ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି :  କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଜିଲ୍ଲା ମାନ୍ୟତା ଦାବିନେଇ ଶନିବାର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ସହିତ ବେଲପଡା ବ୍ଲକ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି।
ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଦୋକାନ, ବଜ଼ାର, ଗାଡି ଚଳାଚଳ ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ କରାଯାଇଛି। କେଵଳ ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ଅନୁଷ୍ଠାନ ଗୁଡିକୁ ବାଦ ଦିଆଯାଇଛି । ସ୍କୁଲ, କଲେଜରେ ପରୀକ୍ଷା ଚାଲୁଥିବାରୁ ସ୍କୁଲ ଵସ୍ ଓ କିଛି ଶିକ୍ଷା ଅନୁଷ୍ଠାନ ଗୁଡିକୁ ବନ୍ଦରୁ ବାଦ ଦିଆଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।
ତେବେ କଣ୍ଟାବାଞ୍ଜି ଜିଲ୍ଲା ଦାବିକୁ ପୂର୍ଣ୍ଣ ସମର୍ଥନ ଦେଇ ଆଜି ସ୍ଥାନୀୟ ଇନ୍ଦିରା ଛକ ଠାରେ ହୋଇଥିବା ସଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜେପି କୃଷକ ମୋର୍ଚା ରାଜ୍ୟ ଉପ ସଭାପତି ଲକ୍ଷ୍ମଣ ବାଗ ଯାଦବ, କଣ୍ଟାବାଞ୍ଜି ନଗରପାଳ ବରୀୟମ ସିଂ ସାଲୁଜା, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ପୂର୍ବତନ ଜିଲାପରିଷଦ ସଭ୍ୟ ଉଦ୍ଧବ ବେହେରା ପ୍ରମୁଖ ଯୋଗ ଦେଇ କଣ୍ଟାବାଞ୍ଜି ଜିଲ୍ଲା ଦାବିକୁ ପୂର୍ଣ୍ଣ ସମର୍ଥନ ଦେବା ସହିତ ନିଜ ନିଜ ମତ ଦେଇଥିଲେ।
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ତିନୋଟି ବ୍ଲକ ସହ ଖପ୍ରାଖୋଲା, ବେଳପଡା ବ୍ଲକ ଆଦି ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୬୦ ରୁ ୧୨୦ ପର୍ଯ୍ୟନ୍ତ ବିସ୍ତୃତ। ଏହି ପାଞ୍ଚଟି ବ୍ଲକକୁ ବଲାଙ୍ଗୀରରୁ ଗମନାଗମନ ବିଶେଷ ସୁବିଧା ନାହିଁ ଓ ଏହି ବ୍ଲକ ମଧ୍ୟ ଦାଦନ ସହ ମାଓ ପ୍ରବଶ ଅଞ୍ଚଳ। ତେଣୁ ଏ ଅଞ୍ଚଳର ସରଳ, ନିରୀହ ଅଧିବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେବା ସଙ୍ଗେ ମୌଳିକ ଅଧିକାରରୁ ବଂଚିତ ରହୁଛନ୍ତି ।
