Patra electronics

ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ମାନବିକ ମୂଲ୍ୟବୋଧ ଓ ସାମାଜିକ ଉତ୍ତରଦାୟିତ୍ବର ପ୍ରତୀକ ଥିଲେ ଦିଲୀପ

0

ଭୁବନେଶ୍ୱର: କଲମକୁ ପାଥେୟ କରି ବୃତ୍ତିଗତ ଜୀବନକୁ ଏକ ନୂଆ ପରିଚୟ ଦେବା ନେଇ ଶେଷ ପର୍ଯ୍ୟନ୍ତ ସେ ଜାରି ରଖିଥିଲେ ସଂଗ୍ରାମ। ମାନବିକ ମୂଲ୍ୟବୋଧ ଓ ସାମାଜିକ ଉତ୍ତରଦାୟିତ୍ବକୁ ନେଇ ସାମ୍ବାଦିକତାକୁ ଉତ୍କର୍ଷରେ ପହଞ୍ଚାଇବା ତାଙ୍କ ପାଇଁ ଥିଲା ଏକ ଆହ୍ବାନ। ଗଣମାଧ୍ୟମର ସମସ୍ତ ମୁଖ୍ୟବନ୍ଧରେ ସେ ଛାଡ଼ି ଯାଇଛନ୍ତି ଅଲିଭା ଛାପ। ଅନ୍ୟକୁ ଭଲ ପାଇବା ଓ ସହଜରେ ଆପଣେଇ ନେବା କଳାରେ ଥିଲେ ସେ ନିପୁଣ। ମଣିଷ ପଣିଆର ଛାପ ତାଙ୍କର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ ସ୍ତରରେ ବାରି ହୋଇପଡ଼ୁଥିଲା। ସାନରୁ ବଡ଼, ସମସ୍ତଙ୍କୁ ବାନ୍ଧି ରଖିବା ଓ ସମସ୍ତଙ୍କ ସୁଖଦୁଃଖରେ ଭାଗି ହେବା ଥିଲା ତାଙ୍କର ସ୍ବଭାବ। ଈଶ୍ବରଙ୍କ ଦୁନିଆକୁ ଯିଏ ଆସିଛି ତାକୁ ଦିନେ ଯିବାକୁ ହେବ। କିନ୍ତୁ ସେମାନଙ୍କ ଭିତରୁ କେତେକ ମଣିଷ ଅନ୍ୟ ପାଇଁ ଆଦର୍ଶ ବାର୍ତ୍ତାବହ ପାଲଟିଥାନ୍ତି। ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଦିଲୀପ ଶତପଥୀଙ୍କ ଶୁଦ୍ଧ ଆଚରଣ, ସାଲିସବିହୀନ ବୃତ୍ତିଗତ ଜୀବନ ଓ ଆଦର୍ଶ ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବ ବୋଲି ଆୟୋଜିତ ସ୍ମୃତିସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମତବ୍ୟକ୍ତ କରିଛନ୍ତି।
ଗୁରୁବାର ଇଡକଲ୍ ଭବନ ଠାରେ ସ୍ବର୍ଗତ ଶତପଥୀଙ୍କ ଆୟୋଜିତ ସ୍ମୃତିସଭାରେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କ ସଂଯୋଜନାରେ ବରିଷ୍ଠ ପ୍ରଶାସକ, ବରିଷ୍ଠ ରାଜନେତା, ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇ ତାଙ୍କ ଜୀବନ ଆଦର୍ଶର ସ୍ମୃତିଚାରଣ କରିଥିଲେ। ସରଳତା, ନିଷ୍କପଟତା ଓ ଆନ୍ତରିକତା ଭାବରେ ହସି ହସି ସମସ୍ତଙ୍କୁ ସ୍ନେହର ଡ଼ୋରିରେ ବାନ୍ଧି ରଖିବା ଗୁଣ ତାଙ୍କୁ ଉତ୍ତୁଙ୍ଗ ବ୍ୟକ୍ତିତ୍ବର ଅଧିକାରୀ କରାଇଥିଲା। ସାମ୍ବାଦିକତା ବୃତ୍ତିରେ ସେ ପାଦ ରଖିବା ଦିନଠାରୁ ନିଜ ପାଇଁ ଯେତିକି ନୁହଁ, ଅନ୍ୟପାଇଁ ସେତିକି ଚିନ୍ତା କରୁଥିଲେ ବୋଲି ସମସ୍ତ ବକ୍ତା ମତବ୍ୟକ୍ତ କରିଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସ୍ମୃତିସଭାରେ ଯୋଗଦେଇ କହିଥିଲେ ଯେ ଜୀବନ ଚଲାପଥରେ ତାଙ୍କ ସହ ମିଶିବାର ସୁଯୋଗ ମିଳିଥିଲା। ବୃତ୍ତିରେ ଓ ମନୋବୃତ୍ତିରେ ସ୍ବର୍ଗତ ଶତପଥୀ ଜଣେ ଭଲ ମଣିଷ ଭାବେ ଯେଉଁ ଆଦର୍ଶ ପ୍ରତିଷ୍ଠା କରି ଯାଇଛନ୍ତି