www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ଥଳ ଯୁଦ୍ଧ ଆରମ୍ଭ କରିବ ଇସ୍ରାଏଲ, ୨୪ ଘଣ୍ଟାରେ ଗାଜା ଛାଡ଼ିବାକୁ ନିର୍ଦେଶ

ତେଲ୍‌ ଅବିବ୍‌: ଗାଜାରେ ଭୂପୃଷ୍ଠରୁ ଆକ୍ରମଣ କରିବା ପୂର୍ବରୁ ସେଠାକାର ଅଧିବାସୀଙ୍କୁ ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ପଳାୟନ କରିବାକୁ ନିର୍ଦେଶ ଦେଇଛି ଇସ୍ରାଏଲ। ପ୍ରାୟ ୧୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଉତ୍ତର ଗାଜା ଖାଲି କରିଦେବା ପାଇଁ ନିର୍ଦେଶନାମାରେ କୁହାଯାଇଛି। ଏଥିସହ ଘନଘନ ବୋମାମାଡ଼ ସହ ଗୋଳାବର୍ଷଣ କରୁଛନ୍ତି ଇସ୍ରାଏଲ ସେନା।

ଇସ୍ରାଏଲ ପକ୍ଷରୁ ପ୍ରତି ୩୦ ସେକେଣ୍ଡରେ ଗୋଟିଏ ଲେଖାଏଁ ରକେଟ ମାଡ଼ କରାଯାଉଛି। ପ୍ରାୟ ୪ହଜାର ଟନ୍‌ ଗୋଳା ମାଡ଼ ହୋଇଥିବା କୁହାଯାଉଛି। ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବାବେଳେ ବିଭିନ୍ନ ଡାକ୍ତରଖାନାରେ ଶବାଗାରଗୁଡ଼ିକ ପୂରି ଗଲାଣି। ଏଭଳି ସ୍ଥିତିରେ ଇସ୍ରାଏଲର ନିର୍ଦେଶକୁ ଅମାନ୍ୟ କରିବା ପାଇଁ ଓ ଘର ଛାଡ଼ି ନଯିବା ପାଇଁ ଗାଜାବାସୀଙ୍କୁ ହମାସ୍‌ ଆହ୍ବାନ ଦେଇଥିବାବେଳେ ଗାଜାବାସୀ ଭୟରେ ପଳାଉଛନ୍ତି। ଜାତିସଂଘ ରିପୋର୍ଟ ଅନୁସାରେ ଯୁଦ୍ଧ ଆରମ୍ଭଠାରୁ ପ୍ରାୟ ୪ଲକ୍ଷ ୨୪ ହଜାର ଗାଜାବାସୀ ପଳାୟନ କଲେଣି। ଗୋଟିଏ ଦିନରେ ପ୍ରାୟ ୮୫ହଜାର ଲୋକ ଗାଜା ଛାଡ଼ିଛନ୍ତି। ପଳାୟନ ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ବୋଲି ଭିଟାମାଟି ଛାଡ଼ି ପଳାଉଥିବା ଗାଜାବାସୀ କହୁଛନ୍ତି। ଜାତିସଂଘ ପକ୍ଷରୁ ଇସ୍ରାଏଲ ନିର୍ଦେଶକୁ ନାପସନ୍ଦ କରାଯାଇଛି। ମାନବୀୟ କ୍ଷୟକ୍ଷତିର ବିପୁଳତା ଦୃଷ୍ଟିରୁ ଏଭଳି ନିର୍ଦେଶ ପାଳନ ଅସମ୍ଭବ ବୋଲି ଜାତିସଂଘ ଦର୍ଶାଇଛି। ଇସ୍ରାଏଲକୁ ଏହି ନିର୍ଦେଶ ପ୍ରତ୍ୟାହାର ପାଇଁ ଜାତିସଂଘ ନିବେଦନ କରିଛି। ପୁନଶ୍ଚ ଶରଣାର୍ଥୀଙ୍କ ସହାୟତା ପାଇଁ ଜାତିସଂଘ ୨୯୪ ନିୟୁତ ଡଲାର ସହାୟତା ଯୋଗାଇ ଦେବାକୁ ନିବେଦନ କରିଛି। ଇରାନ୍‌ ମଧ୍ୟ ଗାଜା ଖାଲି କରିବା ପାଇଁ ଇସ୍ରାଏଲର ନିର୍ଦେଶକୁ ବିପଜ୍ଜନକ ଦର୍ଶାଇଛି। ଏହା ଅନ୍ୟ ଦିଗରୁ ଯୁଦ୍ଧକୁ ପ୍ରୋତ୍ସାହିତ କରିପାରେ ବୋଲି ଇରାନ୍‌ ସତର୍କ କରିଦେଇଛି। ବିବାଦର ସମାଧାନ ପାଇଁ ଆଞ୍ଚଳିକସ୍ତରରେ ଆଲୋଚନା ହେବା ଆବଶ୍ୟକ ଏବଂ ସେଥିପାଇଁ ସେ ଶୀଘ୍ର ଲେବାନନ ଗସ୍ତ କରିବେ ବୋଲି ଇରାନ୍‌ ବୈଦେଶିକ ମନ୍ତ୍ରୀ ସେନ୍ ଅମିର ଅବ୍ଦୋଲାହିଆନ କହିଛନ୍ତି। ସେ କହିଛନ୍ତି, ଯଦି ଗାଜା ଉପରେ ଇସ୍ରାଏଲର ବୋମା ମାଡ଼ ବନ୍ଦ ନହୁଏ, ତେବେ ଅନ୍ୟ ପକ୍ଷରୁ ଯୁଦ୍ଧ ଆରମ୍ଭ ହୋଇପାରେ। ବେରୁଟରେ ପହଞ୍ଚିଥିଲେ ଅମିର ଅବ୍ଦୋଲାହିଆନ। ସେଠାରେ ଲେବାନନର ଅଧିକାରୀଙ୍କ ସହ ହମାସ ଏବଂ ପାଲେଷ୍ଟାଇନ ଇସଲାମ ଜିହାଦର ପ୍ରତିନିଧିମାନେ ତାଙ୍କୁ ସ୍ୱାଗତ କରିଥିଲେ। ସେ କହିଛନ୍ତି, ଇସ୍ରାଏଲର କ୍ରମାଗତ ଭାବେ ଆକ୍ରମଣ, ଯୁଦ୍ଧ ଅପରାଧ ଏବଂ ଗାଜାକୁ ଅବରୋଧ କରିବା ଅନ୍ୟ ପକ୍ଷରୁ ଯୁଦ୍ଧ ସମ୍ଭାବନାକୁ ଅଧିକ ଖୋରାକ ଯୋଗାଉଛି। ଇରାନ ହମାସମାନଙ୍କୁ ତାଲିମ, ଅର୍ଥ ଏବଂ ଅର୍ଥଶସ୍ତ୍ର ଯୋଗାଇ ଦେଇଥିବା କୁହାଯାଉଛି।

