ଅସହାୟ ସନ୍ତୋଷଙ୍କୁ ସାହାଯ୍ୟର ହାତ ବଢାଇଲେ ଚା’ ବିକାଳି ଡିଗେଶ୍ଵର
ଚିକିତ୍ସା ପାଇ ଅର୍ଥ ସାଜିଛି ବାଧକ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନୂଆପଡାରେ ରହୁଥିବା କିଡ୍ନୀ ରୋଗୀ ସନ୍ତୋଷ ଦଣ୍ଡସେନାଙ୍କୁ ସହଯୋଗରେ ହାତ ବଢାଇଲେ ଚା’ ବିକାଳି ଡିଗେଶ୍ଵର ଠେଲା । ସନ୍ତୋଷ କଣ୍ଟାବାଞ୍ଜିର ଏକ ହୋଟେଲରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଡାକ୍ତର ପରାମର୍ଶ ପରେ ତାଙ୍କ କିଡ୍ନୀ ଖରାପ ହୋଇଥିବା ସେ ଜାଣିବାକୁ ପାଇଥିଲେ । ରାଜ୍ୟ ସରକାର ଦେଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ସହଯୋଗରେ ରାଜ୍ୟ ବାହାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଉଥିବା ବେଳେ ଡାକ୍ତର କିଡ୍ନୀ ପ୍ରତିରୋପଣ ପାଇଁ କହିଛନ୍ତି । ସନ୍ତୋଷଙ୍କ ବୃଦ୍ଧା ମାଁ ନିଜ ପୁଅ ପାଇଁ କିଡ୍ନୀ ଦେବାକୁ ରାଜି ହୋଇଛନ୍ତି । ତେବେ ଏଥିରେ ଅର୍ଥ ସାଜୁଛି ବାଧକ । ବିଭିନ୍ନ ସୋସିଆଲ ମିଡିଆରେ ସନ୍ତୋଷ ତାଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିବା ବେଳେ ଆଜି ସ୍ଥାନୀୟ ଇନ୍ଦିରା ଛକରେ କାହ୍ନା ଟି ଷ୍ଟଲ ନାମରେ ଖୋଲିଥିବା ଚା’ ଦୋକାନ ମାଲିକ ଡିଗେଶ୍ଵର ଠେଲା ସନ୍ତୋଷଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ୭ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିଛନ୍ତି । ଆଗକୁ ମଧ୍ୟ ନିଜର ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବି ବୋଲି କହିବା ସହ ଅନ୍ୟ ମାନେ ମଧ୍ୟ ସନ୍ତୋଷଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି । ସନ୍ତୋଷଙ୍କ କଷ୍ଟକୁ ସହି ନ ପାରି ଡିଗେଶ୍ଵର ସହଯୋଗରେ ହାତ ବଢାଇଥିବା ବେଳେ ଅନ୍ୟ ସମାଜସେବୀ ସ୍ଵେଚ୍ଛାସେବୀ ମାନଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
Comments are closed.