ତାହା ସମସ୍ତଙ୍କ ପାଇଁ ଅନୁକରଣୀୟ ହେବ। ’ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଥିଲେ ସାରା ବିଶ୍ବ ଏବେ ବିଷାଦଗ୍ରସ୍ତ। ଏଭଳି ସମୟରେ ସ୍ବର୍ଗତ ଶତପଥୀଙ୍କ ସ୍ମୃତିସଭା ଅଧିକ ବେଦନାଦାୟକ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଧରି ଦିଲୀପ୍ ଜାଣିଥିଲେ ଯେ ଖୁବ୍‌ଶୀଘ୍ର ଏହି ଦୁନିଆ ଛାଡ଼ି ଯିବାକୁ ହେବ। ତେବେ କୌଣସି ସ୍ଥାନରେ ଯନ୍ତ୍ରଣାର ଛାପ ପରିପ୍ରକାଶ ନକରି, ହସ ହସ ମୁହଁରେ ବନ୍ଧୁମାନଙ୍କ ସହ ଅତି ଖୋଲା ଭାବେ ଆଲୋଚନା କରୁଥିଲେ। ବୃତ୍ତି ଓ ମନୋବୃତ୍ତିର ସମନ୍ବୟ ଜୀବନ କିଭଳି ବଞ୍ଚିହେବ ତାହା ଦିଲୀପଙ୍କ ଠାରୁ ଶିଖି ଅନୁପ୍ରାଣିତ ହେବା ଉଚିତ। ଯଦି ତାଙ୍କର ପୁନର୍ଜନ୍ମ ହୁଏ ତେବେ ଆହୁରି ଉଚ୍ଚରେ ରହିବେ ବୋଲି ଶ୍ରୀ ତ୍ରିପାଠୀ ଅଭିବ୍ୟକ୍ତ କରିଥିଲେ। ପୁଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା କହିଥିଲେ, ଜାତୀୟ ଗଣମାଧ୍ୟମରେ ବରିଷ୍ଠ ସାମ୍ବାଦିକମାନଙ୍କ ବହୁ ବକ୍ତବ୍ୟ ଶୁଣିଛୁ। ହେଲେ ସ୍ବର୍ଗତ ଶତପଥୀ ସେମାନଙ୍କ ଠାରୁ କୌଣସି ଗୁଣରେ କମ୍ ନଥିଲେ। ଜାତୀୟ ଅର୍ଥନୀତି, ରାଜନୀତି, ବିଷୟରେ ତାଙ୍କର ଜ୍ଞାନ ଓ ପରିପ୍ରକାଶ ଅଧିକ ନିରପେକ୍ଷ ରହିଥିଲା ବୋଲି ଶ୍ରୀ ଶର୍ମା କହିଥିଲେ। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଓଡ଼ିଶାରେ ଉଚ୍ଚକୋଟୀର ବୁଦ୍ଧିଜୀବୀ ଅଛନ୍ତି। ସେମାନଙ୍କ ମଧ୍ୟରେ ସ୍ବର୍ଗତ ଶତପଥୀଙ୍କ ସ୍ଥାନ ଅନ୍ୟତମ ଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଦିଲୀପ ଜଣେ ଭିନ୍ନ ମଣିଷ ଥିଲେ। ତାଙ୍କର କେହି ଶତ୍ରୁ ନଥିଲେ। ତାଙ୍କ ଭଳି ଭଲ ଲୋକ ଭୂଲୋକରୁ ବିଦାୟ ନେବା ଅତ୍ୟନ୍ତ ବେଦନାଦାୟକ। ’ପ୍ରମେୟ’ର ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର କହିଥିଲେ ସେ ଜଣେ ଉତ୍ତମ ବନ୍ଧୁ ଥିଲେ। ଏହି ଦୁନିଆରେ କମ୍ ସମୟର ଅତିଥି ଥିଲେ ବୋଲି ସେ ଅବଗତ ଥିଲେ। ଅନେକ ଯନ୍ତ୍ରଣାକୁ ଚାପି ମୁହଁରେ ହସ ଫୁଟାଇ ବଞ୍ଚି ପାରୁଥିବା ବ୍ୟକ୍ତି ଥିଲେ ଦିଲୀପ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ତାଙ୍କ ସହ ସମ୍ପର୍କ ନିବିଡ଼ ଥିଲା। ​‌େ​‌ସ ଜଣେ ସୁନାମଧନ୍ୟ ସାମ୍ବାଦିକ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା କହିଥିଲେ, ଭଲ ମଣିଷଙ୍କୁ ସବୁବେଳେ ସମସ୍ତେ ମନେ ପକାଇବେ।
