ଶ୍ରୀନଗର: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ମେଣ୍ଡର ଅନ୍ତର୍ଗତ ମନକୋଟ, କୃଷ୍ଣା ଘାଟି ଏବଂ କିରନୀ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ କରାଯାଉଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ଜଣେ ସ୍ଥାନୀୟ ନାଗରିକଙ୍କର ବି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶହୀଦ ହୋଇଥିବା ଯବାନଙ୍କ ନାମ ରବି ରଞ୍ଜନ ସିଂହ ଏବଂ ତାଙ୍କ ଘର ବିହାରର ରୋହତାସ ଜିଲାରେ।
ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପାକିସ୍ତାନ ପଟୁ ଗୁଳିମାଡ଼ ଚାଲିଥିଲା। ଏଥିରେ ଦବରାଜ ଗାଁର ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। କିରନୀରେ ଦୁଇଟି ସରକାରୀ ସ୍କୁଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିବାବେଳେ ପାକିସ୍ତାନୀ ସେନାର ୨ଟି ପୋଷ୍ଟ ନଷ୍ଟ ହୋଇଯାଇଥିବା ସେନାର ମୁଖପାତ୍ର ସୂଚନା ଦେଇଛନ୍ତି। ପାକ୍ ସେନାର ୨ଟି ଯାକ ପୋଷ୍ଟରେ ଏକାଧିକ ସୈନ୍ୟ ରହିଥିବାବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।