- Advertisement -

ଏସବୁକୁ ବେଖାତିର କରି ଇସ୍ରାଏଲ ପକ୍ଷରୁ ଗାଜା ସୀମାନ୍ତରେ ୩ଲକ୍ଷ ୬୦ହଜାରରୁ ଅଧିକ ରିଜର୍ଭ ସେନାଙ୍କୁ ମୁତୟନ କରିଛି। ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଆବାସ୍‌ କହିଛନ୍ତି ଯେ ଗାଜା ଖାଲି କରିବାକୁ ଇସ୍ରାଏଲର ନିର୍ଦେଶ ଆଉ ଏକ ‘ନାଖ୍‌ବା ବାହିନୀ’ ଗଠନକୁ ପ୍ରୋତ୍ସାହିତ କରିବ। ୧୯୪୮ରେ ଇସ୍ରାଏଲର ସୃଷ୍ଟି ସମୟରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବେ ତାହାର ପୁନରାବୃତ୍ତି ଘଟିବ ବୋଲି ସେ ଚେତାଇ ଦେଇଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଓ ନାଟୋ ସଦସ୍ୟ ଭୁକ୍ତ ରାଷ୍ଟ୍ରଙ୍କ ପ୍ରତିରକ୍ଷା ମନ୍ତ୍ରୀମାନଙ୍କୁ ହମାସ୍‌ ଗଣସଂହାରର ହୃଦୟ ବିଦାରକ ଚିତ୍ର ଦେଖାଇଛନ୍ତି। ମହିଳା ଓ ଶିଶୁଙ୍କୁ କିପରି ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି ତାହାର ଦୃଶ୍ୟ ଓ ସପ୍ରମାଣ ତଥ୍ୟ ରେଖାଚିତ୍ରରେ ଦର୍ଶାଇଛନ୍ତି। ହମାସ୍‌ ଆକ୍ରମଣରେ ଇସ୍ରାଏଲରେ ମୃତ୍ୟୁ ସଂଖ୍ୟା ୧୫୦୦ ଅତିକ୍ରମ କରିଥିବାବେଳେ ଗାଜାରେ ଦୁଇ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ପ୍ରାଣହାନି ଘଟିଥିବା କୁହାଯାଉଛି। ଏହି ସଂଖ୍ୟା ମୋଟ ଉପରେ ୪ହଜାରରୁ ଅଧିକ ହେଲାଣି। ଇସ୍ରାଏଲକୁ ଆମେରିକା ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ମଧ୍ୟ ସେନା ପଠାଇବ ନାହିଁ ବୋଲି ସ୍ପଷ୍ଟ କରିଛି। ଯୁଦ୍ଧରେ ୨୭ ଆମେରିକୀୟଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଏହା ସେନା ପଠାଇବ ନାହିଁ ବୋଲି ଜାତୀୟ ନିରାପତ୍ତା ପରାମର୍ଶଦାତା ସ୍ପଷ୍ଟ କରିଛନ୍ତି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନ୍‌ ଶୁକ୍ରବାର ଇସ୍ରାଏଲ ଗସ୍ତରେ ଯାଇଥିବା ସୂଚନା ମିଳିଛି। ବ୍ଲିଙ୍କେନ୍‌ ଶୁକ୍ରବାର ପାଲେଷ୍ଟାଇନ୍‌ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ଯୁଦ୍ଧର ଅବସାନ ପାଇଁ ମଧ୍ୟସ୍ଥତା କରିବାକୁ ପୁନର୍ବାର ପ୍ରସ୍ତାବ ଦେଇଛନ୍ତି। ଏତେ ନରସଂହାର ବରଦାସ୍ତ କରିହେବ ନାହିଁ ବୋଲି ସେ କହିଛନ୍ତି। ମଧ୍ୟପ୍ରାଚ୍ୟରେ ହିଂସାର ବାତାବରଣ ସୃଷ୍ଟି ପାଇଁ ଆମେରିକା ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି।