ଅନ୍ୟ ପକ୍ଷରେ ପ୍ରଶାସନକୁ ଲୋକାଭିମୂଖୀ କରିବା ପାଇଁ ଏବଂ ସମତୁଳ ଆଂଚଳିକ ଉନ୍ନତି ପାଇଁ ସ୍ବର୍ଗତ ବିଜୁ ବାବୁ ୧୩ ଜିଲ୍ଲାର ପୁନଃର୍ଗଠନ କରି ୩୦ ଟି ଜିଲ୍ଲାରେ ପରିଣତ କରିଥିଲେ। ବର୍ତମାନ ମୁଖ୍ୟମନ୍ତ୍ରୀ ଲୋକସେବାକୁ ଆହୁରୀ ସୁଦୃଢ଼ କରିବା ପାଇଁ ଜିଲ୍ଲା ପୁନଃର୍ଗଠନର ପ୍ରତିଶୃତି ଦେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ପୁର୍ନଗଠନର ଯଥେଷ୍ଟ ଯୁକ୍ତିଯୁକ୍ତତା ରହିଛି। ତେବେ ନିରପେକ୍ଷ ଭାବରେ ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ଏକ ନୂତନ ଜିଲ୍ଲା ଗଠନ କରିବା ପାଇଁ ଦାବୀ କରାଯାଉଛି ।
ଭୌଗଳିକ,ସମାଜିକ, ଅର୍ଥନୈତିକ, ରାଜନୈତିକ ବାସ୍ତବତାକୁ ଦୃଷ୍ଟିକୁ ନେଇ ‘କଣ୍ଟାବାଞ୍ଜି’ ହିଁ ଏକ ନୂତନ ଜିଲ୍ଲା ହେବାର ଯଥାର୍ଥତା ବହନ କରେ। କଣ୍ଟାବାଞ୍ଜି , ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ବାଣିଜ୍ୟିକ ସହର, ବଲାଙ୍ଗିର ଜିଲ୍ଲାର ଅନ୍ୟତମ ମୂଖ୍ୟ ସହର ତଥା ସର୍ବ ପୂରାତନ ବିଧାନସଭାନିର୍ବାଚନ ମଣ୍ଡଳୀ ଅଟେ। ଏହି ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା ୪ଲକ୍ଷରୁ ଉର୍ଦ୍ଧ୍ବ, ଜିଲ୍ଲା ପାଇଁ ଆବଶ୍ୟକ ହେଉଥିବା ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ନିର୍ବାଚନ ମଣ୍ଡଳୀରେ ରହିଛି ।
ନିର୍ବାଚନ ମଣ୍ଡଳୀର କଂଟାବାଞ୍ଜି ପୌରାଂଚଳ, ୩ଟି ବ୍ଳକ ଓ ୩ ଟି ତହସିଲର ରାଜସ ଅନ୍ୟାନ୍ୟ ଜିଲ୍ଲା ଯଥା- ଦେବଗଡ଼,ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲା ଠାରୁ ୩ ଗୁଣା ରାଜସ୍ୱ ସରକାରଙ୍କ ତହବିଲରେ ଜମା ହୁଏ । ପ୍ରତ୍ୟେକ କ୍ଷେତ୍ର ରେ ତୁଳନା କଲେ ଜିଲ୍ଲା ଦାବୀ ଦୃଷ୍ଟିରୁ ଅଧିକ ଯଥାର୍ଥତା ବହନ କରୁଅଛି ।
ଶିକ୍ଷା କ୍ଷେତ୍ରରେ କଣ୍ଟାବାଞ୍ଜିରେ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ, ବିଜ୍ଞାନ, କଳା ଓ ବାଣିଜ୍ୟ ମହାବିଦ୍ୟାଳୟ, ସ୍ନାତକ ଓ ସ୍ନାତକୋତ୍ତର ଏବଂ ମହିଳା ଯୁକ୍ତଦୁଇ ଓ ଡିଗ୍ରୀ କଲେଜ ରହିଥିବା ସ୍ଥଳେ, ଆଇଟିଆଇ ସ୍କିଲ  ଡେଭଲପମେଣ୍ଟ ସେଣ୍ଟର, ପ୍ରଧାନ ମନ୍ତ୍ରୀ କୌଶଳ କେନ୍ଦ୍ର ରହିଥିବା ହେତୁ ଏକ ସଦର ମହକୁମାରେ ଆବଶ୍ୟକ ଥିବା କୁହାଯାଉଛି।
ଭୌଗଳିକ ପରିସୀମା କ୍ଷେତ୍ରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପରିସୀମା ୨୬୨୨ ବର୍ଗ କି.ମି. ଯାହାକି ବଲାଙ୍ଗିର ଜିଲ୍ଲାର ପରିସୀମା ଠାରୁ ପ୍ରାୟ ୪୦ ଭାଗ। ତେଣୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ସବୁ ମହଲୁରୁ ଦାବି ହେଉଛି।

Comments are closed.