ମୁମ୍ବଇ: ମହାରାଷ୍ଟ୍ର ଔରଙ୍ଗାବାଦ ଜିଲା ପୈଠକ ଗ୍ରାମର ଜ୍ଞାନେଶ୍ୱର ଆପ୍ଟେଙ୍କ ଜନଧନ ବ୍ୟାଙ୍କ ଖାତାକୁ ଗତ ବର୍ଷ ଅଗଷ୍ଟ ୧୭ ତାରିଖରେ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା। ଏତେ ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଖାତା ବ୍ୟାଙ୍କ୍ ଅଫ୍ ବରୋଦାରେ ସେ ଖୋଲି ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଟଙ୍କା ପଠାଇ ଥିବା ଭାବି ଚିଠି ଲେଖି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଉ ସେହି ଟଙ୍କାରେ ନିଜ ପରିବାର ପାଇଁ ଘର ଟିଏ ତୋଳିଥିଲେ। ହେଲେ ଘର ତୋଳିବାର ୬ ମାସ ପରେ ତାଙ୍କ ଖାତାକୁ ଭୁଲରେ ଟଙ୍କା ଆସିଥିବା ସଂକ୍ରାନ୍ତ ଏକ ନୋଟିସ୍ ପାଇଥିଲେ। ତୁରନ୍ତ ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ କର୍ମଚାରୀ ତାଙ୍କୁ କହିଥିଲେ। ଏବେ ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି କୃଷକ ଜ୍ଞାନେଶ୍ୱର। ଜ୍ଞାନେଶ୍ୱରଙ୍କ ଆକାଣ୍ଟରେ ଦୀର୍ଘ ମାସ ଧରି ଟଙ୍କା ପଡ଼ି ରହିବା ପରେ ୨୦୧୪ରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଥିବା କଥା ସେ ଭାବିଥିଲେ। ଆଉ ସେହି ଟଙ୍କାରେ ନୂଆ ଘରଟିଏ ତୋଳିବା ପାଇଁ ୯ ଲକ୍ଷ ଟଙ୍କା ଉଠାଇ ଘରଟିଏ ତୋଳିଦେଲେ। ହେଲେ ଘର ତୋଳିବାର ୬ମାସ ପରେ ଏବେ ବ୍ୟାଙ୍କ୍ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ ନୋଟିସ୍ ଦେଖି ଜ୍ଞାନେଶ୍ୱରଙ୍କ ହୋସ ଉଡ଼ିଯାଇଛି।
ଘର ତୋଳିବାରେ ତ ସେ ଟଙ୍କା ଖର୍ଚ୍ଚ କରିସାରିଛନ୍ତି, ଏବେ କରିବେ କ’ଣ। ହେଲେ ତାଙ୍କ ଆକାଉଣ୍ଟରେ ବାକି ଥିବା ୬ ଲକ୍ଷ ଟଙ୍କା ବ୍ୟାଙ୍କ୍ ଏବେ ଫେରାଇ ନେଇଛି। ଅନ୍ୟପଟେ ୯ ଲକ୍ଷ ଟଙ୍କା ଫେରାଇ ଦେବାକୁ କହିଛନ୍ତି ବ୍ୟାଙ୍କ୍ କର୍ମଚାରୀ। ପଞ୍ଚାୟତ ପାଇଁ ଆସିଥିବା ଟଙ୍କା ଭୁଲବଶତଃ ଜ୍ଞାନେଶ୍ୱରଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା ବୋଲି କହିଛନ୍ତି ବ୍ୟାଙ୍କ୍ କର୍ମଚାରୀ।



