ଟାଙ୍ଗରପଡା-ପିପିଳିଆ ରାସ୍ତା ନିର୍ମାଣରେ ଅନିୟମିତତା; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗପତ୍ର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡାଠାରୁ ପିପିଳିଆ ଭାୟା ବ୍ରାହ୍ମଣୀଦେଓ, ପୋଇପାଣି, ତୋରାଣିପୋଖରୀ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରଯାଇଛି। ତୋରାଣିପୋଖରୀ ପଞ୍ଚାୟତ ଅଧୀନ ତୋରାଣିପୋଖରୀ, ପୋଡ଼ାଡିହା, ଧୋବାପାଟଣା, ପୋଇପାଣି ଓ ସଦର ବ୍ଲକ କାଠବାରୀ ଗ୍ରାମର ବାସିନ୍ଦାମାନେ ଏହି ଅଭିଯୋଗ ଆଣିଛନ୍ତି।

ବିଭାଗୀୟ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ସର୍ଭେ ଯୋଗୁ ଡ୍ରେନ କାମ ହୋଇପାରୁ ନ ଥିବା ସହ ନିମ୍ନମାନର କଂକ୍ରିଟ କାମ ଓ ପୁରୁଣା କଲଭର୍ଟର ମରାମତି କରାଯାଇ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ କରାଯାଇଛି। କାଠବାରି ଗ୍ରାମରେ ଜଳସେଚିତ ଜମିଥିବାରୁ ଏହି ରାସ୍ତାରେ ଡ୍ରେନ ନିର୍ମାଣ ଜରୁରୀ ବୋଲି ଗ୍ରାମବାସୀ ଦାବି ରଖିବା ସହ ଠିକାଦାର ଆଞ୍ଚଳିକ ଶ୍ରମଜୀବୀମାନଙ୍କୁ କାମ ନ ଦେଇ ବାହାର ଅଞ୍ଚଳରୁ ଶ୍ରମିକଙ୍କୁ ଆଣି କାମ କରୁଥିବା ଅଭିଯୋଗ ହୋଇଛି। ପୋଇପାଣି, କାଠବାରି, ଭୋଦବାହାଳି, କୁମୂଳାବାହାଳି, ଖଜୁରୀପାଣି ଓ ବ୍ରାହ୍ମଣୀଦେଓ ଗ୍ରାମରେ ଡ୍ରେନ ଓ ସୁରକ୍ଷାପ୍ରାଚୀର ନିର୍ମାଣ ପାଇଁ ଦାବି କରାଯାଇଛି। ବର୍ଷା ଋତୁ ପୂର୍ବରୁ ରାସ୍ତା ଓ ଡ୍ରେନ କାମ ସାରିବାକୁ ତୋରାଣିପୋଖରୀ ସରପଞ୍ଚ ଜନାର୍ଦ୍ଦନ ନାଏକ ଓ କାଠବାରୀ ସରପଞ୍ଚ ସୁକବତି ଖଣ୍ଡେଇ ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଏହି ଅଭିଯୋଗପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିବା ଜଣାପଡ଼ିଛି।

Comments are closed.