ପ୍ରଶାସନିକ ସେବା ପରୀକ୍ଷାରେ ବହିବନ୍ଧାଳି ଦଶମ
ଶ୍ରୀନଗର : ଆତଙ୍କବାଦ ଓ ରାଜନୈତିକ ପଶାପାଲିରେ ଛଟପଟ କାଶ୍ମୀରବାସୀଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ସୁରେଶ ସିଂହ। ଉଦ୍ଦାମପୁର ଜିଲାର ରାମନଗରବାସୀ ସୁରେଶ ବହିବନ୍ଧେଇ ସହ ଟ୍ୟୁସନ କରି ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଦ୍ୟ ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ତାଙ୍କୁ ଦଶମ ସ୍ଥାନ ମିଳିଛି।
ସୁରେଶଙ୍କ ବାପା ଅଟୋରିକ୍ସା ଚଳାଉଥିଲେ। ଏଥିସହିତ ସେ ଘରେ ବହିବନ୍ଧେଇ କାମ କରୁଥିଲେ। ଏଥିରେ ପତ୍ନୀ ଓ ପୁଅ ସୁରେଶ ସହାୟତା କରୁଥିଲେ। ବାପାଙ୍କ ମୃତ୍ୟୁ ପରେ ସୁରେଶ ମାଆଙ୍କ ସହ ମିଶି ବହିବନ୍ଧେଇ କରିନ୍ତି। ଏଥିରୁ ଆୟ ଯଥେଷ୍ଟ ହେଉ ନ ଥିବାରୁ ସେ ଘରୋଇ ଟ୍ୟୁସନ କରନ୍ତି। ବଳକା ସମୟରେ ଜାମ୍ମୁ-କାଶ୍ମୀର ବିଶ୍ବବିଦ୍ୟାଳୟ ଲାଇବ୍ରେରୀକୁ ଯାଇ ସେଠାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି। ଏଭଳି କଠିନ ପରିଶ୍ରମ ଓ ଦାରିଦ୍ର୍ୟ କିନ୍ତୁ ତାଙ୍କୁ ଲକ୍ଷ୍ୟପଥରୁ ଦୂରେଇପାରିଲା ନାହିଁ। ଜାମ୍ମୁ-କାଶ୍ମୀର ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ସେ ଦଶମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ। ଏବେ ବାପାଙ୍କ ସ୍ବପ୍ନ ସାକାର କରିବାରେ ସଫଳ ହୋଇଥିବାରୁ ସୁରେଶ ଖୁବ୍ ଖୁସି। ‘ଆଜିକାଲିକାର ଯୁବପିଢ଼ୀ ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମ ଦ୍ବାରା ବିପଥଗାମୀ ହେଉଛନ୍ତି; କିନ୍ତୁ ଇଣ୍ଟରନେଟ୍ ମୋତେ ବେଶ୍ ସହାୟକ ହୋଇଛି। ମୁଁ କୌଣସି କୋଚିଂ ନେଇ ନାହିଁ। ଇଣ୍ଟରନେଟ୍ ମୋତେ ପ୍ରସ୍ତୁତିର ଖୋରାକ ଯୋଗାଇଥିଲା। ଇଣ୍ଟରନେଟ୍ର ସଦୁପଯୋଗରୁ କେତେ ସୁଫଳ ମିଳୁଛି ତାହା ଯୁବପିଢ଼ି ଅନୁଭବ କରିବା ଉଚିତ। ସେମାନେ ଏହା ମଧ୍ୟମରେ ଉଦ୍ଭ୍ରାନ୍ତ ନ ହୋଇ ଭବିଷ୍ୟତ ଗଢ଼ିପାରିବେ’ ବୋଲି ସୁରେଶ କହିଛନ୍ତି।
Comments are closed.