କାର୍ତ୍ତିକରେ ଭିଡ଼ ନିୟନ୍ତ୍ରଣ ଯୋଜନା: ୧୮ରୁ ସିଂହଦ୍ବାର ଏବଂ ପଶ୍ଚିମଦ୍ବାରରେ ପ୍ରବେଶ
ପୁରୀ : କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଉଭୟ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ୧୮ତାରିଖରୁ କେବଳ ସିଂହଦ୍ବାର ଏବଂ ପଶ୍ଚିମ ଦ୍ବାର ଦେଇ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଅନ୍ୟପକ୍ଷରେ କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ଦ୍ବାରରେ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବାର ବ୍ୟବସ୍ଥା କରାଯାଇଛି। ସିଂହଦ୍ବାରରେ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ପ୍ରବେଶ ଏବଂ ପ୍ରସ୍ଥାନ କଟକଣା ଶ୍ରୀମନ୍ଦିର ସେବକ ଏବଂ ତାଙ୍କ ପରିବାର ପାଇଁ ଲାଗୁ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାବେଳେ ଯେତେ ପଦକ୍ଷେପ ନିଆଗଲେ ବି ଭିଡ଼ ନିୟନ୍ତ୍ରଣ ସମ୍ଭବ ହୋଇପାରୁନି। କାର୍ତ୍ତିକ ବ୍ରତ ପରେ ଏନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଭିତରକାଠ ଓ ବାହାରକାଠ ଦର୍ଶନ ବ୍ୟବସ୍ଥା କିଭଳି ହେବ, ତାହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରି ନାହିଁ। ଅନ୍ୟପଟେ ବାହାର କାଠ ବା ନାଟମଣ୍ଡପରେ ଶ୍ରଦ୍ଧାଳୁମାନେ ଯେଭଳି ବିନା ଠେଲାପେଲାରେ ଠାକୁରଙ୍କୁ ଦର୍ଶନ କରିବେ ସେଥିପାଇଁ ଏକ ନକ୍ସା ପ୍ରସ୍ତୁତ ହୋଇଛି। ଭିତରକାଠ ପର୍ଯ୍ୟନ୍ତ ଭକ୍ତ କିଭଳି ଯିବେ, ତାହାର କୌଣସି ନକ୍ସା ପ୍ରସ୍ତୁତ ହୋଇନାହିଁ। ମହାପ୍ରଭୁଙ୍କ ନୀତିକାନ୍ତିକୁ ପାରମ୍ପରିକ ବ୍ୟବସ୍ଥାରେ ସମ୍ପନ୍ନ କରିବା ଓ ନାଟ ମଣ୍ଡପରେ ସ୍ବତନ୍ତ୍ର ବ୍ୟାରିକେଡଯୁକ୍ତ ରାମ୍ପ ବ୍ୟବସ୍ଥା କରିବା ପ୍ରଶାସନ ପାଇଁ ଆହ୍ବାନ ହେବ। ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାହାର କାଠ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ମତ ରଖିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଏନେଇ ନିଜର ମତ ରଖି ସାରିଛନ୍ତି। ସାତ ପାହାଚରୁ ଶ୍ରଦ୍ଧାଳୁ ରାମ୍ପ ଦେଇ ସ୍ବତନ୍ତ୍ର ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଘଣ୍ଟିଦ୍ବାର ବାଟେ ବାହାରକୁ ପ୍ରସ୍ଥାନ କରିବେ ବୋଲି ମତ ରଖିଛନ୍ତି। ମାତ୍ର ଭିତରକାଠ ପର୍ଯ୍ୟନ୍ତ ହେଉଥିବା ଠେଲାପେଲାକୁ ଶୃଙ୍ଖଳିତ କରିବା ପାଇଁ କୌଣସି ନକ୍ସା ହୋଇଛି ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସାତ ପାହାଚ ପୂର୍ବରୁ ବ୍ୟାରିକେଡ କରାଯାଇ ଦେଉଳ ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି। ପର୍ଯ୍ୟାୟକ୍ରମେ ଅଳ୍ପ ଅଳ୍ପ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ପାଇଁ ବଡ଼ଦେଉଳ ଭିତରକୁ ଛଡ଼ା ଯିବାର ବ୍ୟବସ୍ଥା ହୋଇଛି। ଯେଭଳି ଭିଡ଼ ନ ହେବ ସେଥିପାଇଁ ଜୟ ବିଜୟ ଦ୍ବାର ଆଗରୁ ରଶି ଓ ବାଡ଼ ପକାଇ ଭକ୍ତଙ୍କୁ ରୋକା ଯିବାର ବ୍ୟବସ୍ଥା ହୋଇଛି। ଏହାପରେ ଆଉ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନାହିଁ। ଭିଭିଆଇପି ଦର୍ଶନ ପାଇଁ ନାଟ ମଣ୍ଡପରେ ରହିଥିବା ଗଳାବାଟ ମଧ୍ୟ ବନ୍ଦ ହୋଇନାହିଁ। ଏ ସମସ୍ତ ବିଷୟ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ବୋଲି କୁହାଯାଇଛି। କାର୍ତ୍ତିକ ପରେ ଶ୍ରୀମନ୍ଦିର ପ୍ରଶାସନ ଆରମ୍ଭ କରିବାକୁ ଥିବା ରାମ୍ପ ବ୍ୟବସ୍ଥାକୁ ଦେଖିବା ପାଇଁ ଭକ୍ତଙ୍କ ଉତ୍କଣ୍ଠା ବଢ଼ିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ,ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସମ୍ପୃକ୍ତ ସେବାୟତ ନିଯୋଗ ସହ ବାର୍ତ୍ତାଳାପ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।
Comments are closed.