ଭାରତରେ ହାଇ ଆଲର୍ଟ ଜାରି ହୋଇଛି। ଭାରତରେ ଅବସ୍ଥାପିତ ଇସ୍ରାଏଲର କୂଟନୀତିଜ୍ଞ ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ଭାରତରେ ସତର୍କସୂଚନା ଜାରି ହୋଇଛି। ତାଲିକାଭୁକ୍ତ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା କଡାକଡି କରିବାକୁ ନିର୍ଦେଶ ଦିଆଯାଇଛି। ଭାରତର କିଛି ସ୍ଥାନରେ ଇସ୍ରାଏଲ ବିରୋଧୀ ନାରା ଦିଆଯାଉଥିବା ଘଟଣା ଘଟିଥିବାବେଳେ ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ସରକାର କଡା ସୁରକ୍ଷା ବ୍ୟବସ୍ଥା ଜାରି କରିଛନ୍ତି। ଚେତାବନୀପୂର୍ଣ୍ଣ ଭିଡିଓ ଜାରି କରିଛି ହମାସ୍ ମୁଖ୍ୟ କମାଣ୍ଡର ମହମ୍ମଦ ଅଲ ଜହିର୍। ଏକ ଭିଡିଓ ବାର୍ତ୍ତାରେ ସେ କହିଛି, ‘ଇସ୍ରାଏଲ କେବଳ ପ୍ରଥମ ଲକ୍ଷ୍ୟ। ପୁରା ବିଶ୍ୱ ଉପରେ ହମାସର ରାଜୁତି ହେବ। ପୃଥିବୀର ସମ୍ପୂର୍ଣ୍ଣ ୫୧୦ ମିଲିୟନ୍ ବର୍ଗ କିଲୋମିଟର କ୍ଷେତ୍ର ଆମ ଆଇନ ଅନ୍ତର୍ଗତ ହେବ, ଯେଉଁଠାରେ ଆଉ କୌଣସି ଅନ୍ୟାୟ ହେବ ନାହିଁ, କୌଣସି ଉତ୍ପୀଡନ ହେବ ନାହିଁ କି କୌଣସି ହତ୍ୟା ଓ ଅପରାଧ ହେବ ନାହିଁ। ଯେଭଳି ଅନ୍ୟ ଆରବ ଦେଶମାନ ଯେପରି ଲେବାନନ୍, ସିରିଆରେ ପାଲେଷ୍ଟାଇନ ଓ ଇରାନ ନାଗରିକଙ୍କୁ ହଇରାଣ କରାଯାଉଛି ତାହା ଆଉ ହେବ ନାହିଁ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories