କଲମପୁର: ଗୁରୁବାର ସକାଳୁ କଲମପୁର ଉପରପଡାରେ ଘଟିଥିଲା ଏକ ଅଘଟଣ। ଲଗାଣ ବର୍ଷାର ପ୍ରଭାବରେ ଜନୈକ ବ୍ୟକ୍ତିଙ୍କ ମାଟି କାନ୍ଥର ଘର ଭୁଷୁଡି ପଡିବା ଯୋଗୁଁ ଘର ତଳେ ଚାପି ହୋଇ ଗୁରୁତର ହେଇଥିଲେ ଉକ୍ତ ବ୍ୟକ୍ତିଙ୍କ ଯୁବତୀ ଝିଅ। ପଡୋଶୀ ଲୋକ ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଆବଶ୍ୟକ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଅଭାବନୀୟ ଘଟଣା ପ୍ରଚାରିତ ହେବା ପରେ କଲମପୁର ତହସିଲଦାର ମୋହନ ଚରଣ ଜେନା ରାଜସ୍ବ ନିରୀକ୍ଷକ ସୁଶ୍ରୀ ଅର୍ଚ୍ଚନା ସାହୁ, ସହକାରୀ ରାଜସ୍ୱ ନିରୀକ୍ଷକ ନରୋତ୍ତମ ସା, ଅମୀୟ କୁମାର ପ୍ରଧାନୀ ପ୍ରମୁଖଙ୍କ ସମେତ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ପ୍ରଭାବିତଙ୍କ ଘର ନିକଟରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଦେଖିବା ସହ ପରିବାର ଲୋକ ଅନୁପସ୍ଥିତ ଯୋଗୁଁ ପଡୋଶୀଙ୍କ ସହ ଆଲୋଚନା କରିଥିଲେ।
ସୂଚନା ଅନୁସାରେ କଲମପୁର ଉପରପଡାର ବିଜୟ ମାଝୀଙ୍କ ମାଟି କାନ୍ଥର ଘର। ଗୁରୁବାର ସକାଳୁ ଲାଗି ରହିଥିଲା ବର୍ଷା। ଏହି ବର୍ଷା ସମୟରେ ବିଜୟ ମାଝୀଙ୍କ ୨୨ ବର୍ଷିୟ ଝିଅ ବିଳାସିନୀ ଘର ପଛପଟେ ଗାଧୋଉଥିଲେ। ଏହି ସମୟରେ ମାଟି କାନ୍ଥ ଭୁଶୁଡି ଯାଇ ବିଳାସିନୀ ଉପରେ ପଡ଼ିଯାଇଥିଲା। ଫଳରେ ବିଳାସିନୀ ଘର ତଳେ ଚାପି ହୋଇ ଗୁରୁତର ହେଇଥିଲେ। ଏନେଇ ତୁରନ୍ତ ପଡୋଶୀ ଲୋକ ଘଟଣା ସ୍ଥଳରେ ପହଞ୍ଚି ବିଳାସିନୀକୁ ଉଦ୍ଧାର କରିଥିଲେ। ଏହାସହ ତୁରନ୍ତ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ ବିଜୟ ମାଝୀ ଅତ୍ୟନ୍ତ ଗରିବ। ବର୍ତମାନ ପରିସ୍ଥିତିରେ ଘର ଭାଙ୍ଗି ଯିବା ଯୋଗୁଁ ପରିବାର ଲୋକ ଅସହାୟ ହେଇ ପଡିଛନ୍ତି। ବର୍ଷା ଦିନ। ବର୍ତ୍ତମାନ ଏ ଭଳି ପରିସ୍ଥିତିରେ କେଉଁଠି ଆଶ୍ରୟ ନେବେ ସେନେଇ ଚିନ୍ତିତ ହେଇ ପଡିଛନ୍ତି। ଅନ୍ୟପଟେ ପ୍ରଭାବିତ ଘର ଦେଖିବାକୁ ଆସିଥିବା ତହସିଲଦାର ଏବଂ ବିଡ଼ିଓଙ୍କୁ ତୁରନ୍ତ ଏଭଳି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନେଇ ପଡୋଶୀ ଅଧିକାରୀମାନଙ୍କୁ ଜଣାଇଥିଲେ।



