାନିଧି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେ ଏକାଧାରାରେ ଜଣେ କାହାଣୀ ଲେଖକ, ସାମ୍ବାଦିକ, ତାମିଲ ଆନ୍ଦୋଳନକାରୀ ତଥା ରାଜନେତା ଥିଲେ। ୧୯୨୪ ଜୁନ୍‍ ୩ରେ ତାମିଲନାଡୁର ନାଗାପାଟ୍ଟିନମ୍‍ ଜିଲା ଅନ୍ତର୍ଗତ ତିରୁକୁଭାଲାଇଠାରେ ତାଙ୍କ ଜନ୍ମ ହୋଇଥିଲା। କରୁଣାନିଧିଙ୍କ ପ୍ରକୃତ ନାମ ଦକ୍ଷିଣମୂର୍ତ୍ତି। ସ୍କୁଲ୍‍ ଶିକ୍ଷା ସମୟରୁ କଳାସଂସ୍କୃତି ତଥା ସାହିତ୍ୟ ପ୍ରତି ତାଙ୍କର ଖୁବ୍‍ ଆଗ୍ରହ ରହିଥିଲା। ଜୀବନକାଳ ମଧ୍ୟରେ ସେ ୧୦୦ରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ନିଜର ଦୃଢ ମନୋବଳ ଏବଂ ବଳିଷ୍ଠ ନେତୃତ୍ୱ ଦ୍ୱାରା କରୁଣାନିଧି ଡିଏମ୍‍କେକୁ କ୍ଷମତାକୁ ଆଣିବା ସହିତ ନିଜେ ୫ ଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ୧୯୬୯-୭୧, ୧୯୭୧-୭୬, ୧୯୮୯-୯୧, ୧୯୯୬-୨୦୦୧ ଏବଂ ୨୦୦୬-୨୦୧୧ ପର୍ଯ୍ୟନ୍ତ ସେ ତାମିଲାନାଡୁ ମୁଖ୍ୟମନ୍ତ୍ରୀ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories