ତ୍ରିମୁଖୀ ପ୍ରତିଦ୍ବନ୍ଦିତାର ସମ୍ମୁଖିନ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଂସଦୀୟ ନିର୍ବାଚନ କ୍ଷେତ୍ର ଗଠନ ହେବା ଦିନଠାରୁ ଏହା ଉପରେ କଂଗ୍ରେସର ଦବ୍‌ଦବା ରହି ଆସିଥିଲେ ହିଁ ସମୟ ଓ ସମୀକରଣର ପରିବର୍ତ୍ତନରେ ଏହି ସଂସଦୀୟ ଆସନଟି କଂଗ୍ରେସ ହାତରୁ ଅଣକଂଗ୍ରେସ ଦଳ ବିଜେପିକୁ ଚାଲିଯାଇଥିଲା। ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ତଥା ଏହି କ୍ଷେତ୍ରର ବିଜେପି ପ୍ରାର୍ଥୀ ଜୁଏଲ ଓରାମ ୧୯୯୯, ୨୦୦୪ନିର୍ବାଚନରେ ଲଗାତାର ଦୁଇଥର କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ ମଧ୍ୟ ୨୦୦୯ ନିର୍ବାଚନରେ ଅଳ୍ପ କେତେକ ଭୋଟ ବ୍ୟବଧାନରେ କଂଗ୍ରେସର ହେମାନନ୍ଦ ବିଶ୍ବାଳଙ୍କଠାରୁ ପରାଜିତ ହୋଇଥିଲେ ମାତ୍ର ଗତ ନିର୍ବାଚନରେ ବିଜେପିର ଜୁଏଲ ଓରାମ ବିଜେଡ଼ି ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କୁ ପରାଜିତ କରିବା ସହ ରାଜ୍ୟରେ ଗୋଟିଏ ମାତ୍ର ସଂସଦୀୟ କ୍ଷେତ୍ରରେ ବିଜୟୀ ପ୍ରାର୍ଥୀ ଭାବେ ଗୌରବ ଅର୍ଜନ କରିଥିଲେ। ଚଳିତ ନିର୍ବାଚନରେ ତାଙ୍କୁ ତ୍ରିମୁଖୀ ପ୍ରତିଦ୍ବନ୍ଦିତାର ସମ୍ମୁଖିନ ହେବାକୁ ପଡ଼ୁଥିଲେ ବି ନିର୍ବାଚନ ଶେଷ ପର୍ଯ୍ୟାୟରେ କୁଆଡ଼େ ଏହା ଦ୍ବିମୁଖୀ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ୨୦୧୪ ନିର୍ବାଚନରେ ହେମାଙ୍କୁ ହରାଇ ଜୁଏଲ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ତାଙ୍କ କନ୍ୟା ସୁନିତା ବିଶ୍ବାଳ ବିଜେଡ଼ିର ପ୍ରାର୍ଥୀନୀ ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ମଧ୍ୟ ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି।

prayash

ଏହି ସଂସଦୀୟ କ୍ଷେତ୍ରରେ ମୋଟ ୮ଜଣ ଜୁଏଲ, ସୁନିତା, ଜର୍ଜ ସମେତ ଏସ.ୟୁ.ସି.ଆଇର ଜଷ୍ଟିନ ଲୁଗୁନ, ଆପର ବାସିଲ ଏକ୍କା, ନିର୍ଦଳୀୟ ଭାବେ ଜଷ୍ପିନ ଲାକ୍ରା, ଉଦିତ ଚନ୍ଦ୍ର ଅମାତ, ଦୟାନନ୍ଦ ଭିତ୍ରିଆ ପ୍ରମୁଖ ନିର୍ବାଚନ ମୈଦାନରେ ଅବତିର୍ଣ୍ଣ ହୋଇଛନ୍ତି। ଜୁଏଲଙ୍କ ଦୁଇ ପ୍ରତିଦ୍ବନ୍ଦୀ ସୁନିତାଙ୍କ ପରିଚୟ ସୁନ୍ଦରଗଡ଼ ରାଜନୀତିରେ ଏକ ପ୍ରକାର ନୂଆ ଚେହେରା ହୋଇଥିଲେ ହିଁ ଅନ୍ୟତମ ପ୍ରତିଦ୍ବନ୍ଦୀ ଜର୍ଜ ପୂର୍ବରୁ ୧୯୯୯, ୨୦୦୪ରେ ଜୁଏଲଙ୍କ ସହ ପ୍ରତିଦ୍ବନ୍ଦିତା କରିଛନ୍ତି ହେଲେ ମୋଦୀ ହାୱା ଓ କେନ୍ଦ୍ର ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନାର ସାହାରା ନେଇ ଜୁଏଲ ଏଥର ପୁଣି ଗଡ଼ ରକ୍ଷା କରିବା ପାଇଁ ସକ୍ଷମ ହେବେ ବୋଲି ତାଙ୍କ ସମର୍ଥକମାନେ କହୁଥିବା ବେଳେ ଅନ୍ୟତମ ପ୍ରତିଦ୍ବନ୍ଦୀ ଜର୍ଜ କଂଗ୍ରେସ ଦଳରେ ମିଶି କଂଗ୍ରେସର ପାରମ୍ପାରିକ ଭୋଟକୁ ଅକ୍ତିଆର କରି ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି। ପୂର୍ବରୁ ଜିଲାର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗକୁ ନେଇ ଜର୍ଜ ଆନ୍ଦୋଳନ, ରାସ୍ତାରୋକ, ଧାରଣା ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିଥିବାରୁ କିଛି ଆନ୍ଦୋଳନରେ ସେ ସଫଳତା ପାଇଥିବା ବେଳେ ଅନ୍ୟ କେତେକ ଆନ୍ଦୋଳନରେ ସେ ଲୋକଙ୍କ ସମାଲୋଚନାର ସରବ୍ୟ ହୋଇଛନ୍ତି। ସେ ମଧ୍ୟ ଗାଁ ଗାଁ ବୁଲି ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି।