ସେଭଳି ଜଣେ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ସ୍ବର୍ଗତ ଶତପଥୀ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ଦିଲୀପଙ୍କର ଅତ୍ୟନ୍ତ ଭଦ୍ର ବ୍ୟକ୍ତିତ୍ବ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ସେସୁର ସିଇଓ ଅରୁଣ ବୋଥ୍ରା, କଂଗ୍ରେସ୍‌ର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ସୁଶାନ୍ତ ରାଉତ, ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ଓରଟେଲ୍‌ର ପରିଚାଳନା ନିର୍ଦେଶକ ଜାଗି ମଙ୍ଗତ ପଣ୍ଡା, ଅର୍ଥ ବିଭାଗ ଶାସନ ସଚିବ ଅଶୋକ କୁମାର ମୀନା, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ବିଜେପିର ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁ, କଂଗ୍ରେସ୍‌ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ତେଜେଶ୍ବର ପରିଡ଼ା, ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ବିଜୟ ନାୟକ, ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ, ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ବସନ୍ତ ଦାସ, ସୁବାସ ପଟ୍ଟନାୟକ, ପ୍ରଦୋଷ ପଟ୍ଟନାୟକ, ଶ୍ରୀମୟ କର, ଟାଟାଷ୍ଟିଲ୍‌ କର୍ପୋରେଟ୍ କମ୍ୟୁନିକେସନ୍ ମୁଖ୍ୟ ସୌମିତ୍ର ପଟ୍ଟନାୟକ, ଇମ୍ଫାର ଅଶୋକ ବେହେରା, ଅଧ୍ୟାପକ ଗୋପାଳ ମହାପାତ୍ର, ସେଞ୍ଚରିଆନ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ମୁକ୍ତିକାନ୍ତ ମିଶ୍ର, ଆଞ୍ଚଳିକ ନିର୍ଦେଶକ ଗୋପାଳ ମହାପାତ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ଓଡ଼ିଶା ଭାସ୍କର ପରିଚାଳନା ନିର୍ଦେଶକ ମଧୁ ମହାନ୍ତି, ସୋଆ ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟିର ଡିନ୍ ଡ଼ଃ ଜ୍ୟୋତି ରଞ୍ଜନ ଦାସ, ଲୋକ ସେବକ ମଣ୍ଡଳର ସଂଯୋଜକ ସୁରେଶ କୁମାର ମନ୍ତ୍ରୀ, ବିଜେପି ଉପସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, କଳିଙ୍ଗ ସେନାର ହେମନ୍ତ ରଥ, ସୂଚନା ଓ ଲୋକ ସମ୍ପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ର, ସିପିଏମ୍‌ର ବରିଷ୍ଠ ନେତା ସନ୍ତୋଷ ଦାସ, ସାମ୍ବାଦିକ ଅଶୋକ ଦାସ, ସନ୍ଦୀପ ସାହୁ, ସୁବ୍ରତ ଦାସ, ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସାମ୍ବାଦିକ ଦିଲୀପ ବିଷୋୟୀ, ଜୀମୂତ ମଙ୍ଗରାଜ, ବୈଷ୍ଣବ ଜେନା ପ୍ରମୁଖ ସ୍ବର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ। ’ଷ୍ଟେଟ୍ସମ୍ୟାନ୍‌’ର ଆବାସିକ ସମ୍ପାଦକ କେ ରବି, ’ପ୍ରମେୟ’ର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି ଓ ପ୍ରତାପ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply