ଝାରସୁଗୁଡ଼ା ଉପନିର୍ବାଚନ : ଟଙ୍କଧର ଓ ତରୁଣଙ୍କ ନାମାଙ୍କନ ଦାଖଲ
ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ
ଝାରସୁଗୁଡ଼ା : ଝାରସୁଗୁଡ଼ାର ଉତ୍ତପ୍ତ ତାତି ଭିତରେ ଏକ ଭବ୍ୟ ପଟୁଆରରେ ସୋମବାର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ଶନିବାର କଂଗ୍ରେସର ତରୁଣ ପାଣ୍ଡେ ନାମାଙ୍କନ ଦାଖଲ କରିସାରିଥିବାବେଳେ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ଦାଖଲ କରିବେ। ଦୀପାଳିଙ୍କ ପାଇଁ ବିଜେଡି ତାର ପ୍ରସ୍ତୁତି ଜୋରଦାର କରିଛି। ରାଜ୍ୟସ୍ତରୀୟ ତୁଙ୍ଗ ନେତାଙ୍କ ସହ ପଡୋଶୀ ଜିଲାରୁ ବହୁ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ସେହିପରି ତିନି ପ୍ରମୁଖ ଦଳର ପ୍ରାର୍ଥୀ ନବାଗତ ହୋଇଥିବା ସତ୍ତ୍ବେ ଯୁବବର୍ଗର ହୋଇଥିବାରୁ ନୂତନ ଉତ୍ସାହରେ ସେମାନେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ତେଣୁ ଝାରସୁଗୁଡ଼ାରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି। ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଦାଖଲ ପାଇଁ ଆଉ କେବଳ ୩ଦିନ ଥିବାବେଳେ ଇତିମଧ୍ୟରେ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି। କଂଗ୍ରେସର ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସମେତ ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରାର୍ଥୀ ବିଜୟ ଜାଲାନ, ସ୍ବାଧୀନ ପ୍ରାର୍ଥୀ ଭୁବନେଶ୍ବର ଗର୍ଡିଆ ଓ ମନିଷ ଶର୍ମା ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରଚାର ଅଭିଯାନ ଓ ରାଜନୈତିକ ବୟାନବାଜି ମଧ୍ୟ ଜୋରଦାର ହୋଇଛି।
Comments are closed.