କଲମପୁର : କଳାହାଣ୍ଡିର କାଶ୍ମିର ଭାବେ ପରିଚିତ ଥୁଆମୁଳ ରାମପୁରରେ ଜାରି ରହିଛି ଶୀତ ଲହରୀ। ଦିନକୁ ଦିନ ପାରଦ ନିମ୍ନଗାମୀ ହେବାରେ ଲାଗିଛି। ଏହାର ପ୍ରଭାବରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେଇଥିବା ସାଧାରଣରେ ଅଭିଯୋଗ ହେଉଛି।
ପ୍ରାପ୍ତ ସୂଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ପୋଖରା ଗ୍ରାମର ଅସହାୟ ୮୦ ବର୍ଷିୟ ବୃଦ୍ଧ ଚେରଙ୍ଗୁ ମାଝୀଙ୍କ ଶୀତର ପ୍ରଭାବରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ପୋଖରା ଗ୍ରାମବାସୀ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ମୃତ ବୃଦ୍ଧଙ୍କ କେହି ନିଜ ଲୋକ କିମ୍ବା କୌଣସି ସମ୍ପତି ନଥିବାରୁ ବୃଦ୍ଧ ଜଣକ ଭିକ ମାଗି ନିଜର ପେଟ ପ୍ରତିପୋଷଣ କରି ଆସୁଥିଲେ। ଘର ନଥିବାରୁ ଗାଁ ବିଦ୍ୟାଳୟର ଏକ ଶୌଚାଳୟ ତାଙ୍କର ଆଶ୍ରୟସ୍ଥଳ ପାଲଟିଥିଲା। ବୁଧବାର ସକାଳେ ବୃଦ୍ଧ ଜଣକ ସେହି ଆଶ୍ରୟ ସ୍ଥଳରେ ମୃତ୍ୟୁବରଣ କରିଥିବା ଲୋକ ଦେଖି ଗାଁ ୱାର୍ଡ ମେମ୍ବର ଜଗନ୍ନାଥ ନିଆଲଙ୍କୁ ସୂଚନା ଦେଇଥିଲେ। ଶ୍ରୀ ନିଆଲ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଁ ସମାଜ ଲୋକଙ୍କ ସହାୟତା ମାଗିଥିଲେ। କିନ୍ତୁ ଅନେକ ସାହି ଭାଇ ଶବ ସତ୍କାର ନେଇ ଅମଙ୍ଗ ହେବା ଦେଖି ସମିତି ସଭ୍ୟ ମନୋରଞ୍ଜନ ନାଏକଙ୍କୁ ଜଣାଇଥିଲେ। ଶ୍ରୀ ନାଏକ ବ୍ଲକ ପ୍ରଶାସନ ସମେତ ତହସିଲଦାର ଓ ପୁଲିସକୁ ସୂଚନା ଦେଇ ଘଟଣାସ୍ଥଳରେ ପହଞ୍ଚି ସମାଜ ଲୋକଙ୍କୁ ବୁଝାଇଥିଲେ। ଏହାପରେ ପ୍ରଶାସନ ତରଫରୁ ଶବସତ୍କାର ନେଇ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ପ୍ରଦାନ କରିବା ପରେ ସମାଜ ଲୋକ ଶବ ସତ୍କାର କରିଥିଲେ।
ସୂଚନାଯୋଗ୍ୟ ଯେ, ବୃଦ୍ଧ ଜଣକର କେହି ନଥିବାରୁ ସେ ଏକାକୀ ଭିକ ମାଗି ବିଦ୍ୟାଳୟର ଶୌଚାଳୟରେ କାଳତିପାତ କରୁଥିଲେ। ସରକାରଙ୍କ ତରଫରୁ କେବଳ ଭତା ମିଳୁଥିଲା, କିନ୍ତୁ ସେହି ଭତା କାର୍ଡ ମଧ୍ୟ ଅନ୍ୟ କାହା ପାଖରେ ବନ୍ଧକ ରଖିଥିବା ସୂଚନା ମିଳିଛି। ତେଣୁ ଜିଲା ପ୍ରଶାସନ ଏହାର ଏକ ନିରପେକ୍ଷ ତଦନ୍ତ କରି ଆବଶ୍ୟକିୟ ପଦକ୍ଷେପ ନେଲେ ଆଗାମୀ ଦିନରେ ଚେରଙ୍ଗୁ ମାଝୀର ଘଟଣାଭଳି ଘଟଣାର ପୁନରାବର୍ତ୍ତି ଘଟିବ ନାହିଁ।
ଶୀତର ପ୍ରଭାବ ବୃଦ୍ଧି ପାଉଥିବା ଓ ଏହାର ପ୍ରଭାବରେ ଅସହାୟ ବୃଦ୍ଧ ପ୍ରଭାବିତ ହେବାର ଆଶଙ୍କା ରହିଥିବା ‘ସମାଜ’ ଖବର କାଗଜରେ ଖବର ପ୍ରକାଶିତ ହେଇଥିଲା। ବୃଦ୍ଧ ଜଣକ ଶୀତର ପ୍ରଭାବରେ ମୃତ୍ୟୁ ବରଣ କରିବା ଘଟଣା ‘ସମାଜ’ର ଆଶଙ୍କା ସତରେ ପରିଣତ ହେଇଛି। ବି.ଡି.ଓ ନବିନ ଚନ୍ଦ୍ର ନାଏକଙ୍କ ସହିତ ଯୋଗାଯୋଗ କରିବା ପରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ମତବ୍ୟକ୍ତ କରିଥିଲେ, କିନ୍ତୁ ବୃଦ୍ଧଙ୍କ ମୃତ୍ୟୁର କାରଣ ସମ୍ବନ୍ଧରେ କୌଣସି ମନ୍ତବ୍ୟ ଦେଇନଥିଲେ। ଏଠାରେ ସରକାରୀ ଭାବେ ତାପ ମାପକ ଯନ୍ତ୍ର ନଥିବାରୁ କେତେ ପରିମାଣରେ ଶୀତ ଅନୁଭୁତ ହେଉଛି ତାହା ଅଷ୍ପଷ୍ଟ ରହୁଛି। କିନ୍ତୁ ବେସରକାରୀ ସୂତ୍ରରୁ ଏହି ଅଂଚଳର ପାରଦ ଦିନକୁ ଦିନ ନିମ୍ନଗାମୀ ହୋଇ ଶୂନ୍ୟରେ ପହଞ୍ଚିଥିବା ଜଣାପଡିଛି।
ଜାରି ରହିଛି ଅସହ୍ୟ ଶୀତ ଲହରୀ ; ଅସହାୟ ବୃଦ୍ଧର ମୃତ୍ୟୁ ଅଭିଯୋଗ
Popular Categories



