ଅନୈତିକ କାର୍ଯ୍ୟକଳାପ ବିରୋଧରେ ଥାନାରେ ଏତାଲା
ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ ଅନ୍ତର୍ଗତ ଜୟନ୍ତୀ ନଗର ବସ୍ତିରେ ଜନୈକ ବ୍ୟକ୍ତି ଓ ତାଙ୍କ ପତ୍ନୀ ନାନା ଅନୈତିକକ କାର୍ଯ୍ୟ କରୁଥିବା ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରାଉଥିବା ବସ୍ତି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ବସ୍ତିର ଶତାଧିକ ମହିଳା ରବିବାର ଦିନ ଚୌଦ୍ୱାର ଥାନାରେ ଏକ ଅଭିଯୋଗପତ୍ର ଦାଖଲ କରି ଉଭୟ ଅଭିଯୁକ୍ତଙ୍କୁ ବସ୍ତିରୁ ବାହାର କରିବା ସହିତ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷା ଦେବାପାଇଁ ଅନୁରୋଧ କରିଛନ୍ତି । ଥାନାରେ ଦାଖଲ ହୋଇଥିବା ଅଭିଯୋଗ ସୁତ୍ରରୁ ପ୍ରକାଶ ଯେ ସେହି ଅସାମାଜିକ ବ୍ୟକ୍ତି ଓ ତାଙ୍କ ପତ୍ନୀ ଦୀର୍ଘଦିନ ହେଲା ବାହାରୁ ଯୁବକ ଯୁବତୀ ମାନଙ୍କୁ ଆଣି ବସ୍ତିସ୍ଥିତ ତାଙ୍କ ଘରେ ଅସାମାଜିକ କାର୍ଯ୍ୟ ଚଳାଉଛନ୍ତି। ବସ୍ତିବାସିନ୍ଦାଙ୍କ ତରଫରୁ ଏହାକୁ ବିରୋଧ କରାଯିବାରୁ ସେହି ବ୍ୟକ୍ତି ଓ ତାଙ୍କ ପତ୍ନୀ ବିଭିନ୍ନ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଭୟଭୀତ କରାଇବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ଏସମ୍ପର୍କରେ ବାସିନ୍ଦା ମାନଙ୍କ ତରଫରୁ ଥାନାରେ ଅଭିଯୋଗ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନ ଥିବାରୁ ସ୍ଥାନୀୟ ବାସିନ୍ଦା ମନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି ଗୌରୀ ବେହେରା, ଜୟନ୍ତୀ ମହାନ୍ତି, ବର୍ଷା ସାମଲ, କଲ୍ୟାଣୀ ସାହାଣୀ, ସୁମିତ୍ରା ସାହୁ,ମଧୁସ୍ମିତା ସାମଲ,କବିତା ମହାନ୍ତି,ସକୁନ୍ତଳା ପରିଡ଼ା,ଅମିତା ସାହୁ, ସୁମିତ୍ରା ସାହୁ,ଜୟନ୍ତୀ ପରମାଣିକ ପ୍ରମୁଖ ଅଭିଯୋଗ କରି ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି । ଆଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
Comments are closed.