ସେହିପରି ସୁନିତା ବିଶ୍ବାଳ ଦଳ ଓ ସଂସଦୀୟ କ୍ଷେତ୍ର ପାଇଁ ନୂଆ ଚେହେରା ହେଲେ ହିଁ ରାଜନୈତିକ ପରିବାର ଓ ବିଜେଡ଼ିର ପ୍ରାର୍ଥୀନୀ ହୋଇଥିବାରୁ ସେ ମଧ୍ୟ ପ୍ରଚାର କାର୍ଯ୍ୟ ନିଜ ସପକ୍ଷରେ ଜାରି ରଖିଛନ୍ତି । ପ୍ରଚାର କାଳରେ ସେ ନବୀନଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଅବଗତ କରାଇ ବିଶେଷ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ମହିଳାଙ୍କ ସୁରକ୍ଷା ପାଇଁ ନବୀନ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ସଚେତନ କରାଇ ଭୋଟ ଭିକ୍ଷା କରୁଥିବା ଦେଖାଯାଉଛି ହେଲେ ପ୍ରାର୍ଥୀମାନେ ଜିଲାର ପ୍ରମୁଖ ସମସ୍ୟା ସଂପର୍କରେ ଏତେଟା ଗୁରୁତ୍ବ ନ ଦେଇ କେବଳ ପ୍ରତିଶୃତି ସଂପର୍କରେ ପ୍ରଚାର କରୁଥିବାର ଦେଖାଦେଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ଠାରେ ନିର୍ବାଚନ ପ୍ରଚାର ସାରି ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ମୋଦୀ ଇଫେକ୍ଟ ରହିଛି ବୋଲି ଦଳ ଦାବି କରୁଥିବା ବେଳେ ନବୀନଙ୍କ ପ୍ରଚାର ମଧ୍ୟ କେତେକାଂଶରେ ଏହାକୁ ପ୍ରତିହିତ କରିବାରେ ସଫଳ ହୋଇଛି ବୋଲି ବିଜେଡ଼ି ଦଳ ପକ୍ଷରୁ କୁହାଯାଇଛି। ସେହିପରି ରାହୁଲଙ୍କ ନିର୍ବାଚନ ପ୍ରଚାରରେ ଧାନର ସର୍ବନିମ୍ନ ମୂଲ୍ୟର ବୃଦ୍ଧି ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିବାରୁ ଲୋକେ ଏହାକୁ ଆଧାର କରି କଂଗ୍ରେସ ସପକ୍ଷରେ ଭୋଟ ଦେବେ ବୋଲି ଦଳ ପକ୍ଷରୁ କୁହାଯାଉଛି। ଚଳିତ ନିର୍ବାଚନ ତିନି ପ୍ରାର୍ଥୀଙ୍କ ପ୍ରତିଷ୍ଠା ଓ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦଳ, ବଳ ନେଇ ପ୍ରାର୍ଥୀମାନେ ମୈଦାନରେ ଜୋରସୋର କସ୍‌ରତ କରୁଛନ୍ତି। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ତ୍ରିମୁଖୀ ଲଢ଼େଇ ଜାରି ରହିବ ନା ଏହା ଦ୍ବିମୁଖୀକୁ ସୀମିତ ରହିବ ତାହା ସମୟ ହିଁ ସ୍ପଷ୍ଟ କରିବ।

kalyan agarbati

Comments are closed.