ଧାନ ବେଣୀରେ ଦେଶ କରମ ପର୍ବ, ଉଠିଲା ଜାୱା
ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ପଡ଼ିଆରେ ବୁଧବାର କୁଡୁମୀ ଜାତିର ବିଶେଷ ପର୍ବ ଦେଶ କରମ ବୁଧବାର ଠାରୁ ଆରମ୍ଭ ହୋଇଛି। ଏହା ସାତ ଦିନ ଧରି ଅନୁଷ୍ଠିତ ହେବ । କୁଡୁମୀ ଜାତିର କୁଆଁରୀ ଝିଅ ମାନେ ଧାନ ବେଣୀ ନିକଟ ବୈତରଣୀ ନଦୀରୁ ନାଚ ଗୀତ ଗାଇ ଜାୱା ଉଠାଇ ଜାୱାକୁ ଧାନବେଣୀ ଠାରେ ହେବାକୁ ଥିବା ମଣ୍ଡପ ନିକଟରେ ଅଵସ୍ଥାପିତ କରିଛନ୍ତି । ଏହି ଦେଶ କରମ ପୂଜା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ଧାନବେଣୀରେ ଧୂମଧାମରେ ଜାୱା ଉଠାଣ ପରେ ଝୁମର ନୃତ୍ୟ ଓ ବିଭିନ୍ନ ପାରମ୍ପରିକ ନୃତ୍ୟ ବାଦ୍ୟଯନ୍ତ୍ରରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଦେଶ କରମ ପର୍ବର ସଭାପତି ଜୟନ୍ତୀ ମହାନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୁଖ୍ୟ ବକ୍ତା ଭାବେ ପଶ୍ଚିମବଙ୍ଗ ପୁରିଲିଆର ନଗେନ ପୁନିରିଆର, ସମ୍ମାନିତ ଅତିଥି ଭାବେ ଓଡିଶା ଦେଶ କରମ କମିଟି ସଭାପତି ନବୀନ କିଶୋର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ସଭା କାର୍ଯ୍ୟକୁ ମନୋଜ ମହାନ୍ତ ପରିଚାଳନା କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଓ ନୃତ୍ୟ ଶିଳ୍ପୀ ଏବଂ ଅନୁଷ୍ଠାନ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ ଆଦି ଜିଲ୍ଲା ମାନଙ୍କରୁ କୁଡୁମି ସମ୍ପ୍ରଦାୟର ବହୁ ସଂଖ୍ୟାରେ ଲୋକମାନେ ଯୋଗଦାନ କରିଥିବା ଜଣାପଡିଛି ।
Comments are closed.