କଲମପୁର : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବୁଡି ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦ୍ରୋଣ ବାଗ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ସୋମବାର ଅପରାହ୍ନରେ ତାଳପଦର ଗାଁର ୬୨ ବର୍ଷିୟ ବୃଦ୍ଧ ଦ୍ରୋଣ ବାଗ ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଶୌଚ ପାଇଁ ଯାଇଥିଲେ । ସେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ପରିବାର ଲୋକେ ଦ୍ରୋଣଙ୍କ ଘରକୁ ଫେରିବାରେ ବିଳମ୍ବ ଦେଖି କେନାଲ ପଟକୁ ଖୋଜିବା ପାଇଁ ଯାଇଥିଲେ । ଦ୍ରୋଣର କୌଣସି ସନ୍ଧାନ ମିଳିନଥିଲା । କିନ୍ତୁ କେନାଲ ହୁଡାରେ ତାଙ୍କ ଗାମୁଛା ଏବଂ ଚପଲ ପଡିଥିବାରୁ କେନାଲ ପାଣିରେ ବୁଡିଯାଇଥିବା ସନ୍ଦେହ କରି ତାଙ୍କ ସମ୍ପର୍କୀୟ ଧିରୋଜ ବାଗ ତୁରନ୍ତ ଚିଲିଗୁଡା ପୁଲିସ ଫାଣ୍ଡି ସମେତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଜୁନାଗଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବୃଦ୍ଧଙ୍କୁ ଖୋଜିଥିଲେ । କିନ୍ତୁ କେନାଲରେ ଅଧିକ ପାଣି ପ୍ରବାହିତ ହେଉଥିବା ସହ ସଂଧ୍ୟା ହେଇଯାଇଥିବାରୁ ଅନ୍ଧାରରେ ଖୋଜିବାରେ ବାଧା ସୃଷ୍ଟି ହେଇଥିଲା । ମଙ୍ଗଳବାର ସକାଳୁ କଲମପୁର ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଅନିଲ ବାରିକଙ୍କ ନେତୃତ୍ୱରେ ଡିସେମ୍ବର ବୁଡେକ, ଲଳିତ ପଟେଲ, ଦୁର୍ଜ୍ୟୋଧନ ଜଗତ ଏବଂ ସଦନ ପ୍ରଧାନ ପ୍ରମୁଖ କର୍ମଚାରୀ କେନାଲ ଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ । ମୃତଦେହକୁ ଉଦ୍ଧାର କରିବା ପରେ ପରିବାର ଲୋକଙ୍କ ସହଯୋଗରେ କେନାଲ ଉପରକୁ ଆଣିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଚିଲିଗୁଡା ପୁଲିସ ଫାଣ୍ଡି ଅଧିକାରୀ ମୀନକେତନ ଶବରକୁ ଶବ ହସ୍ତାନ୍ତରିତ କରିଥିଲେ । ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



